ଭୁବନେଶ୍ବର : ଓଡ଼ିଶା ଶିକ୍ଷା ସେବା(ବିଦ୍ୟାଳୟ ଶାଖା) ଅଧିକାରୀମାନଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି। କ୍ୟାଡର୍ ପୁନର୍ଗଠନକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିବା ପରେ ଶିକ୍ଷାଅଧିକାରୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ଏଥିପାଇଁ ଶିକ୍ଷା ସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ସଂଘର ସଭାପତି ପ୍ରଦୀପ ନାୟକ ଓ ସାଧାରଣ ସମ୍ପାଦକ ସନାତନ ପଣ୍ଡା ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ଯେ ବିଦ୍ୟାଳୟ ଶିକ୍ଷା ପ୍ରଶାସନରେ ଯୁବ ପ୍ରତିଭାମାନଙ୍କୁ ସାମିଲ କରି ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ୧୯୭୧ ମସିହାରେ ଓଡ଼ିଶା ଶିକ୍ଷା ସେବା ନିଯୁକ୍ତି ନିୟମ ପ୍ରଣୟନ ହୋଇଥିଲା। ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ଶିକ୍ଷା ସେବା ଅଧିକାରୀମାନେ ନିଯୁକ୍ତି ହୋଇ ଆସୁଥିଲେ। ୫୦ ବର୍ଷ ଅତିକ୍ରମ ହୋଇଥିଲେ ମଧ୍ୟ ଏହି ଅଧିକାରୀମାନଙ୍କ ନିମିତ୍ତ ଏକ କ୍ୟାଡର ରୁଲ ପ୍ରଣୟନ ହୋଇ ନ ଥିବାରୁ ଅଧିକାରୀମାନେ ଚାକିରି କ୍ଷେତ୍ରରେ ପଦୋନ୍ନତି ପାଇବାରୁ ବଞ୍ଚିତ ହେଉଥିଲେ। ଯେଉଁଥିପାଇଁ ଅଧିକାରୀମାନେ ଦୀର୍ଘ ବର୍ଷ ଧରି ଦାବି କରିବା ସହ ସମୂହ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ବିଳମ୍ବ ହେଉ ପଛେ ରାଜ୍ୟ ସରକାର ଶିକ୍ଷା ଅଧିକାରୀମାନଙ୍କ ଦାବି ପୂରଣ କରିଛନ୍ତି। କ୍ୟାଡର ସଂଖ୍ୟା ୬୩୬ରୁ ୧୦୧୫କୁ ବୃଦ୍ଧି କରିଛନ୍ତି। ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସମଗ୍ର ଶିକ୍ଷା ଅଭିଯାନର ତଦାରଖ କରିବା ପାଇଁ ଆଉ ଜଣେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପଦବି ସୃଷ୍ଟି ସହ ଏହି ପଦବିକୁ ବରିଷ୍ଠ(ପ୍ରଥମ ଶ୍ରେଣୀ) ପାହ୍ୟାକୁ ଉନ୍ନୀତ କରାଯାଇଛି। ଏଥିସହ ଶିକ୍ଷା ସେବା ଅଧିକାରୀଙ୍କ ନିମିତ୍ତ ଅତିରିକ୍ତ ନିର୍ଦେଶକ ପଦବି ପର୍ଯ୍ୟନ୍ତ ପଦୋନ୍ନତି ସୁଯୋଗ ସୃଷ୍ଟି ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଏହି ଅଧିକାରୀମାନଙ୍କ ପାଇଁ ଏକ ଯୁଗ୍ମ ସଚିବ ପଦ ସୃଷ୍ଟି କରାଯାଇଛି। ପୁନର୍ଗଠନ ଦ୍ବାରା ବିଦ୍ୟାଳୟ ଶିକ୍ଷା ସେବା ଅଧିକାରୀଙ୍କ ପଦୋନ୍ନତି ହେବ। ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶିକ୍ଷା ପ୍ରଶାସନରେ ଅଧିକ ସଂଖ୍ୟାରେ କାର୍ଯ୍ୟ କରିବାର ସୁଯୋଗ ସୃଷ୍ଟି ହେବ। ଏଥିସହ ତଦାରଖ ବ୍ୟବସ୍ଥା ସୁଦୃଢ଼ ଓ ଗୁଣାତ୍ମକ ଶିକ୍ଷାର ବିକାଶ ଘଟିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp