ସେସୁ ଘରୋଇକରଣକୁ ନେଇ ଘେରିଲା ଉପଭୋକ୍ତା ମହାସଂଘ

ଭୁବନେଶ୍ବର : ରାଜ୍ୟରେ ବିଦ୍ୟୁତ ବିତରଣ କ୍ଷେତ୍ରରେ ପୁଣି ଥରେ ଘରୋଇ କମ୍ପାନି ପ୍ରବେଶକୁ ତୀବ୍ର ବି‌ରୋଧ କରିଛି ଉପଭୋକ୍ତା ମହାସଂଘ। ଆଜି ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ରାଜ୍ୟରେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପ୍ରକ୍ରିୟା ପ୍ରଥମେ ଓଡ଼ିଶାରୁ ଆରମ୍ଭ ହୋଇଥିଲା। ହେଲେ ଏବେ ଅନ୍ୟମାନେ ସଂସ୍କାର ଦିଗରେ ଆଗକୁ ବଢୁଥିବା ବେଳେ ଓଡ଼ିଶା ବିଦ୍ୟୁତ କ୍ଷେତ୍ରକୁ ଘରୋଇ ସଂସ୍ଥା ହାତକୁ ପୂରା ଟେକିଦେବାକୁ ବସିଛି। ସବୁଠାରୁ ବଡ଼ କଥା ହେଲା, କେଉଁ ପରିସ୍ଥିତିରେ ମାତ୍ର ସିଙ୍ଗିଲ ବିଡ୍‌ରେ ଘରୋଇ କଂପାନି ଟାଟା ପାଵାରକୁ ସେସୁକୁ ଟେକି ଦେବା ଲାଗି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଆଗ୍ରହ ଦେଖାଇଛନ୍ତି, ତାହା ବୁଝାପଡୁନାହିଁ। କେବଳ ସେତିକି ନୁହେଁ, ଏହି କଂପାନିକୁ ୫୧ ପ୍ରତିଶତ ଅଂଶଧନ ଦେଇ ରାଜ୍ୟ ସରକାର ୪୯ ପ୍ରତିଶତ ରଖିବା ଦୁର୍ଭାଗ୍ୟଜନକ। ଶ୍ରମିକ, କର୍ମଚାରୀମାନଙ୍କ ଚାକିରି ସର୍ତାବଳୀ, ପେନସନ ଟ୍ରଷ୍ଟ, ଇପିଏଫ୍‌ ବାବଦରେ ଅର୍ଥ ଜମା କରି ନ ଥିବା ସଂପର୍କରେ ସେସୁ କତୃର୍ପକ୍ଷ ବା ଓଇଆର୍‌ସି କୌଣସି ପଦକ୍ଷେପ ନେଇ ନାହାନ୍ତି। କର୍ମଚାରୀମାନଙ୍କର ୧୦ ପ୍ରତିଶତ ମାଲିକାନା ଥିଲେ ହେଁ ସେମାନଙ୍କ ସହିତ କୌଣସି ଆଲୋଚନା କରାଯାଇ ନାହିଁ।

ଉପଭୋକ୍ତା ମହାସଂଘର ସଭାପତି ରମେଶ ଶତପଥୀ କହିଥିଲେ, ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବାକୁ ଯାଇ ଏକଦା ୪ଟି ବିଦ୍ୟୁତ ବିତରଣ କମ୍ପାନି ସେସକୋ, ନେସ୍କୋ, ୱେସ୍କୋ, ସାଉଥ୍‌କୋର ୫୧ ପ୍ରତିଶତ ଅଂଶଧନକୁ ରାଜ୍ୟ ସରକାର ଘରୋଇ କମ୍ପାନିକୁ ବିକ୍ରି କରିଥିଲେ। ସେଥି ମଧ୍ୟରୁ ନେସ୍‌କୋ, ୱେସ୍‌କୋ, ସାଉଥ୍‌କୋକୁ ବିଏସ୍‌ଇଏସ୍‌ କମ୍ପାନିକୁ ମାତ୍ର ୧୧୭ କୋଟି ଟଙ୍କାରରେ ବିକ୍ରି କରାଯାଇଥିଲା। ସେସକୋକୁ ଏଇଏସ୍‌କୁ ମାତ୍ର ୪୨ କୋଟି ଟଙ୍କାରେ ବିକ୍ରି କରିଥିଲେ। ସେହି ଏଇଏସ୍‌ କମ୍ପାନିକୁ ରାଜ୍ୟ ସରକାର ସେ ସମୟରେ ଅହେତୁକ ଅନୁକମ୍ପା ଦେଖାଇ ୧୭୪ କୋଟି ଟଙ୍କା କମ୍ପାନି ଚଳାଇବା ପାଇଁ ଅଗ୍ରିମ ଆକାରରେ ଦିଆଯାଇଥିଲା। ଅର୍ଥାତ ରାଜ୍ୟ ସରକାର ବିନା ପଇସାରେ ଏଇଏସ କମ୍ପାନିକୁ ଦେଇଥିଲେ। ଭାରତ ବର୍ଷ ଇତିହାସରେ ଏହା ଥିଲା ଘରୋଇ କମ୍ପାନିକୁ ବଡ଼ ଧରଣର ଅହେତୁକ ଅନୁକମ୍ପା।

କିନ୍ତୁ ୧୯୯୯ ମହାବାତ୍ୟା ପରେ ଏହି ସଂସ୍ଥା ପରିଚାଳନାରୁ ଏଇଏସ୍‌ ଓହରି ଯାଇଥିଲା। ଯାହା ଫଳରେ ସେସୁର କର୍ମଚାରୀ, ଶମ୍ରିକ ଓ ଇଂଜିନିୟରମାନେ ଦରମା ପାଇବାରୁ ବଞ୍ଚିତ ହେଲେ। ଏପରି ଅବସ୍ଥା ସୃଷ୍ଟି ହେବାରୁ ଓଇ୍ଆରସି ସେ‌ସକୋର ଲାଇସେନ୍ସ ରଦ୍ଦ କରି ଦେଇଥିଲେ। ପରବର୍ତୀ ସମୟରେ ସୁରେଶ ମହାପାତ୍ର ଯେଉଁ ରିପୋର୍ଟ ଦେଇଥିଲେ ସେଥିରେ ସେ ସ୍ପଷ୍ଟ ଭାବେ ଜଣାଇଥିଲେ କି ଏଇଏସ୍‌ କମ୍ପାନି ୫୭୭ କୋଟି ଟଙ୍କା ଗ୍ରିଡ୍‌କୋର ବିଦ୍ୟୁତ କିଣା ବାବଦ ଅର୍ଥ ପୈଠ କରି ନାହିଁ। ଏହା ସହିତ ଅନ୍ୟାନ୍ୟ ଅର୍ଥ ୬୩୩ କୋଟି ଟଙ୍କା ଦେଇ ନାହିଁ। ଏହା ଛଡ଼ା ୧୭୪ କୋଟି ଟଙ୍କା ଯେଉଁ ଟଙ୍କା ୱାର୍କିଂ କ୍ୟାପିଟାଲ ହିସାବରେ ଏଇଏସ୍‌ କମ୍ପାନିକୁ ଦିଆଯାଇଥିଲା, ତାହା ମଧ୍ୟ ବାକି ରଖିଛି। ଆଜି ପର୍ଯ୍ୟନ୍ତ ଦୀର୍ଘ ୨୦ ବର୍ଷ ଧରି ବିଦ୍ୟୁତ ଉପଭୋକ୍ତାଙ୍କ ଏହି ଅର୍ଥ ଏଇଏସ କମ୍ପାନିଠାରୁ ଆଦାୟ କରାଯାଇ ପାରିନାହିଁ।

ଅନ୍ୟପକ୍ଷରେ ଏଇଏସ କମ୍ପାନି ଗ୍ରିଡ୍‌କୋ ଏବଂ ରାଜ୍ୟ ସରକାର ସହଯୋଗରେ ଓପିଜିସିର ଉତ୍ପାଦିତ ବିଦ୍ୟୁତ ୟୁନିଟ ପିଛା ମୂଲ୍ୟ ବୃଦ୍ଧି କରିବାରେ ଲାଗିଛି। ମହାବାତ୍ୟା ସମୟରେ ରିଲାଏନ୍ସ ଅଧୀନରେ ଥିବା ନେସ୍‌କୋ, ୱେସ୍‌କୋ, ଓ ସାଉଥକୋର କାର୍ଯ୍ୟ ଦକ୍ଷତା ମଧ୍ୟ ଆହୁରି ଉଦବେଗ ଜନକ ଅବସ୍ଥାରେ ଥିଲା। ରାଜ୍ୟ ସରକାର ବିନା ଅନୁମତି‌ରେ ୫୧ ପ୍ରତିଶତ ଅଂଶଧନକୁ ରିଲାଏନ୍ସ ପାୱା‌ର ଦ୍ବାରା ଅନ୍ୟାନ୍ୟ କମ୍ପାନିକୁ ଟ୍ରାନ୍ସଫର କରି ଦେଇଥିଲେ। ଏ ସଂକ୍ରାନ୍ତରେ ଶ୍ରମିକ ଓ କର୍ମଚାରୀମାନେ ବାରମ୍ବାର ପ୍ରତିବାଦ ସ୍ବର ଉତ୍ତୋଳନ କରିବା ସହିତ ଓଇଆରସିର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ରାଜ୍ୟ ସରକାର ସେଥିପ୍ରତି କର୍ଣ୍ଣପାତ କରି ନ ଥିଲେ। ବାଧ୍ୟ ହୋଇ କର୍ମଚାରୀମାନେ ହାଇକୋର୍ଟ ଯାଇଥିଲେ। ୨୦୧୦ ମସିହାରେ ରାଜ୍ୟ ସରକାର ଏକ କାପେକ୍ସ ଯୋଜନାରେ ୨୪ଶହ କୋଟି ଟଙ୍କା ଖର୍ଚ କରିବାକୁ ବ୍ୟବସ୍ଥା କଲେ। ସେଥିରେ ସେ ସ୍ବୀକାର କଲେ ଯେ ଲାଇନ ଓ ସବଷ୍ଟେସନଗୁଡିକ ୫୦ ବର୍ଷରୁ ଅଧିକ ସମୟ ହୋଇ ଗଲାଣି। ସେ ସବୁର ମରାମତି ହେବ। କିନ୍ତୁ ରିଲାଏନ୍ସ କମ୍ପାନି ଅସହଯୋଗ କଲା। ଫଳରେ ମାତ୍ର ୯ଶହ କୋଟି ଟଙ୍କା ମାତ୍ର ଖର୍ଚ ହୋଇ ପାରିଲା। ଶେଷରେ ଓଇଆର୍‌ସି ବାଧ୍ୟ ହୋଇ ୨୦୧୫ ମସିହାରେ ତାର ଲାଇସେନ୍ସ ପ୍ରତ୍ୟାହାର କଲେ।

ଏଭଳି ସମୟରେ ଏବେ ଓଇଆର୍‌ସି ପୁଣି ଥରେ ଘରୋଇ କମ୍ପାନି ଟାଟା ପାୱାର ବିଦ୍ୟୁତ ବିତରଣ ପାଇଁ ଲାଇସେନ୍ସ ପ୍ରଦାନ କରିଛନ୍ତି। ତାହା ପୁଣି ସିଙ୍ଗଲ ବିଡ୍‌ରେ।

ସେସୁର ବର୍ତମାନ ୧ ହଜାର ୯ଶହ କୋଟି ଟଙ୍କା ବିଭିନ୍ନ ବିଦ୍ୟୁତ ଗ୍ରାହକ ଉପଭୋକ୍ତାଙ୍କ ଉପରେ ବାକି ଥିବା ବିଷୟ ସେସୁର ବର୍ତମାନ ସିଇଓ ଅରୁଣ ବୋଥ୍ରା ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ଶ୍ରମିକ, କର୍ମଚାରୀ ଓ ଇଂଜିନିୟରମାନଙ୍କ ସହଯୋଗରେ ସେସୁକୁ ଏକ ଲାଭଜନକ କମ୍ପାନିରେ ପରିଣତ କରିବା କାର୍ଯ୍ୟକ୍ରମ ଗ୍ରହଣ କରୁଥିବାବେଳେ ରାଜ୍ୟ ସରକାର ଜାଣିଶୁଣି ପୁଣି ଥରେ ଘରୋଇ କମ୍ପାନିମାନଙ୍କୁ ବିଦ୍ୟୁତ ବିତରଣ କ୍ଷେତ୍ରରେ ପ୍ରବେଶ କରୁଥିବାରୁ ଉପଭୋକ୍ତା ସମତେ ଶ୍ରମିକ, କର୍ମଚାରୀ ଓ ଇଂଜିନିୟରମାନଙ୍କ ପକ୍ଷରୁ ଏହାର ଦୃଢ଼ ବିରୋଧ କରାଯାଉଛି।

ଆଜିର ସାମ୍ବାଦିକ ସମ୍ମିଳନୀ‌ରେ ଶ୍ରମିକ ନେତା ଯତୀନ୍ଦ୍ର କୁମାର ରାୟ, ପ୍ରଶାନ୍ତ କୁମାର ମହାପାତ୍ର, ଅକ୍ଷୟ କୁମାର ପାଢ଼ୀ, ବିଜୟ କୁମାର ପାତ୍ର, ଅକ୍ଷୟ କୁମାର ତ୍ରିପାଠୀ, ସତ୍ୟବାଦୀ ବାଗ, ହେମନ୍ତ କୁମାର ଦାସ, ନଳିନୀକାନ୍ତ ବିଶ୍ବାଳ, ସଂଜୀବ ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର