ଭୁବନେଶ୍ୱର : ୧୬ ଦଫା ଦାବି ନେଇ ଆସନ୍ତା ୧୪ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରିବ ଜଏଣ୍ଟ ଫୋରମ୍‌ ଅଫ ଓଡ଼ିଶା ଇଲେକ୍ଟ୍ରିସିଟି ଏମ୍ପ୍ଲୋଇଜ୍‌ ଏଣ୍ଡ ଇଞ୍ଜିନିୟର୍ସ ସଂଘ। ନାସନାଲ କୋର୍ଡିନେସନ୍‌ କମିଟି ଅଫ ଇଲେକ୍ଟ୍ରିସିଟି ଏମ୍ପ୍ଲୋଇଜ୍‌ ଏଣ୍ଡ ଇଞ୍ଜିନିୟର୍ସ ଆହ୍ଵାନରେ ଦେଶବ୍ୟାପୀ ଏହି ଆନ୍ଦୋଳନ ଅନୁଷ୍ଠିତ ହେବ। ରାଜ୍ୟରେ ବିଦ୍ୟୁତ ବଣ୍ଟନ କ୍ଷେତ୍ରରେ ପୁଣିଥରେ ଘରୋଇକରଣ ଓ ଫ୍ରାଞ୍ଚାଇଜ ବ୍ୟବସ୍ଥାର ନବୀକରଣ ସମେତ ସଂସଦରେ ଆଗତ ୨୦୧୪ ବିଦ୍ୟୁତ୍‌ ବିଲ ପ୍ରତ୍ୟାହାର ଦାବିରେ ଏହି ବିକ୍ଷୋଭ କରାଯାଉଥିବା ଜଣାପଡ଼ିଛି।

Advertisment

ଆଜି ସଂଘ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ସାମ୍ବାଦିକ ସମ୍ମିଳନୀରେ ଜଏଣ୍ଟ ଫୋରମ୍‌ର ଆବାହକ ବିଶ୍ୱ ରଂଜନ ମିଶ୍ର କହିଲେ, ବିଦ୍ୟୁତ୍‌ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଓ ଇଞ୍ଜିନିୟରମାନେ ଏହି ଆନ୍ଦୋଳନରେ ସାମିଲ ହେଉଛନ୍ତି। ଦେଶବ୍ୟାପୀ ଏହି ଆନ୍ଦୋଳନ ଅନୁଷ୍ଠିତ ହେଉଥିବା ବେଳେ ଏହାକୁ ସମର୍ଥନ ଜଣାଇ ରାଜଧାନୀରେ ଫୋରମ୍‌ ପକ୍ଷରୁ ଏହି ଆନ୍ଦୋଳନ କରାଯିବ। ଫୋରମ୍‌ ପକ୍ଷରୁ ୧୬ଦଫା ଦାବି ଉପରେ ଆଲୋଚନା ହୋଇଥିଲା।

୧୯୯୫ ମସିହା ଓଡ଼ିଶା ବିଦ୍ୟୁତ ସଂସ୍ଥାର ଆଇନ ଓ ୨୦୦୩ କେନ୍ଦ୍ରୀୟ ବିଦ୍ୟୁତ ଆଇନର ସମୀକ୍ଷା ଓ ରାଜ୍ୟରେ ଥିବା ସମସ୍ତ ବିଦ୍ୟୁତ ସଂସ୍ଥାର ଏକକୀକରଣ କରାଯାଉ। ୨୦୦୦ ମସିହାରେ ବିଦ୍ୟୁତ ବିତରଣର ଘରୋଇକରଣ ବ୍ୟବସ୍ଥା ଆରମ୍ଭ ହୋଇଥିଲେ ହେଁ ୧୭ବର୍ଷ ପରେ ଏହା କୌଣସି ସୁଫଳ ମିଳିପାରି ନାହିଁ। ତେବେ ପୁଣିଥରେ ଘରୋଇକରଣ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ଏହାକୁ ସଂଘ ପକ୍ଷରୁ ବିରୋଧ କରାଯାଉଛି। ଏହାସହ ସଂସଦରେ ଆଗତ ହେବାକୁ ଥିବା ୨୦୦୪ ମସିହା ବିଦ୍ୟୁତ୍‌ ବିଲ ପ୍ରତ୍ୟାହାର କରିବା ସହିତ ସ୍ଥାୟୀ କାର୍ଯ୍ୟରେ ଠିକା ନିଯୁକ୍ତି ବନ୍ଦ କରାଯାଉ।

ଠିକା କର୍ମଚାରୀଙ୍କୁ ସମାନ କାମ ପାଇଁ ସମାନ ଦରମା ଓ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ। ୭ମ ବେତନ କମିସନ ସୁପାରିସ୍‌ ଆଧାରରେ ନୂତନ ଦରମା ହାର ପ୍ରଦାନ କରିବା, ବିଦ୍ୟୁତ କ୍ଷେତ୍ରରେ ସମସ୍ତ କାର୍ଯ୍ୟକୁ ଏକକ ସଫ୍‌ଟେଓ୍ଵର ବ୍ୟବସ୍ଥା ଦ୍ୱାରା ଯୋଡ଼ିବା, ଖାଲି ପଡ଼ିଥିବା ପଦବିକୁ ତୁରନ୍ତ ପୂରଣ କରାଯାଉ। ଚାକିରିରେ ଥାଇ ମୃତ୍ୟୁବରଣ କରୁଥିବା କର୍ମଚାରୀ ଓ ଇଞ୍ଜିନିୟରଙ୍କ ପରିବାରରୁ ଜଣକୁ ସ୍ଥାୟୀ ନିଯୁକ୍ତି, ସମସ୍ତ କର୍ମଚାରୀ ଓ ଇଞ୍ଜିନିୟରଙ୍କୁ ସମୟ ଅନୁସାରେ ପଦୋନ୍ନତି, ୨୦୦୫ ପୂର୍ବରୁ ଥିବା ପେନସନ ନୀତି ପୁଣିଥରେ ପ୍ରଚଳନ, ବିଦ୍ୟୁତ ଚୋରି ରୋକିବା ପାଇଁ ପ୍ରଚଳିତ ବ୍ୟବସ୍ଥାର ପୁଣିଥିରେ ନିରୀକ୍ଷଣ ଓ ନୂତନ ଉପାର୍ଜନ ପ୍ରଚଳନ କରିବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି। ଏହି ବୈଠକରେ ସିଟୁର ବିଷ୍ଣୁ ମହାନ୍ତି, ଏଆଇଟିୟୁସିର ସୌରୀବନ୍ଧୁ କର ଓ ଅନ୍ୟ ସଂଗଠନର କର୍ମକର୍ତାମାନେ ଉପସ୍ଥିତ ଥିଲେ।