ଓଡ଼ିଶା ଇଞ୍ଜିନିୟରଙ୍କ ନାସିକ୍‌ରେ ମୃତ୍ୟୁ

ନାସିକ୍‌(ମହାରାଷ୍ଟ୍ର): ନାସିକ୍‌ରେ ଗତ ରବିବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ନାସିକ୍‌ସ୍ଥିତ ଓଜାର୍‌ଖେଦ୍‌ ଡ୍ୟାମ୍‌କୁ ଗାଧୋଇବାକୁ ଯାଇଥିବା ଓଡ଼ିଶାର ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତ ଇଞ୍ଜିନିୟରଙ୍କ ନାମ ମହମ୍ମଦ ମୋମିନ୍‌ ସାରଭର ବୋଲି ଜଣାପଡ଼ିଛି। ଓଡ଼ିଶାର ମହମ୍ମଦ ମୋମିନ୍‌ ସାରଭର ନାସିକ୍‌ସ୍ଥିତ ଏକ ଲୋକାଲ୍‌ ଅଟୋମୋବାଇଲ କମ୍ପାନିରେ କାମ କରୁଥିଲେ।

ସୂଚନାଯୋଗ୍ୟ, ଗତକାଲି ସେ ତାଙ୍କ ସାଙ୍ଗମାନଙ୍କ ସହ ନାସିକ୍‌ସ୍ଥିତ ଓଜାର୍‌ଖେଦ୍‌ ଡ୍ୟାମ୍‌କୁ ପିକ୍‌ନିକ୍‌ ପାଇଁ ଯାଇଥିଲେ। ପିକ୍‌ନିକ୍‌ ଚାଲିଥିବା ସମୟରେ ସାଙ୍ଗମାନଙ୍କ ସହ ମୋମିନ ଗାଧୋଇବାକୁ ଯାଇଥିଲେ। ସେତେବେଳେ ପାଣିର ସୁଅ ଅଧିକ ଥିବାରୁ ମୋମିନ୍‌ ନିଜ ଉପରେ ଭାରସାମ୍ୟ ରକ୍ଷା କରି ପାରି ନଥିଲେ କି ପହଁରା ବି ଶିଖି ନଥିଲେ। ଫଳରେ ପାଣିରେ ବୁଡି ଯାଇଥିଲେ। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ଅଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ବୋଲି ବାଣି ପୁଲିସ ଷ୍ଟେସନ୍‌ ପକ୍ଷରୁ ପ୍ରକାଶ।

ମୃତ ମୋମିନ୍‌ଙ୍କ ଶବକୁ ଉଦ୍ଧାର କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ଏହା ଏକ ଦୁର୍ଘଟଣାବଶତଃ ମୃତ୍ୟୁ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର