ସରିଲା ପିଠା ଯୋଜନା ପୁଣି ଅପେକ୍ଷା ଆସନ୍ତା ୧୫କୁ, ଯୋଜନାରୁ ବାଦ୍‌ ପଡ଼ିଥିବା ହିତାଧୀକାରୀଙ୍କୁ ମିଳିବ ସୁଯୋଗ

ଭୁବନେଶ୍ୱର: ଗତ ପାଞ୍ଚ ଦିନ ଧରି ରାଜ୍ୟର ପ୍ରତି ପଞ୍ଚାୟତରେ ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାରେ ପିଠା କାର୍ଯ୍ୟକ୍ରମ ଚାଲିଥିଲା । ଗୁରୁବାର ତାହା ଉଦଯାପିତ ହୋଇଛି । ପୁଣି ଆସନ୍ତା ମାସ ୧୫ରୁ ୨୦ ତାରିଖ ଯାଏଁ ପ୍ରତି ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଚାଲିବ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ବାଦ ପଡିଥିବା ହିତାଧିକାରୀ ପିଠା କ୍ୟାମ୍ପକୁ ଆସି ସରକାରୀ ସୁବିଧାର ଲାଭ ଉଠାଉଛନ୍ତି । ଏହାରି ଭିତରେ ସାରା ଓଡିଶା ପିଠା ଖାଇଛି।

ରାଜ୍ୟର ପ୍ରତି ପଞ୍ଚାୟତରେ ଚାଲିଲା ପିଠାଖିଆ । ପାଞ୍ଚ ଦିନ ଧରି ନେତା ଜନତାଙ୍କୁ ପିଠା ବାଣ୍ଟିଛନ୍ତି। ଆଉ ଶେଷ ଦିନରେ ଜମିଛି ଭୋଜିଭାତର ଆସର । ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ଗାଁ ଆମ ବିକାଶ ଯୋଜନାରେ ଆରମ୍ଭ ହୋଇଥିବା ପିଠା କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ପୁଣି ଆସନ୍ତା ମାସ ୧୫ରୁ ୨୦ ତାରିଖ ଯାଏଁ ପ୍ରତି ପଂଚାୟତରେ ପିଠା କ୍ୟାମ୍ପ ଖୋଲିବ।

ହାତ ପାଆନ୍ତାରେ ସରକାରୀ ସୁବିଧା ମିଳିଛି । ସରକାରୀ ଯୋଜନାରୁ ବାଦ୍‌ ପଡିଥିବା ହିତାଧୀକାରୀ ଲାଭ ପାଇଛନ୍ତି। କିଏ ବାର୍ଦ୍ଧକ୍ୟ ଭତା ପାଇଛି ତ ଆଉ କାହା ଘରକୁ ବିଜୁଳି ପହଁଚିଛି । କିଏ ପୁଣି ପାଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ । ଗତ ୫ ଦିନ ମଧ୍ୟରେ ପଂଚାୟତ ସ୍ତରରେ କ୍ୟାମ୍ପ ଖୋଲାଯାଇ ଲୋକଙ୍କୁ ସରକାରୀ ସୁବିଧା ପ୍ରଦାନ କରାଯାଇଛି । ମଧୁବାବୁ ପେନସନ ଯୋଜନା, ମୁଖ୍ୟମନ୍ତ୍ରୀ କଳାକାର ଯୋଜନା, ବିଜୁ ପକ୍କା ଘର ଏବଂ ମିଶନ ଶକ୍ତି ଭଳି ୧୨ ଟି ଯୋଜନାର ସିଧାସଳଖ ଲାଭ ପାଇଛନ୍ତି ହିତାଧିକାରୀ ।

ପିପୁଲ୍‌ସ ଏମପାୱାରମେଣ୍ଟ ଏନାବ୍ଲିଂ ଟ୍ରାନ୍‌ସପରେନ୍‌ସି ଆଣ୍ଡ ଆକାଉଂଟେବିଲିଟି-ପିଠା । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି, ସରକାରୀ ଯୋଜନାଗୁଡିକର ପାରଦର୍ଶିତା ବୃଦ୍ଧି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସର୍ମ୍ପକରେ ଲୋକଙ୍କୁ ଅବଗତ କରିବା ଏବଂ ହିତାଧିକାରୀଙ୍କୁ ସମସ୍ତ ସରକାରୀ ଯୋଜନାର ଫାଇଦା ଦେବା । ତେବେ ଏହି ଯୋଜନାକୁ ପିଠା ନୁହେଁ ପିଟା ଯୋଜନା ବୋଲି କହିଛି କଂଗ୍ରେସ ।

ପ୍ରତି ମାସ ୧୫ରୁ ୨୦ ତାରିଖ ଯାଏଁ, ପ୍ରତି ପଂଚାୟତରେ କ୍ୟାମ୍ପ ଖୋଲାଯିବ । ଏପରିକି ବ୍ଳକ ସ୍ତରରେ ଗୋଟିଏ ପଂଚାୟତକୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୫ଲକ୍ଷ ଟଙ୍କା ପୁରସ୍କାର ଦିଆଯିବାକୁ ବ୍ୟବସ୍ଥା ହୋଇଛି । ସେହିପରି ଜିଲ୍ଲା ଓ ରାଜ୍ୟ ସ୍ତରରେ ମଧ୍ୟ ପଂଚାୟତକୁ ପୁରସ୍କାର ଦିଆଯିବ ।

ସମ୍ବନ୍ଧିତ ଖବର