ଓଡ଼ିଶାରେ ଦିନକୁ ଲକ୍ଷେ ଟେଷ୍ଟ କରାଯିବାକୁ ଯୋଜନା

ଭୁବନେଶ୍ୱର : ରାଜ୍ୟରେ ବଢିବ ଦୈନିକ କରୋନା ଟେଷ୍ଟିଂ ସଂଖ୍ୟା । ଦୈନିକ ୧ ଲକ୍ଷ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଆଗାମୀ ଅଗଷ୍ଟ ୨୦ ସୁଦ୍ଧା ଦିନକୁ ୫୦ ହଜାର ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ପରବର୍ତ୍ତୀ ସମୟରେ ଏହାକୁ ୧ ଲକ୍ଷ କରାଯିବ ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଏଲଏସର ନିର୍ଦ୍ଦେଶକ ଡ.ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦିନରେ ରାଜ୍ୟରେ ଦୈନିକ ଏକ ଲକ୍ଷ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାରେ କରୋନା ସଂକ୍ରମଣ ଶିଖର ଆଡ଼କୁ ଗତି କରୁଛି ତେଣୁ ଟେଷ୍ଟି ଓ ଟ୍ରେସିଂ ଉପରେ ଗୁରୁତ୍ବ ଦିଆଯିବ।

ଡ. ପରିଡ଼ା କହିଛନ୍ତି, ରାଜ୍ୟରେ ଟେଷ୍ଟିଂ ଓ ଟ୍ରେସିଂକୁ ଗୁରୁତ୍ୱ ଦିଆଯାଉଛି । ଦିନକରେ ଲକ୍ଷେ ଟେଷ୍ଟିଂ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହା ଦ୍ୱାରା ଶୀଘ୍ର ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ଆଇସୋଲେଟ କରାଯାଇପାରିବ । ବର୍ତ୍ତମାନ ରାପିଡ ଆଣ୍ଟିଜେନ୍ ଟେଷ୍ଟକୁ ଗୁରୁତ୍ୱ ଦିଆଯାଉଛି । ଏବେ ଅଧିକାଂଶ କମ୍ପାନୀ କିଟ୍ ପ୍ରସ୍ତୁତ କରୁଥିବାରୁ କିଟର ଅଭାବ ରହିବ ନାହିଁ ।

ଅନ୍ୟପକ୍ଷରେ ଓଡ଼ିଶାରେ କରୋନା ମୁକାବିଲା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲା କଟକ, ସୁନ୍ଦରଗଡ଼, ଖୋର୍ଦ୍ଧା ଓ ଯାଜପୁର ଉପରେ ଅଧିକ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର