ଭୁବନେଶ୍ବର: ଏପ୍ରିଲ୍ ୧୦, ୨୦୨୩। ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜିଟାଲ୍ ପ୍ଲାଟ୍ଫର୍ମରେ କ୍ୟାବିନେଟ୍ ବୈଠକ ଡାକିଲେ। ଏଥିରେ ୬ଟି ପ୍ରସ୍ତାବ ଅନୁମୋଦନ ପାଇଥିଲେ ବି ମୁଖ୍ୟ ପ୍ରସ୍ତାବ ଥିଲା ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ର ଗଠନ। ସରକାରଙ୍କ ପକ୍ଷରୁ କୁହାଗଲା ଯେ, ‘ବହୁ ସଂଖ୍ୟାରେ ଓଡ଼ିଆ ଦେଶ ବିଦେଶରେ ବିଭିନ୍ନ ବୃତ୍ତିରେ କାର୍ଯ୍ୟ କରୁଛନ୍ତି। ସେମାନେ ଓଡ଼ିଶାର ଅଭିବୃଦ୍ଧି କାହାଣୀରେ ଏକ ଭୂମିକା ନେବାକୁ ଚାହାନ୍ତି। ଦେଶ ତଥା ସାରା ବିଶ୍ବରେ ପ୍ରବାସୀ ଓଡ଼ିଶାବାସୀଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ଗଠନ ହେଉଛି ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’। ପ୍ରବାସୀ ଓଡ଼ିଆଙ୍କ ଜ୍ଞାନ, କୌଶଳ ତଥା ବିଶ୍ବସ୍ତରୀୟ ଉପସ୍ଥିତିକୁ ଓଡ଼ିଶାର ଅଗ୍ରଗତିରେ ନିୟୋଜିତ କରିବା ସହ ସେମାନେ ସାମ୍ନା କରୁଥିବା ଅସୁବିଧାର ସମାଧାନ ପାଇଁ ନିର୍ଦ୍ଦେଶାଳୟ ଉଦ୍ୟମ କରିବ।’ ଏହା ମଧ୍ୟରେ ପାଖାପାଖି ୫ ମାସ ହୋଇଗଲା, କିନ୍ତୁ ଏହି ନିର୍ଦ୍ଦେଶାଳୟର ରୂପରେଖ, କାର୍ଯ୍ୟାଳୟ, ଏହାର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ କେହି କିଛି ଜାଣିପାରୁ ନାହାନ୍ତି। ସଂସ୍କୃତି ବିଭାଗର ପୂର୍ବର ତିନିଟି ଘୋଷିତ ନିର୍ଦ୍ଦେଶାଳୟ ପରି ଏହା ବି ଅଧପନ୍ତରିଆ ଭାବେ ପଡ଼ି ରହିଛି।
ନିର୍ଦ୍ଦେଶାଳୟ ଘୋଷଣା ହେବାର କିଛି ଦିନ ପରେ ସଂସ୍କୃତି ନିର୍ଦ୍ଦେଶକଙ୍କୁ ଏହାର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଗଲା। ଏତିକିରେ ଅଟକିଗଲା ନିର୍ଦ୍ଦେଶାଳୟ ଗଠନ କାର୍ଯ୍ୟ। ଏହି ବିଭାଗର ଅସ୍ତିତ୍ବ ହିଁ ନାହିଁ କହିଲେ ଚଳେ। ଏ ପର୍ଯ୍ୟନ୍ତ କାର୍ଯ୍ୟାଳୟ ଖୋଲିପାରି ନାହିଁ। ଖାରବେଳ ଭବନରେ କାର୍ଯ୍ୟାଳୟ ଖୋଲିବା ପାଇଁ ସ୍ଥିର ହୋଇଥିଲେ ବି ପ୍ରକ୍ରିୟା ଆଗେଇ ନାହିଁ। ନିର୍ଦ୍ଦେଶାଳୟ ପାଇଁ କୌଣସି ବଜେଟ୍ର ବ୍ୟବସ୍ଥା ହୋଇ ନାହିଁ। ଏହାର କର୍ମଚାରୀ ବି କେହି ନାହାନ୍ତି। ସଂସ୍କୃତି ନିର୍ଦ୍ଦେଶକ ସେହି ବିଭାଗର ଆଉ ୩/୪ଟି ପଦବି ପରି ଏହାର ମଧ୍ୟ ଅତିରିକ୍ତ ଦାୟିତ୍ବ ସମ୍ଭାଳୁଛନ୍ତି। ସମ୍ଭବତଃ ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ ଗଠନ ଅତି ଜରୁରୀ ଥିଲା ବୋଲି ମୁଖ୍ୟମନ୍ତ୍ରୀ ବିଦେଶରେ ରହି ବି କ୍ୟାବିନେଟ୍ ଡାକି ଏହାକୁ ଅନୁମୋଦନ କରିଥିଲେ। କିନ୍ତୁ ତାହା ପରେ ନିର୍ଦ୍ଦେଶାଳୟର ବିଧିବଦ୍ଧ ଗଠନ ଏତେ ଧୀମା ପଡ଼ିଯାଇଛି ଯେ ପ୍ରବାସୀଙ୍କ ପ୍ରତି ସରକାରଙ୍କ ଆନ୍ତରିକତା ଧରାପଡ଼ିଯାଉଛି।
ଖାଲି ଏହି ଗୋଟିଏ ନିର୍ଦ୍ଦେଶାଳୟ ନୁହେଁ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ସମସ୍ତ ନିର୍ଦ୍ଦେଶାଳୟ ଓ ଅନୁଷ୍ଠାନର ଭାଗ୍ୟ ଠିକ୍ ଏହିଭଳି। ସେ ‘ସଂଗ୍ରହାଳୟ ନିର୍ଦ୍ଦେଶାଳୟ’ ହେଉ ଅବା ‘ପାଠାଗାର ନିର୍ଦ୍ଦେଶାଳୟ’। ସେ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ହେଉ କି ‘ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର’। ଏହି ସବୁ ଅନୁଷ୍ଠାନକୁ ସଂସ୍କୃତି ବିଭାଗ ଯେମିତି ସ୍ଥାୟୀ ମୁରବିଟିଏ ଦେବାକୁ ଅସମର୍ଥ ହୋଇଛି। କେବଳ ଐତିହ୍ୟ କ୍ୟାବିନେଟ୍ରେ ବଡ଼ ଘୋଷଣା ହେଉଛି ସିନା, କିଛି କାର୍ଯ୍ୟକାରୀ ହେଉନାହିଁ। ରାଜ୍ୟର ବୌଦ୍ଧିକ ସମ୍ପତ୍ତିର ସୁରକ୍ଷା ପାଇଁ ୨୦୨୦ ସେପ୍ଟେମ୍ବରରେ ଘୋଷିତ ‘ସଂଗ୍ରହାଳୟ ନିର୍ଦ୍ଦେଶାଳୟ’ ଓ ୨୦୧୮ ଜୁଲାଇରେ ଐତିହ୍ୟ କ୍ୟାବିନେଟ୍ରେ ଘୋଷଣା କରାଯାଇଥିବା ‘ସର୍ବସାଧାରଣ ପାଠାଗାର ନିର୍ଦ୍ଦେଶାଳୟ’ ବି ଏବେ ଧୂଆଁବାଣ ପାଲଟିଛି। ସଂସ୍କୃତି ନିର୍ଦ୍ଦେଶକଙ୍କୁ ଏହି ନିର୍ଦ୍ଦେଶାଳୟଗୁଡ଼ିକର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇ ନିର୍ଦ୍ଦେଶାଳୟ ଗଠନକୁ ସୀମିତ କରିଦିଆଯାଇଛି। ସେହିପରି ପ୍ରତ୍ନତତ୍ତ୍ବ ନିର୍ଦ୍ଦେଶାଳୟ ଗଠନ ବି ଅଧାରେ ରହିଛି।
ଓଡ଼ିଆ ଭାଷାର ବିକାଶ ପାଇଁ ଗଠନ ହୋଇଥିଲା ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’। ପ୍ରଥମେ ଗଣଶିକ୍ଷା ବିଭାଗ ଓ ପରେ ସଂସ୍କୃତି ବିଭାଗ ଅଧୀନକୁ ଆସିଲା ଏହି ପ୍ରତିଷ୍ଠାନ। ବିଭାଗ ସିନା ବଦଳିଲା, କିନ୍ତୁ ପ୍ରତିଷ୍ଠାନଟି ସେତିକି ଚଳଚଞ୍ଚଳ ହୋଇପାରିଲା ନାହିଁ। ସରକାରୀ କଳରେ ଓଡ଼ିଆ ଭାଷାର ପ୍ରାଞ୍ଜଳ ବ୍ୟବହାର ପାଇଁ ଏହି ପ୍ରତିଷ୍ଠାନର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲେ ବି ଆରମ୍ଭରୁ ଏହା ପ୍ରଭାବୀ ଢଙ୍ଗରେ କାର୍ଯ୍ୟ କରିପାରି ନାହିଁ। ୨୦୨୧ ମସିହାଠାରୁ ଏଠାରେ ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତ ହୋଇନାହାନ୍ତି। ଏଠାରେ ବି ସଂସ୍କୃତି ନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ବରେ ଅଛନ୍ତି। ଓଡ଼ିଶୀ ଗବେଷଣା କେନ୍ଦ୍ରରେ ମୁଖ୍ୟ ନିର୍ବାହୀ ପାଇଁ ସାକ୍ଷାତକାର ଶେଷ (ବକ୍ସ ହେବ) ୨୦୨୨ ଜାନୁଆରି ମାସରୁ ‘ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର’ର ମୁଖ୍ୟ ନିର୍ବାହୀ ପଦବି ଖାଲି ପଡ଼ିଛି। ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଭାରପ୍ରାପ୍ତ ମୁଖ୍ୟ ନିର୍ବାହୀ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି। ଗତ ବର୍ଷ ଠାରୁ ଏହି ପଦବିରେ ନିଯୁକ୍ତି ପାଇଁ କସ୍ରତ ହେଉଥିଲେ ବି ତାହା ଚୂଡ଼ାନ୍ତ ହୋଇପାରୁନି। ମୁଖ୍ୟ ନିର୍ବାହୀ ଚୟନ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ସର୍ଚ୍ଚ କମିଟି ଗଠନ କରାଯାଇଛି। ଏଥିରେ ଗୁରୁ ଅରୁଣା ମହାନ୍ତି, ପ୍ରିୟମ୍ବଦା ମହାନ୍ତି ହେଜମାଦି, ଶ୍ୟାମାମଣି ଦେବୀ ଓ କୀର୍ତ୍ତନ ପାଢ଼ୀ ସଦସ୍ୟ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗତ ୨୫ ତାରିଖରେ ମୁଖ୍ୟ ନିର୍ବାହୀ ପଦବି ପାଇଁ ସାକ୍ଷାତକାର ନିଆଯାଇଥିଲା। ରାଜ୍ୟ ଅତିଥି ଭବନରେ ହୋଇଥିବା ଏହି ସାକ୍ଷାତକାରରେ ୯ ଜଣ ଆବେଦନକାରୀ ଅଂଶଗ୍ରହଣ କରିଥିଲେ। ଏହା ମଧ୍ୟରେ ୧୦ ଦିନ ବିତିଯାଇଥିଲେ ବି ନୂ୍ଆ ମୁଖ୍ୟ ନିର୍ବାହୀଙ୍କ ନାମ ଘୋଷଣା ହୋଇ ନାହିଁ।