ଭୁବନେଶ୍ବର : ଦେଶର ଚାଷୀଙ୍କ ହାରାହାରି ଆୟ ତୁଳନାରେ ଓଡ଼ିଶାର ଚାଷୀଙ୍କ ଆୟ ୨୫ ପ୍ରତିଶତ କମ୍‌। ୨୦୧୭ ବର୍ଷରେ କୃଷିଋଣ ୧୫୦ ପ୍ରତିଶତ ବୃଦ୍ଧି ପାଇ ୪୦ ହଜାର କୋଟିରେ ପହଞ୍ଚିଛି। ଋଣ ପରିଶୋଧ କରିବା ପାଇଁ ଚାଷୀଙ୍କୁ ଜମି ବିକିବାକୁ ପଡ଼ୁଛି। ଫଳରେ ରାଜ୍ୟରେ ନବୀନ ସରକାରଙ୍କ ଶାସନ କାଳରେ ପ୍ରାୟ ୪ ହଜାର ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ।

Advertisment

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ଉପ ସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଉପରୋକ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ସେ କହିଲେ, ନିର୍ବାଚନ ପୂର୍ବରୁ ଚାଷୀଙ୍କ କଟାଘା’ରେ ଚୂନ ଦେବା ପାଇଁ ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତିି। ରାଜ୍ୟ କୃଷି ବଜେଟ୍‌କୁ ସମାଲୋଚନା କରି ସେ କହିଲେ ଯେ ଅନ୍ୟ ରାଜ୍ୟଗୁଡ଼ିକ କୃଷି ବଜେଟ୍‌ ୩୦ ପ୍ରତିଶତ ବୃଦ୍ଧି କରିଥିବା ବେଳେ ନବୀନ ସରକାର ମାତ୍ର ୧୦ ପ୍ରତିଶତ ବଢ଼ାଇଛନ୍ତି। ଜଳସେଚନ ପାଇଁ ବ୍ୟୟ ହାର ମାତ୍ର ୭ ପ୍ରତିଶତ ବୃଦ୍ଧି କରାଯାଇଥିବା ବେଳେ ଅନ୍ୟ ରାଜ୍ୟରେ ୨୧ ପ୍ରତିଶତରୁ ଅଧିକ ବୃଦ୍ଧି କରାଯାଇଛି।

ରାଜ୍ୟ ସରକାରଙ୍କ ଅର୍ଥନୈତିକ ସର୍ଭେର ତଥ୍ୟ ଉପସ୍ଥାପନ କରି ଶ୍ରୀ ଜ୍ଞାନେନ୍ଦ୍ର କହିଲେ, ଜଳସେଚନର ଅଭାବ, ଅର୍ଥାଭାବ, ଧାନଚାଷ ଉପରେ ଅତ୍ୟଧିକ ନିର୍ଭରଶୀଳତା ଓ ଆଧୁନିକ ଜ୍ଞାନକୌଶଳର ଅଭାବ ଯୋଗୁଁ କୃଷି କ୍ଷେତ୍ରରେ ସମସ୍ୟା ଉତ୍କଟ। ଏହାକୁ ଦୃଷ୍ଟିରେ ରଖି ନୂଆ କୃଷି ନୀତି ଜରୁରୀ। ବିଶେଷ କରି ନାମମାତ୍ର ଚାଷୀ, କ୍ଷୁଦ୍ର ଚାଷୀ ତଥା ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି ସମସ୍ୟା ସମାଧାନରେ ଏହା ସହାୟକ ହେବ ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ ଉପସ୍ଥିତ ଥିଲେ।