୧୭୫ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌

କାୟା ମେଲାଉଛି ସାଇବର୍‌ ଅପରାଧ

୮୭୧ ଜଣଙ୍କ ବ୍ୟାଙ୍କ ଖାତାରୁ ୧୦ କୋଟି ଉଭାନ୍‌

ଭୁବନେଶ୍ୱର : ରାଜ୍ୟରେ ସାଇବର୍‌ ଅପରାଧ କାୟା ମେଲାଇବାରେ ଲାଗିଛି। ଓଡ଼ିଶା ପୁଲିସ ନିଜକୁ ଯେତେ ଚାଲାକ୍‌ ଭାବିଲେ ବି ସାଇବର୍‌ ଅପରାଧୀ ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଅପରାଧ କରି ଚାଲିଛନ୍ତି। ସାଇବର୍‌ ସେଲ୍‌ ପ୍ରତିଷ୍ଠା ହେବା ଦିନରୁ ଅପରାଧ କମିବା ବଦଳରେ ବଢ଼ିଚାଲିଛି। ଗତ ତିନି ବର୍ଷରେ ୮୭୧ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୧୦କୋଟି ଉଭାନ୍‌ ହୋଇଗଲାଣି। କେବଳ ଏତିକି ନୁହେଁ ୧୭୫ଜଣ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ୍‌ ହୋଇ ବଜାରରେ ବୁଲୁଥିବା ବେଳେ ପୁଲିସ ସେହିଭଳି ଆଖିଦୃଶିଆ ପଦକ୍ଷେପ ନେବାରେ ଫେଲ୍‌ ମାରିଛି। ଯେଉଁଥିପାଇଁ ଓଡ଼ିଶା ଏବେ ସାଇବର ଅପରାଧୀଙ୍କ ଚରାଭୂଇଁ ପାଲଟିଛି।

ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ ସାଇବର୍‌ ଅପରାଧୀଙ୍କ ଉପରେ ଏମିତି ନଜର ରଖିଛି ଯେ, ସାଇବର୍‌ ଅପରାଧ କ୍ଷେତ୍ରରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ ପାଲଟିଗଲାଣି।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଗୃହକୁ ଯେଉଁ ସୂଚନା ଦେଇଛନ୍ତି , ସେଥିରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ବୟାନ କରୁଛି, ଗତ ତିନି ବର୍ଷରେ (୨୦୧୫ରୁ ଚଳିତବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା) ରାଜ୍ୟରେ ୧୨୬୧ଟି ସାଇବର୍‌ ଅପରାଧ ପଞ୍ଜୀକୃତ ହୋଇଛି। ଏଥିରେ ୨୦୧୫ରେ ୩୫୬ଟି ମାମଲା ରୁଜୁ ହୋଇଥିବାବେଳେ ୨୦୧୬ରେ ୩୪୬ଟି ଏବଂ ଚଳିତବର୍ଷ ସେପ୍ଟେମ୍ବର ୩୦ସୁଦ୍ଧା ୫୫୯ଟି ମାମଲା ରୁଜୁ ହୋଇଛି। ବିଡମ୍ବନାର ବିଷୟ ୨୦୧୭ ସାଇବର୍‌ ଅପରାଧୀଙ୍କ ବର୍ଷ ପାଲଟିଛି। ୨୦୧୬ତୁଳନାରେ ପ୍ରାୟ ୬୨% ଅଧିକ ସାଇବର୍‌ ଅପରାଧ ଚଳିତ ବର୍ଷ ପଞ୍ଜୀକୃତ ହୋଇଛି। ସେହିପରି ବ୍ୟାଙ୍କ ଖାତା, ଏଟିଏମ୍‌ ହ୍ୟାକିଂ କରି ୮୭୧ଜଣଙ୍କ ଠାରୁ ପ୍ରାୟ ୧୦କୋଟି ଲୁଟିନେଲେଣି। ଯେଉଁମାନଙ୍କ ଠାରୁ ଲୁଟ୍‌ ହୋଇଛି ସେମାନଙ୍କୁ ଟଙ୍କା ଫେରସ୍ତ ମିଳିଛି କି ନାହିଁ ଜଣାନାହିଁ। କିନ୍ତୁ ଏହିଭଳି ଲୁଟ୍‌ ବଢ଼ି ଚାଲିଛି। ଗତ ବର୍ଷ ତୁଳନାରେ ୫୯.୪୨% ଅଧିକ ଲୋକ ଅନଲାଇନ୍‌ ଲୁଟ୍‌ର ଶିକାର ହେଲେଣି।

ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ୨୦୧୫ରେ ୨୬୨ଜଣ ସାଇବର ଅପରାଧୀଙ୍କ ଦ୍ୱାରା ହୋଇଥିବା ବ୍ୟାଙ୍କ ଠକେଇରେ ୧କୋଟି ୫୦ଲକ୍ଷ ୨୦ହଜାର ୬୨ଟଙ୍କା ହରାଇଥିବାବେଳେ ୨୦୧୬ରେ ୨୨୭ଜଣଙ୍କର ୩କୋଟି ୩୪ଲକ୍ଷ ୧୫ହଜାର ୨୦୮ଟଙ୍କା ଲୁଟ୍‌ ହୋଇଛି। ଆଉ ସେପ୍ଟେମ୍ବର ୩୦, ୨୦୧୭ସୁଦ୍ଧା ୩୮୨ଜଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୪କୋଟି ୯୯ଲକ୍ଷ ୮୦ହଜାର ୨୬ଟଙ୍କା ଉଭାନ୍‌ ହୋଇଗଲାଣି। ପୁଲିସ ପାଖରେ ଏନେଇ ହୋଇଥିବା ଅଭିଯୋଗରୁ ଏତିକି ତଥ୍ୟ ମିଳିଛି। କିନ୍ତୁ ପୁଲିସ କେତେ ଟଙ୍କା ଆଦାୟ କରିଛି, କେତେ ଜଣଙ୍କୁ ଗିରଫ କରିଛି ତା’ର ସୂଚନା ନାହିଁ।

ସବୁଠୁ ଉଦ୍‌ବେଗର ବିଷୟ ୨୦୧୭ରେ ୯୩ଜଣ ଯୁବତୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତ ଭିଡ଼ିଓ ଭାଇରାଲ୍‌ ହୋଇଛି। ଯାହା ଗତବର୍ଷ ତୁଳନାରେ ୪୩% ଅଧିକ। ୨୦୧୫ରେ ୪୨ଜଣଙ୍କ ଭିଡିଓ ଭାଇରାଲ୍‌ ହୋଇଥିବାବେଳେ, ୨୦୧୬ରେ ୪୦ଜଣଙ୍କର ଏବଂ ୨୦୧୭, ସେପ୍ଟେମ୍ବର ୩୦ସୁଦ୍ଧା ୯୩ଜଣଙ୍କର ଭାଇରାଲ୍‌ ହୋଇଛି। ତଥ୍ୟ କହୁଛି ୩୩ ମାସରେ ୧୭୫ଟି ଅନ୍ତରଙ୍ଗ ମୁହୂର୍ତ୍ତ ଭିଡ଼ିଓ ଭାଇରାଲ୍‌ ହୋଇଛି। କିନ୍ତୁ ବାସ୍ତବତା ହେଲା, ଏହାର ଢେର୍‌ ଗୁଣା ଅଧିକ ଭିଡ଼ିଓ ଏବେ ବଜାରରେ ବୁଲୁଛି। ପୀଡ଼ିତା ଲଜ୍ଜାରେ ପୁଲିସ ପାଖରେ ଅଭିଯୋଗ କରିନଥିବାରୁ ପୁଲିସ ବି ମାମଲା ରୁଜୁ କରିନି। ସାଇବର୍‌ ସେଲ୍‌ କେବଳ ଅଭିଯୋଗ ଆସିଥିବା ଅପରାଧକୁ ପଞ୍ଜୀକୃତ କରିଛି। ନିଜ ଆଡ଼ୁ ପୀଡ଼ିତାକୁ ଖୋଜିବା ଏବଂ ଅପରାଧ ଉପରେ ରୋକ୍‌ ଲଗାଇବା ନେଇ ପଦକ୍ଷେପ ନ ନେବା ସାଇବର୍‌ ସେଲ୍‌ର ଦକ୍ଷତାକୁ ପ୍ରମାଣିତ କରିଛି।

ସମ୍ବନ୍ଧିତ ଖବର