ଭୁବନେଶ୍ବର, ୨୩/୨ (ଇମିସ): ବହୁଦିନର ଅନିଶ୍ଚିତତା ଏବଂ ଅସ୍ବାଭାବିକ ସଂଶୟ ଓ ଦ୍ବନ୍ଦ୍ବ ପରେ କଳିଙ୍ଗ ଷ୍ଟାଡିୟମ୍‌କୁ ପୁଣି ଥରେ ଆଇଏସ୍‌ଏଲ୍‌ ଫେରିବାକୁ ଯାଉଛି। ରାଜ୍ୟର ଏକମାତ୍ର ପେସାଦାର ଫୁଟ୍‌ବଲ୍‌ କ୍ଲବ୍ ‘ଓଡ଼ିଶା ଏଫ୍‌ସି’ ମଙ୍ଗଳବାରଠାରୁ ତା’ର ଆଇଏସ୍‌ଏଲ୍‌ ଅଭିଯାନ ଏଠାରେ ଆରମ୍ଭ କରିବ। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ଆଇଲିଗ୍‌ ବିଜେତା ଇଣ୍ଟର କାଶୀ ଦଳକୁ ଭେଟିବ। ଏହି ପ୍ରତୀକ୍ଷିତ ମୁକାବିଲା ରାତି ୭ଟା ୩୦ରୁ ଆରମ୍ଭ ହେବ। ଯାହା ଘରୋଇ ଫୁଟ୍‌ବଲ୍‌ପ୍ରେମୀଙ୍କ ପାଇଁ ଖୁସିର ଖବର ହୋଇଛି। ଆଇଏସଏଲ୍‌ର ପ୍ରଥମ ସପ୍ତାହରେ ଓଡ଼ିଶା ଏଫ୍‌ସି କୌଣସି ମ୍ୟାଚ୍‌ ଖେଳି ନଥିଲା। ଇଣ୍ଟର କାଶୀ ଅନ୍ୟପକ୍ଷରେ ନିଜ ପ୍ରଥମ ସପ୍ତାହର ପ୍ରଥମ ମ୍ୟାଚ୍‌ରେ ସୁପର କପ୍‌ ବିଜେତା ଏଫ୍‌ସି ଗୋଆକୁ ଭେଟିଥିଲା। ଏହି ମ୍ୟାଚ୍‌ରେ ଦମଦାର୍‌ ପ୍ରଦର୍ଶନ କରି ୧-୧ରେ ମ୍ୟାଚ୍‌ ଅମୀମାଂସିତ ରଖିବା ସହ ଏଫ୍‌ସି ଗୋଆକୁ ପଏଣ୍ଟ୍‌ ବାଣ୍ଟିବାକୁ ବାଧ୍ୟ କରିଥିଲା। ଏଣୁ ମଙ୍ଗଳବାର ମ୍ୟାଚ୍‌ ‌ତୀବ୍ର ସଂଘର୍ଷପୂର୍ଣ୍ଣ ଓ ଉତ୍କଣ୍ଠାଭରା ରହିବ ବୋଲି ଆଶା କରାଯାଉଛି। ଇଣ୍ଟର କାଶୀ ଅପେକ୍ଷା ଓଡ଼ିଶା ଏଫ୍‌ସି ପାଇଁ କିନ୍ତୁ ଏହି ମ୍ୟାଚ୍‌ ନୂଆ ପରୀକ୍ଷା ନେଇ ଆସିବ। କାରଣ ଗତ ୧୦ ମାସ ହେବ ଦଳ କୌଣସି ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଫୁଟ୍‌ବଲ୍‌ ଖେଳି ନଥିଲା ବେଳେ ଏହି ମ୍ୟାଚ୍‌ ଲାଗି ପ୍ରସ୍ତୁତି କରିବାକୁ ମାତ୍ର ୬ ଦିନର ସମୟ ପାଇଛି। ଓଡ଼ିଶା ଏଫ୍‌ସି ମଧ୍ୟ ଏକମାତ୍ର ଆଇଏସ୍‌ଏଲ୍‌ ଦଳ ଭାବେ ଏଆଇଏଫ୍ଏଫ୍‌ ସୁପର କପ୍‌ରେ ଅଂଶଗ୍ରହଣ କରି ନଥିଲା।‌ 

Advertisment

ଶେଷ ଦଳ ଭାବେ ୨୦୨୫-୨୬ ଋତୁରେ ଅଂଶଗ୍ରହଣ କରିବା ନିଶ୍ଚିତ କରିଥିଲା। ସେହିଭଳି କଳିଙ୍ଗ ଷ୍ଟାଡିୟମ୍‌ରେ ମ୍ୟାଚ୍ ଖେଳିବା ଓ ଅଭ୍ୟାସ କରିବା ଲାଗି ସରକାରୀ ମଞ୍ଜୁରି ମଧ୍ୟ ଏହି ଦଳକୁ ଗତ ୧୮ ତାରିଖରେ ହିଁ ମିଳିଥିଲା। ମୁଖ୍ୟ ପ୍ରଶିକ୍ଷକ ସର୍ଗିଓ ଲୋବେର ଦଳ ଛାଡ଼ି ଦେଇଥିଲା ବେଳେ ୬ଜଣ ବିଦେଶୀ ଖେଳାଳିଙ୍କ ମଧ୍ୟରୁ ୫ଜଣ ଆଉ ଦଳରେ ନାହାନ୍ତି। ଆମି ରନୱାଡେ, ଜେରି ମାୱିଆ, ଜେରି ଶର୍ଲିନଜୁଲାଙ୍କ ଭଳି ଘରୋଇ ଖେଳାଳି ମଧ୍ୟ ଦଳ ଛାଡ଼ି ଦେଇଛନ୍ତି। ଏଣୁ ଦଳୀୟ ଖେଳାଳିଙ୍କ ମଧ୍ୟରେ ତାଳମେଳ ଓ ସମନ୍ବୟ ମୁଖ୍ୟ ସମସ୍ୟା ହେବାକୁ ଯାଉଛି। ଟିଜି ପୁରୁଷୋଥମନ ଦଳର ନୂଆ ପ୍ରବନ୍ଧକ ଓ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଦଳ ମଧ୍ୟ ୭ଜଣ ନୂଆ ବିଦେଶୀ ଖେଳାଳିଙ୍କୁ ଦଳରେ ସାମିଲ କରିଛି। ଦଳରେ ବହୁ ସମସ୍ୟା ଥିବା ସୋମବାର ପ୍ରାକ୍‌ ମ୍ୟାଚ୍‌ ସାମ୍ବାଦିକ ସମ୍ମିଳନୀରେ ପୁରୁଷୋଥମନ ସ୍ବୀକାର କରିଛନ୍ତି। ତଥାପି ସେମାନେ ଇଣ୍ଟର କାଶୀ ଦଳକୁ କଡ଼ା ଟକ୍କର ଦେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରମୁଖ ଖେଳାଳି କାର୍ଲୋସ୍‌ ଡେଲଗାଡୋ ମଧ୍ୟ ଓଡ଼ିଶା ଏଫ୍‌ସି ବିଜୟରୁ ଅଭିଯାନ ଆରମ୍ଭ କରିବ ବୋଲି ଆଶା ରଖିଛନ୍ତି।