ଭୁବନେଶ୍ବର : ବିବିଧତା ହିଁ ଭାରତୀୟ ସାହିତ୍ୟ ଓ ସଂସ୍କୃତିର ସୌନ୍ଦର୍ଯ୍ୟ ବୋଲି କେନ୍ଦ୍ର ସାହିତ୍ୟ ଏକାଡେମିର ସଭାପତି ତଥା ପ୍ରଖ୍ୟାତ କନ୍ନଡ଼ ସାହିତ୍ୟିକ ଡ. ଚନ୍ଦ୍ରଶେଖର କମ୍ବର କହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବେଙ୍ଗାଲୁରୁସ୍ଥିତ ‘ରବୀନ୍ଦ୍ର କଳାକ୍ଷେତ୍ର’ଠାରେ ଆଜିଠାରୁ ଆୟୋଜିତ ‘ଓଡ଼ିଶା ଉତ୍ସବ’ର ପ୍ରଥମ କାର୍ଯ୍ୟକ୍ରମ ଥିଲା ‘ଓଡ଼ିଶା ସାହିତ୍ୟ ଏକାଡେମି’ର ସାରସ୍ୱତ ସମାରୋହ। ଏଥିରେ ବିଶେଷ ଅତିଥି ଭାବେ ଯୋଗ ଦେଇ ଡ. କମ୍ବର କହିଥିଲେ, କୋଣାର୍କ ମନ୍ଦିର ଓ ଶ୍ରୀଜଗନ୍ନାଥ ବିଶ୍ୱରେ ଓଡ଼ିଶାର ପରିଚୟ ହୋଇଥିଲେ ବି ତା’ର ଆହୁରି ବହୁ ପରିଚୟ ରହିଛି। ଓଡ଼ିଶାର ଲୋକସାହିତ୍ୟ, ବିଶେଷକରି କବି ଜୟଦେବଙ୍କ ରଚିତ ‘ଶ୍ରୀଗୀତଗୋବିନ୍ଦ’ର ସମାନ୍ତରାଳ କୃତି କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ବିରଳ।

Advertisment

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କହିଲେ , ବେଙ୍ଗାଲୁରୁରେ ଆୟୋଜିତ ଏହି ଓଡ଼ିଶା ଉତ୍ସବ ଦ୍ୱାରା ଦୁଇ ରାଜ୍ୟର ସାହିତ୍ୟିକ ଓ ସାଂସ୍କୃତିକ ସମ୍ବନ୍ଧ ଦୃଢ଼ୀଭୂତ ହୋଇପାରିବ। ଏହି ଅବସରରେ ‘ଓଡ଼ିଶା ସାହିତ୍ୟ ଏକାଡେମି’ ଓ ‘କର୍ଣ୍ଣାଟକ ସାହିତ୍ୟ ଏକାଡେମି’ ପକ୍ଷରୁ ପ୍ରକାଶିତ ‘କନ୍ନଡ଼ ଭକ୍ତି କବିତା’ ଓ ‘ଓଡ଼ିଆ ଭକ୍ତି କବିତା’ ପୁସ୍ତକ ଉନ୍ମୋଚିତ ହୋଇଥିଲା।

ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ, ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ବିଶିଷ୍ଟ କନ୍ନଡ଼ ସାହିତ୍ୟିକ ପ୍ରଫେସର ଏଚ୍‍.ଏସ୍‍. ଶିବପ୍ରକାଶ, କର୍ଣ୍ଣାଟକ ସାହିତ୍ୟ ଏକାଡେମିର ସଭାପତି ବି.ଭି. ବସନ୍ତ କୁମାର ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକ ସମାରୋହରେ ପୌରୋହିତ୍ୟ କରିଥିଲେ। ଉପସଭାପତି ସଂଗ୍ରାମ ଜେନା ସମାପନୀ ବକ୍ତବ୍ୟ ରଖିଥିଲେ। ଏକାଡେମିର ସଚିବ ପ୍ରବୋଧ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିଲେ। ଓଡ଼ିଆ କବି ସ୍ୱରଚିତ କବିତା ପାଠ କରିଥିଲେ। କବି ଭଗବାନ ଜୟସିଂହ ଓ କବୀ ମମତା ଦାଶ କବିତା ପାଠୋତ୍ସବରେ ଅତିଥି ଭାବେ ମଞ୍ଚ ଅଳଙ୍କୃତ କରିଥିଲେ। ଶ୍ରୀନିବାସ ଘଟୁଆରୀ ଓଡ଼ିଆରେ ଓ ରାମାୟା ସି.ଆର. କନ୍ନଡ଼ରେ ମଞ୍ଚ ପରିଚାଳନା କରିଥିଲେ। ସନ୍ଧ୍ୟାରେ ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ‘ଚକ୍‌ଲେଟ୍‌ ପ୍ରଡକ୍ସନ୍’ ଦ୍ବାରା ପ୍ରସ୍ତୁତ ଆଧ୍ୟାତ୍ମିକ ନାଟକ ‘ଆହେ ନୀଳଶଇଳ’ ମଞ୍ଚସ୍ଥ ହୋଇଥିଲା।