ଋଣ ଶୁଝୁ ନାହାନ୍ତି ଫିଲ୍ମ ନିର୍ମାତା : ୮୬ ଜଣଙ୍କ ଉପରେ ୮ କୋଟିରୁ ଊର୍ଧ୍ୱ ବାକି 

 ଓଟିଏସ୍‌ ପାଇଁ ପ୍ରସ୍ତାବ ଦେଲା ଓଏଫ୍‌ଡିସି 

ଭୁବନେଶ୍ୱର : ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିସି) ଠାରୁ ଋଣ ନେଇ ବହୁ ପ୍ରଯୋଜକ ଓ ହଲ୍‌ ମାଲିକ ଫେରାଉ ନାହାନ୍ତି। ଯିଏ ବି ଫେରାଉଛନ୍ତି, ଋଣର ପରିମାଣ ତୁଳନାରେ ପରିଶୋଧର ମାତ୍ରା ବହୁତ କମ୍‌। ଫଳରେ ଓଏଫ୍‌ଡିସି ଦେବାଳିଆ ସ୍ଥିତିକୁ ଚାଲିଆସିଛି। ଏହି ଟଙ୍କା ଆଦାୟ ପାଇଁ ଏବେ ମାନସ ମନ୍ଥନ ଆରମ୍ଭ ହୋଇଛି। ଓ୍ଵାନ୍‌ ଟାଇମ୍‌ ସେଟେଲ୍‌ମେଣ୍ଟ୍‌(ଓଟିଏସ୍‌) ମାଧ୍ୟମରେ ଋଣ ଅର୍ଥ ଆଦାୟ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛି ଓଏଫ୍‌ଡିସି। ଏହା ଉପରେ ସରକାରୀ ସ୍ତରରେ ପ୍ରକ୍ରିୟା ବି ଆରମ୍ଭ ହୋଇଯାଇଛି।

ଚଳଚ୍ଚିତ୍ର ପ୍ରଯୋଜକ ଓ ହଲ୍‌ ମାଲିକମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଓଏଫ୍‌ଡିସି ପକ୍ଷରୁ ଋଣ ଓ ସବ୍‌ସିଡିର ବ୍ୟବସ୍ଥା ରହିଛି। ବିଭିନ୍ନ ସମୟରେ ନୂଆ ସିନେମା ହଲ୍‌ ନିର୍ମାଣ, ପୁରୁଣା ହଲ୍‌ର ନବୀକରଣ ପାଇଁ ଋଣ ପ୍ରଦାନ କରାଯାଇଛି। ତାହା ସହ ଓଡ଼ିଆ ସିନେମା ନିର୍ମାଣ ପାଇଁ ପ୍ରଯୋଜକମାନଙ୍କୁ ବିଭିନ୍ନ ସମୟରେ ଟର୍ମ ଲୋନ୍‌, ସଫ୍ଟ ଲୋନ୍‌ ମଧ୍ୟ ପ୍ରଦାନ କରାଯାଏ। ସରକାରଙ୍କ ଠାରୁ ଓଏଫ୍‌ଡିସି କମ୍‌ ସୁଧରେ ଋଣ ଆଣି ପ୍ରଯୋଜକ ଓ ହଲ୍‌ ମାଲିକମାନଙ୍କୁ ଦେଉଥିଲା।

୨୦୧୨ ମସିହା ପର୍ଯ୍ୟନ୍ତ ଋଣ ଦେବା ପ୍ରକ୍ରିୟା ଚାଲିଥିଲା। କିନ୍ତୁ ଋଣ ଆଦାୟ ପ୍ରକ୍ରିୟା ଧୀମା ପଡ଼ିଗଲା। ବହୁ ପ୍ରଯୋଜକ ଋଣ ଅର୍ଥ ଫେରସ୍ତ କଲେ ନାହିଁ। ଫଳରେ ଏମିତି ସମୟ ଆସିଲା, ଆଉ ଓଏଫ୍‌ଡିସି ଋଣ ଦେବା ସ୍ଥିତିରେ ରହିଲାନି। ସରକାର ମଧ୍ୟ ଓଏଫ୍‌ଡିସିକୁ ଆଉ ଏ ବାବଦରେ ଅର୍ଥ ଦେଲେ ନାହିଁ।

ଓଏଫ୍‌ଡିସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏବେ ୮୬ ଜଣଙ୍କ ଠାରୁ ଋଣ ଓ ସୁଧ ମିଶାଇ ୮ କୋଟିରୁ ଅଧିକ ଟଙ୍କା ପାଇବାର ଅଛି। ଏହା ମଧ୍ୟରେ ସୁଧର ପରିମାଣ ପାଖାପାଖି ୪ କୋଟି ଟଙ୍କା। ଯେହେତୁ ଟଙ୍କା ଆଦାୟ ହୋଇପାରୁ ନାହିଁ, ତେଣୁ ଓଏଫ୍‌ଡିସିର ବିଭିନ୍ନ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେଉଛି। ଋଣ ଆଦାୟ ନେଇ ଓଏଫ୍‌ଡିସି ପକ୍ଷରୁ କୌଣସି କଠୋର ପଦକ୍ଷେପ ବି ନିଆଯାଇପାରୁ ନାହିଁ। କେବଳ ବ୍ୟକ୍ତିଗତ ଭାବେ କହିବା, ନୋଟିସ୍‌ ପଠାଇ ତାଗିଦ୍‌ କରିବା ଓ ସାର୍ଟିଫିକେଟ୍‌ କେସ୍‌ ରୁଜୁ କରିବା ଛଡ଼ା ଆଉ କିଛି ଉପାୟ ନାହିଁ। ଏହାକୁ ନଜରରେ ରଖି ଓଏଫ୍‌ଡିସି ପକ୍ଷରୁ ସରକାରଙ୍କୁ ଓଟିଏସ୍‌ ପ୍ରସ୍ତାବ ଦିଆଯାଇଛି। ସରକାର ସୁଧ ବାବଦକୁ ୭୦ ପ୍ରତିଶତ ଛାଡ଼ କରିଦେଲେ ମୂଳ ଅର୍ଥ ଆଦାୟ କରିବା ସହଜ ହେବ ବୋଲି କୁହାଯାଇଛି।

ଓଏଫ୍‌ଡିସି ଠାରୁ ପ୍ରସ୍ତାବ ମିଳିଲା ପରେ ଶିଳ୍ପ ବିଭାଗ ପକ୍ଷରୁ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ୪ ତାରିଖରେ ବିଭାଗ ପକ୍ଷରୁ ଓଏଫ୍‌ଡିସିକୁ ଏକ ପତ୍ର ଲେଖାଯାଇ ଋଣ ସଂକ୍ରାନ୍ତୀୟ ସମସ୍ତ ବିବରଣୀ ମଗାଯାଇଛି। ଏଥିରେ ଓଟିଏସ୍‌ ଯୋଜନାର ପ୍ରସ୍ତାବ କାହିଁକି ଦିଆଗଲା ଓ ପୂର୍ବରୁ ଋଣ ଆଦାୟ କରିବା ପାଇଁ କି କି ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ମଧ୍ୟ ବିଭାଗ ସ୍ପଷ୍ଟୀକରଣ ଲୋଡ଼ିଛି। ଋଣଗ୍ରହୀତାଙ୍କ ଆର୍ଥିକ ସ୍ଥିତି, ଏ ସଂକ୍ରାନ୍ତୀୟ ମାମଲା, ବ୍ୟାଙ୍କ ଗ୍ୟାରେଣ୍ଟି ନିଆଯାଇଛି କି ନାହିଁ ଆଦି ସବୁ ତଥ୍ୟ ଦେବାକୁ କୁହାଯାଇଛି।

ପୂର୍ବରୁ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ ଓଏଫ୍‌ଡିସି ପକ୍ଷରୁ ସବ୍‌ସିଡିର ବ୍ୟବସ୍ଥା ଥିଲା। କଳିଙ୍ଗ ଷ୍ଟୁଡିଓରେ ଫିଲ୍ମ ନିର୍ମାଣ କଲେ ହିଁ ଏହି ସବ୍‌ସିଡି ମିଳୁଥିଲା। ଏ ବାବଦକୁ ଜଣେ ପ୍ରଯୋଜକଙ୍କୁ ସାଢ଼େ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ଦିଆଯାଉଥିଲା। କଳିଙ୍ଗ ଷ୍ଟୁଡିଓ ବିପର୍ଯ୍ୟସ୍ତ ଓ ସୁଟିଂ ଅନୁପଯୋଗୀ ହେଲା ପରେ ପ୍ରଯୋଜକମାନେ ସେଠାକୁ ଗଲେ ନାହିଁ। ଫଳରେ ଏବେ ସବ୍‌ସିଡି ପ୍ରଦାନ ବନ୍ଦ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଓଏଫ୍‌ଡିସିର ଓଟିଏସ୍‌ ଯୋଜନା ପ୍ରସ୍ତାବକୁ ସରକାରୀ ସ୍ତରରେ ସବୁଜ ସଙ୍କେତ ମିଳିଛି। ବିଧିବଦ୍ଧ ପ୍ରକ୍ରିୟା ଶେଷ ହେଲା ପରେ ଖୁବ୍‌ ଶୀଘ୍ର ଏ ନେଇ ଘୋଷଣା କରାଯିବ। ସେହିପରି ଯୁଦ୍ଧକାଳୀନ ଭିତ୍ତିରେ କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର ଚାଲିଥିବାରୁ ସେଠାରେ ସୁଟିଂ ଆରମ୍ଭ ହେଲା ପରେ ପୁଣି ସବ୍‌ସିଡି ପ୍ରଦାନ ଆରମ୍ଭ ହେବାର ସମ୍ଭାବନା ରହିଛି।

ଓଏଫ୍‌ଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି, ଏହି ନିଗମ ଏକ ଲାଭଜନକ ସଂସ୍ଥା ନୁହେଁ। ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ଏହାର ଗଠନ କରାଯାଇଛି। ଓଟିଏସ୍‌ ଯୋଜନା ଲାଗୁ ହେଲେ ଋଣ ଅର୍ଥ ଆଦାୟ କରିବା ସହଜ ହେବ ଓ ଏ ସଂକ୍ରାନ୍ତୀୟ ବିଭିନ୍ନ ମାମଲାରେ ଆଉ ଅଯଥା ସମୟ ଦେବାକୁ ପଡ଼ିବ ନାହିଁ। ଶିଳ୍ପ ବିଭାଗ ପକ୍ଷରୁ ମଗାଯାଇଥିବା ସମସ୍ତ ତଥ୍ୟ ଚଳିତ ସପ୍ତାହରେ ହିଁ ପ୍ରଦାନ କରାଯିବ। କଳିଙ୍ଗ ଷ୍ଟୁଡିଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ଵିତ ହୋଇଛି। ନିଗମକୁ ଚଳଚଞ୍ଚଳ କରିବା ପାଇଁ ସରକାର ସବୁ ପ୍ରକାର ସହଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର