ପଶ୍ଚିମବଙ୍ଗରେ ରାସ୍ତାଘାଟ ସଫା କରୁଛନ୍ତି ଅଗ୍ନିଶମ ବାହିନୀ, ଓଡ୍ରାଫ୍

ମୁଖ୍ୟମନ୍ତ୍ରୀ, ଡିଜିପି, କୋଲକାତା କମିସନରେଟ ପୁଲିସର ପ୍ରଶଂସା

ଭୁବନେଶ୍ବର : ପ୍ରଳୟଙ୍କରୀ ବାତ୍ୟା ‘ଅମ୍ଫାନ’ରେ ମାଡ଼ରେ ଦୋହଲି ଯାଇଛି ପଶ୍ଚିମବଙ୍ଗ। ବିଶାଳକାୟ ଗଛ ଭାଙ୍ଗି କେଉଁଠି ରାସ୍ତାରେ ପଡ଼ିଛି ତ ଆଉ କେଉଁଠି ଘର ଉପରେ। ଏପରିକି ବିଭିନ୍ନ ଅଞ୍ଚଳକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ। ଏଭ​ଳି ସ୍ଥିତିରେ ସହାୟତାର ହାତ ବଢାଇଛି ଓଡ଼ିଶା। ଓଡ଼ିଶା ଅଗ୍ନିଶମ ବାହିନୀର ଏବଂ ଓଡ୍ରାଫ୍‌ର ପ୍ରାୟ ୩୦ଟି ଟିମ୍ ପଶ୍ଚିମବଙ୍ଗରେ ପହଞ୍ଚି ଲାଗି ପଡ଼ିଛନ୍ତି ଅପରେସନରେ। ଦିନରାତି ଏକ କରି ରାସ୍ତାରେ ପଡ଼ି ରହିଥିବା ବିଶାଳକାୟ ଗଛ କାଟି ସଫା କରୁଛନ୍ତି। ଏଭଳି କାର୍ଯ୍ୟ ଲାଗି ଓଡ଼ିଶାଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ପ୍ରଶଂସାର ସୁଅ ଛୁଟିଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହେବା ପରେ ଗତ ୨୩ ତାରିଖରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫର ୫ ଶହ ଜଣିଆ ଦଳ ପଶ୍ଚିମବଙ୍ଗ ଯାତ୍ରା କରିଥିଲେ। ୨୪ ତାରିଖଠାରୁ ପ୍ରାୟ ୫୦ଟି ଟିମରେ ଭାଗ ହୋଇ ମାରାଥନ୍ କାମ କରୁଛନ୍ତି। ହାୱଡ଼ାର କେତେକ ଅଞ୍ଚଳ, ହାୱଡ଼ା ଜିଲ୍ଲା ହସ୍ପିଟାଲ, ଶ୍ୟାମ ବଜାର ଷ୍ଟ୍ରିଟ୍, ସଲ୍ଟ ଲେକ୍ ଅଞ୍ଚଳ, କୋଲକାତାର ଆର୍.ଏନ୍ ମୁଖାର୍ଜୀ ରୋଡ୍, କୋଲକାତା ପୁଲିସ ମୁଖାଳୟ, ବିଧାନସରଣୀ, ସି.ଆର ଏଭିନ୍ୟୁ, ସୂର୍ଯ୍ୟ ସେନ୍ ଷ୍ଟ୍ରିଟ୍, ହଗ୍ ଷ୍ଟ୍ରିଟ୍, ଓଜେସି ବୋଷ୍ ରୋଡ୍, ଡାଏମଣ୍ଡ ହାର୍ବର ରୋଡ୍, ଡାଏମଣ୍ଡ ପାର୍କ ଆଦି ଅଞ୍ଚଳରେ ସଫେଇ କାମ ଚାଲିଛି। ବିଭିନ୍ନ ରାସ୍ତାଘାଟ ସମେତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ, ବଡ଼ ଅଟ୍ଟାଳିକା, ଆପାର୍ଟମେଣ୍ଟ, ମାର୍କେଟ ଅଞ୍ଚଳରେ ସଫେଇ କରୁଛନ୍ତି ଅଗ୍ନିଶମ ଟିମ୍। ଅନ୍ୟପକ୍ଷରେ ଓଡ୍ରାଫ୍ ଟିମ୍ ପଶ୍ଚିମବଙ୍ଗରେ ଗ୍ରାମାଞ୍ଚଳରେ କାମ କରୁଥିବା ସୂଚନା ମିଳିଛି।

ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀଙ୍କ ସୂଚନା ଅନୁସାରେ, ଅଗ୍ନିଶମ ବାହିନୀର ୩୭୧ ଜଣିଆ ଟିମ୍ ଯାଇଛି। ୧୨ ଜଣ ସୁପରଭାଇଜିଂ ଅଫିସର ରହିଥିବା ବେଳେ ମୁଖ୍ୟ ଅଗ୍ନିଶମ ଅଧିକାରୀ ମହେଶ୍ବର ସ୍ବାଇଁ ପୂରା ଟିମ୍‌ର ନେତୃତ୍ବ ନେଉଛନ୍ତି।

କୋଲକାତା ଓ ପଶ୍ଚିମବଙ୍ଗ ଲାଇଫ୍‌ଲାଇନ୍‌କୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବା ଲାଗି ଦିନରାତି କାମ କରୁଥିବାରୁ କୋଲକାତା କମିସନରେଟ ପୁଲିସ ପକ୍ଷରୁ ବେଶ୍ ପ୍ରଶଂସା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୁଲିସ ଡିଜି ମଧ୍ୟ ଟ୍ବିଟ୍ ମାଧ୍ୟମରେ ପ୍ରଶଂସା କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୮ରେ କେରଳରେ ପ୍ରଳୟଙ୍କରୀ ବନ୍ୟାରେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ଉଦାହରଣ ପାଲଟିଥିଲା।

ସମ୍ବନ୍ଧିତ ଖବର