କଟକ : ରାଜ୍ୟ ଅଗ୍ନିଶମ ବିଭାଗର ଫାୟାର ମ୍ୟାନଙ୍କଠାରୁ ଆସିଷ୍ଟାଣ୍ଟ ଫାୟାର ଅଫିସର୍ଙ୍କ ପର୍ଯ୍ୟନ୍ତ କର୍ମଚାରୀ ଓ ଅଧିକାରୀଙ୍କ ଭତ୍ତା ବଢିିଲା ନାହିଁ । ଏହି ଦାବି ନେଇ କର୍ମଚାରୀମାନେ ପୂର୍ବରୁ ଧାରଣାରେ ବସିଥିଲେ ସୁଦ୍ଧା କୌଣସି ପଦକ୍ଷେପ ରାଜ୍ୟ ସରକାର ଗ୍ରହଣ କଲେ ନାହିଁ। ଫଳରେ ଆସନ୍ତା ଜୁଲାଇ ୧୦ ତାରିଖରୁ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଘୋଷଣା କରିଛନ୍ତି। ଓଡ଼ିଶା ଅଗ୍ନିଶମ ବିଭାଗର ଅଫିସର ସଂଘ ପକ୍ଷରୁ ୧୦ ଦଫା ଦାବି ପୂରଣ ପାଇଁ ରାଜ୍ୟରେ ୩୪୦ଟି ଅଗ୍ନିଶମ କେନ୍ଦ୍ରର ପାଞ୍ଚ ହଜାର ଅଗ୍ନିଶମ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଆନ୍ଦୋଳନରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି ।
ସୂଚନା ଅନୁଯାୟୀ, ୧୯୪୪ ମସିହାଠାରୁ ୨୦୧୦ ପର୍ଯ୍ୟନ୍ତ ସମାନ ଢଂଗରେ ଓଡ଼ିଶା ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଦରମା ଓ ଭତ୍ତା ପାଉଥିଲେ। ରାଜ୍ୟ ସରକାର ୨୦୧୦ ମସିହାଠାରୁ ଗ୍ରେଡ୍ ପେ’ ବାବଦ ପୁଲିସ କନେଷ୍ଟବଳଙ୍କୁ ଅତିରିକ୍ତ ୧୦୦ ଟଙ୍କା ଏବଂ ହାବିଲ୍ଦାରଙ୍କୁ ୨୦୦ ଟଙ୍କା ଏବଂ ଏଏସ୍ଆଇଙ୍କୁ ୪୦୦ ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ଅଗ୍ନିଶମ ବିଭାଗରେ କାର୍ଯ୍ୟ କରୁଥିବା ଫାୟାର ମ୍ୟାନ୍ ପଦବିରୁ ଆସିଷ୍ଟାଣ୍ଟ ଫାୟାର ଅଫିସର୍ ପଦବି ପର୍ଯ୍ୟନ୍ତ କାର୍ଯ୍ୟରତ କର୍ମଚାରୀଙ୍କୁ ଏହା ପ୍ରଦାନ କରାଗଲା ନାହିଁ। ୨୦୧୬ ନଭେମ୍ବର ୧୧ ତାରିଖରେ ଫିଟ୍ମେଣ୍ଟ କମିଟିଠାରୁ ଆରମ୍ଭ କରି ଗୃହ ବିଭାଗ ଏବଂ ଅର୍ଥ ବିଭାଗକୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା । କିନ୍ତୁ କେହି ନଶୁଣିବାରୁ ପ୍ରତିବାଦ ସ୍ୱରୂପ ୨୦୧୭ ଅକ୍ଟୋବର ୧୭ ତାରିଖରୁ ଏକ ସପ୍ତାହ ପର୍ଯ୍ୟନ୍ତ ଅଗ୍ନିଶମ କର୍ମଚାରୀ କଳାବ୍ୟାଜ୍ ପିନ୍ଧିିଥିଲେ। ସେହି ମାସ ୩୦ ତାରିଖରେ ଅଗ୍ନିଶମ ମହାନିର୍ଦ୍ଦେଶକ ଦରମା ଓ ଭତ୍ତା ସମ୍ବନ୍ଧରେ ଉଚ୍ଚ ପଦାଧିକାରୀଙ୍କ ନିକଟରେ ଜଣାଇବା ପାଇଁ ଏକ କମିଟି ଗଠନ କରିବାକୁ ଆଦେଶ ଦେଇଥିଲେ । ଏହି କମିିଟିର ସଭ୍ୟମାନେ ଉଭୟ ଗୃହ ଓ ଅର୍ଥ ବିଭାଗ ନିକଟରେ ଅବଗତ କରାଇଥିଲେ ସୁଦ୍ଧା କୌଣସି ସୁଫଳ ନମିଳିବାରୁ ଆସନ୍ତା ଜୁଲାଇ ୧୦ ତାରିଖରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ଅଗ୍ନିଶମ ବିଭାଗର ଅଫିସର ସଂଘର ସଭାପତି ଅବନି କୁମାର ସ୍ୱାଇଁ, ସମ୍ପାଦକ ରାଜକିଶୋର ଜେନା ଏବଂ ଅନ୍ୟ ସଦସ୍ୟମାନେ ଗତକାଲି ରାଜ୍ୟ ଗୃହ ବିଭାଗ ଅତିରିକ୍ତ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ ଭେଟି ଦାବି ସମ୍ପର୍କରେ ଅବଗତ କରାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/fire.jpg)