ଟଙ୍କା ନଦେଲେ ଦମକଳ ଆସିବନି!

ସରକାର କଷିଲେ ଅଗ୍ନିଶମ କର

ଓଡ଼ିଶାରେ ପ୍ରଥମ

ଅନୁଗୁଳ : ଏଣିକି ଦମକଳ ବାହିନୀଠୁ ଅଗ୍ନି ନିରାପତ୍ତା ଅନୁମତି ଲୋଡ଼ିଲେ ଆଗୁଆ ଗଣିବାକୁ ପଡ଼ିବ କର। ମିଟର ପିଛା ପୈଠ କରିବାକୁ ହେବ ୨ ଟଙ୍କା। ମେଳା, ମହୋତ୍ସବ ପରିସୀମା ଯେତିକି ବଡ଼ ଓ ଗହଳ ହେବ ସେହି ଅନୁସାରେ ଦମକଳ କର ପରିମାଣ ବି ବଢ଼ିବ। ଆଗରୁ ମେଳା ମହୋତ୍ସବରେ ଯେଉଁସବୁ ମାଗଣା ଦମକଳ ସେବା ଯୋଗାଇ ଦିଆଯାଉଥିଲା ତାକୁ ସରକାର ବନ୍ଦ କରି ଦମକଳ କର ସେବା ଲାଗୁ କରିଛନ୍ତି। ନିକଟରେ ‘ଓଡ଼ିଶା ଫାୟାର ପ୍ରିଭେନ୍‌ସନ ଆଣ୍ଡ୍‌ ଫାୟାର୍‌ ସର୍ଭିସ୍‌ ରୁଲ୍‌ସ-୨୦୧୭’ ନାମକ ନୂଆ ନିୟମ ଲାଗୁ କରି ରାଜ୍ୟବାସୀଙ୍କ ମୁଣ୍ଡରେ ପ୍ରଥମ ଥର ପାଇଁ ଏହାର ଭାର ଲଦିଛନ୍ତି।

ଉଲ୍ଲେଖଯୋଗ୍ୟ, ସହର ହେଉ କି, ଗାଁ ଯେକୌଣସି ସ୍ଥାନରେ ମେଳା, ମହୋତ୍ସବ, ପର୍ବପର୍ବାଣୀ ଆଦି ସାମୂହିକ ପର୍ବରେ ଅଗ୍ନି ନିରାପତ୍ତା ଅନୁମତି ଲୋଡ଼ାଯାଏ। ସ୍ଥାନୀୟ ଦମକଳ କେନ୍ଦ୍ର ଏଥିପାଇଁ ବିଭିନ୍ନ ପରାମର୍ଶ ଦିଏ। ମହୋତ୍ସବରେ ଅଗ୍ନି ନିରାପତ୍ତା ସୁବ୍ୟବସ୍ଥା ଥିଲେ ଅନୁମତି ପ୍ରମାଣପତ୍ର ଦିଏ। ଏଥିପାଇଁ କେବେ କୌଣସି କର ବ୍ୟବସ୍ଥା ହୋଇ ନ ଥିଲା। ଦମକଳ ବିଭାଗ ସବୁ ମାଗଣା ସେବା ଯୋଗାଉଥିଲା। ଏବେ କିନ୍ତୁ ସରକାର ନୂଆ ଆଇନ୍‌ ଖଞ୍ଜି ମେଳା ମହୋତ୍ସବରେ ମାଗଣା ଦମକଳ ସେବାକୁ ବନ୍ଦ କରିଛନ୍ତି। ଅନୁମତି ପୂର୍ବରୁ ଆୟୋଜକଙ୍କ ମୁଣ୍ଡରେ ଦମକଳ କର ଲଦିଛନ୍ତି।

ନୂଆ ଆଇନ୍‌ ମୁତାବକ, ମହୋତ୍ସବ ଅଞ୍ଚଳ ୧୦୦୦ ବର୍ଗ ମିଟର ପରିସୀମାରେ ସୀମିତ ରହିଲେ ତାକୁ ଛାଡ଼ କରାଯାଇଛି ସତ, କିନ୍ତୁ କ୍ଷେତ୍ରଫଳ ୨ହଜାର ବର୍ଗ ମିଟରକୁ ଡେଇଁଲେ ମିଟର ପିଛା ୨ଟଙ୍କାର କର ସରକାର କଷିଛନ୍ତି। ଅର୍ଥାତ୍‌ କୌଣସି ଯାତ୍ରା ପଡ଼ିଆର ପରିସୀମା ଯଦି ୧୦ହଜାର ବର୍ଗମିଟର ହୁଏ ତେବେ ଆୟୋଜକଙ୍କୁ ୨୦ହଜାର ଟଙ୍କାର କର ସରକାରୀ ରାଜକୋଷକୁ ଦେବାକୁ ପଡ଼ିବ। ତାହା ପୁଣି ମହୋତ୍ସବ ଆୟୋଜନ ପୂର୍ବରୁ ଟଙ୍କା ପୈଠ ନକଲେ ଅନୁମତି ନ ଦେବାକୁ ସଫାସଫା ମନା କରାଯାଇଛି ବୋଲି ଅନୁଗୁଳ ଡେପୁଟି ଫାୟାର୍‌ ଅଫିସର ଚନ୍ଦ୍ରମୋହନ ରାଉତରାୟ କହିଛନ୍ତି। ଦୈବାତ୍‌ ଯଦି ଅନୁମତି ନେଇ ଥିବା ଜାଗାରେ ନିଆଁ ଲାଗିଯାଏ ତେବେ ଅଗ୍ନିଶମ ବାହିନୀ ନିଆଁ ଲିଭାଇବାକୁ ଯିବ, କିନ୍ତୁ ଏହାର ଉତ୍ତର ଦାୟିତ୍ୱ ଆୟୋଜକ ରହିବେ ବୋଲି ଶ୍ରୀ ରାଉତରାୟ କହିଛନ୍ତି।

କେବଳ ସେତିକି ନୁହେଁ, ପୂର୍ବରୁ ମେଳା ମହୋତ୍ସବରେ ଦମକଳ ଗାଡ଼ି ଠିଆ କରାଇଲେ ଯେତିକି ଟଙ୍କା ଦେବାକୁ ପଡ଼ୁଥିଲା ତାହା ବି ଦୁଇ ଗୁଣା ବୃଦ୍ଧି କରାଯାଇଛି। ଗୋଟିଏ ଦମକଳ ଗାଡ଼ି ୨୪ଘଣ୍ଟା ରହଣି ପାଇଁ ପୂର୍ବରୁ ୫ହଜାର ଟଙ୍କା ବଦଳରେ ଏବେ ତାହା ୧୦ହଜାର ଟଙ୍କାକୁ ସରକାର ବୃଦ୍ଧି କରିଛନ୍ତି। ତା’ ସହିତ ଗାଡ଼ି ତେଲ ଖର୍ଚ୍ଚ ବି ଆୟୋଜକଙ୍କଠାରୁ ଆଦାୟ କରିବାକୁ ଆଇନ୍‌ରେ କୁହାଯାଇଛି ବୋଲି ଅନୁଗୁଳ ଆସିଷ୍ଟାଣ୍ଟ୍‌ ଫାୟାର୍‌ ଅଫିସର ସର୍ବେଶ୍ୱର ବରାଳ ସୂଚନା ଦେଇଛନ୍ତି।

ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ଅମଳରେ ୧୯୯୩ ମସିହାରେ ବିଧାନସଭାରେ ଏହି ଆଇନ୍‌ ପାସ୍‌ ହୋଇଥିଲା। ଦୀର୍ଘ ୨୫ ବର୍ଷ କାଳ ଚୁପ୍‌ ବସିବା ପରେ ଗତ ଅକ୍ଟୋବର ୪ ତାରିଖରେ ଆଇନ୍‌କୁ କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ଆଇନ୍‌ରେ ଯେଉଁ ଦମକଳ କର ବ୍ୟବସ୍ଥା ପ୍ରଥମ ଥର ପାଇଁ ଓଡ଼ିଶାରେ ଲାଗୁ କରାଯାଇଛି ତାହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚିତ ପ୍ରସଙ୍ଗ ହୋଇଛି। ଯଦିଓ ବ୍ୟକ୍ତିଗତ କାହାର ଘର ପୋଡ଼ିଲେ ଏଭଳି କୌଣସି କର ବ୍ୟବସ୍ଥା ଲାଗୁ କରାଯାଇ ନାହିଁ, କିନ୍ତୁ ସାମୂହିକ ମେଳା ମହୋତ୍ସବରେ ଏତାଦୃଶ୍ୟ ବ୍ୟବସ୍ଥାରୁ ସରକାର ଆଗକୁ ନିଆଁ ଲିଭା ଭଳି ଜରୁରୀ ସେବା ନିଜ ମୁଣ୍ଡରୁ ହଟାଇବାକୁ ଚାହୁଁଛନ୍ତି ତାହାର ଆଭାସ ମିଳିଲାଣି। ପୂର୍ବରୁ ଯେମିତି ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ପଞ୍ଚାୟତ ହାତକୁ ଟେକି ଦେଇ ଏହାର ପରିଚାଳନା ଦାୟିତ୍ୱ ଲୋକଙ୍କ ମୁଣ୍ଡରେ ଲଦିଦେଲେ, ସେହିପରି ଆଗକୁ ଦମକଳ ସେବାର ଅବସ୍ଥା ହେବନି ତ?

ସମ୍ବନ୍ଧିତ ଖବର