ଭୁବନେଶ୍ବର: ‘ଲକ୍ଷପତି ଦିଦି ଯୋଜନା’ ମହିଳାମାନଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିବାର ମାର୍ଗ ପ୍ରସ୍ତୁତ କରିଛି। ଏହା କେବଳ ରୋଜଗାରର କଥା ନୁହେଁ, ଗ୍ରାମ୍ୟ ମହିଳାଙ୍କ ମଧ୍ୟରେ ନେତୃତ୍ୱ ଭାବନା ଜାଗ୍ରତ କରିବା ଏହାର ମୂଳ ଉଦ୍ଦେଶ୍ୟ ‌ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଜି ‘ରାଷ୍ଟ୍ରୀୟ ଲକ୍ଷପତି ଦିଦି ସମ୍ମିଳନୀ-୨୦୨୫’ ଅବସରରେ କହିଛନ୍ତି। ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ମିସନ୍‌ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଦେଶର ୨୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଲକ୍ଷପତି ଦିଦି ଓ ସରକାରୀ ଅଧିକାରୀ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଆଜିର ଏହି ସମ୍ମିଳନୀ କେବଳ ଆମ ପାଇଁ ଉପଲବ୍ଧିର ଉତ୍ସବ ନୁହେଁ, ବରଂ ଏହା ହେଉଛି ଆମର ମହିଳା ନେତୃତ୍ୱ ପ୍ରତି ସଂକଳ୍ପ। ଲକ୍ଷପତି ଦିଦି ଯୋଜନା ଖାଲି ଏକ ଜନକଲ୍ୟାଣକାରୀ ଯୋଜନା ନୁହେଁ, ଏହା ହେଉଛି ଏକ ସମାବେଶୀ ଓ ସ୍ଥାୟୀ ବିକାଶର ରଣନୀତି। ଏବେ ମହିଳାଙ୍କର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ସ୍ୱତନ୍ତ୍ରତା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ଓଡ଼ିଶା, ଲକ୍ଷପତି ଦିଦି ମିସନ୍‌କୁ ପ୍ରତିବଦ୍ଧତାର ସହ କାର୍ଯ୍ୟକାରୀ କରିଛି। ପ୍ରାୟ ୧୭ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ଗଢ଼ି ଆଜି ଓଡ଼ିଶା, ଭାରତ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ସଫଳତା ଆମ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ନିଷ୍ଠା, ମିସନ୍‌ ଶକ୍ତି ଏବଂ ଓଡ଼ିଶା ଜୀବିକା ମିସନ୍‌ର ଆନ୍ତରିକତା ଓ ତୃଣମୂଳ ସ୍ତରରେ ଦକ୍ଷତାପୂର୍ଣ୍ଣ କାର୍ଯ୍ୟର ଫଳସ୍ୱରୂପ ଆମକୁ ମିଳିଛି। 

Advertisment

ସର୍ବାଧିକ ୯୮% ଲକ୍ଷପତି ଦିଦି ସୃଷ୍ଟି କରି ନୟାଗଡ଼ ଜିଲ୍ଲା ରାଜ୍ୟରେ ପ୍ରଥମ
ଭୁବନେଶ୍ୱରରେ ରାଷ୍ଟ୍ରୀୟ ସମ୍ମିଳନୀ: ଯୋଗଦେଲେ ୨୫ ରାଜ୍ୟର ଲକ୍ଷପତି ଦିଦି

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଆମ ସରକାର ଓଡ଼ିଶାର ପ୍ରତି ମହିଳାଙ୍କ ବିକାଶ ପାଇଁ ଠିକ୍‌ ପରିବେଶ, ସମର୍ଥନ ଓ ସାଧନ ଯୋଗାଇଦେବା ପାଇଁ ପ୍ରତିବଦ୍ଧ ଅଛନ୍ତି। ମହିଳାମାନଙ୍କୁ ଉଦ୍ୟୋଗୀ ଓ ନେତୃତ୍ୱ କ୍ଷେତ୍ରରେ ଆଗକୁ ବଢ଼ାଇବା ପାଇଁ ଆମେ ସମସ୍ତ ଉଦ୍ୟମ ଜାରି ରଖିଛୁ। ଆମର ଲକ୍ଷ୍ୟ ହେଉଛି ଲକ୍ଷପତି ଦିଦି କେବଳ ମହିଳାମାନଙ୍କ ଜୀବିକା ନୁହେଁ, ଏହାକୁ ମହିଳାମାନଙ୍କର ଗରିମା ବୃଦ୍ଧି, ସ୍ୱାବଲମ୍ବନ ଓ ନେତୃତ୍ୱର ଆନ୍ଦୋଳନ ରୂପେ ପରିଣତ କରିବା।

ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ଲକ୍ଷପତି ଦିଦି ଭାବରେ ଦେବଗଡ଼ ଜିଲ୍ଲାର ଶକୁନ୍ତଳା ଧଳ, ଗଜପତି ଜିଲ୍ଲାର ସୁଲମୀ ଦଳବେହେରା ଓ କେନ୍ଦ୍ରାପଡ଼ା ଜିଲ୍ଲାର ମମତାନାଥ ଶର୍ମାଙ୍କୁ ପୁରସ୍କୃତ କରିଥିଲେ। ଜିଲ୍ଲାରେ ୯୮% ଲକ୍ଷପତି ଦିଦି ସୃଷ୍ଟି କରି ପ୍ରଥମ ସ୍ଥାନ ଅଧିକାର କରିଥିବା ନୟାଗଡ଼ ଜିଲ୍ଲା ଏବଂ ୯୭ ପ୍ରତିଶତ ଲକ୍ଷପତି ଦିଦି ସୃଷ୍ଟି କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ଜଗତସିଂହପୁର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଲକ୍ଷପତି ଦିଦିଙ୍କ ଉପରେ ପର୍ଯ୍ୟବସିତ ଏକ ଭିଡିଓ, କଫି ଟେବୁଲ ବୁକ୍ ଓ ବୁକଲେଟ୍ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉନ୍ନୟନ କମିସନର୍‌ ଅନୁ ଗର୍ଗ ଅତିଥି ଭାବେ ଉପସ୍ଥିତ ଥିଲେ। ମିସନ୍‌ ଶକ୍ତି ବିଭାଗର ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ।