କହିପାରିବେନି କି ପ୍ରତିବାଦ କରିପାରିବେନି ବୋଲି ବନ ବିଭାଗ ବେଫିକର

ବଜ୍ରକାପ୍ତା, ବିଦେଶୀ ପକ୍ଷୀଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି
ଚିଲିକା ଦୁର୍ବିସହ, ଘେରି କବଳରୁ ମୁକ୍ତ ହୋଇପାରୁନାହିଁ
ହାତୀଙ୍କ ବାଟ ଓଗାଳିବାରେ ମଧ୍ୟ ବିଫଳ

ଭୁବନେଶ୍ବର : ‘ମୋ ସରକାର’ କାର୍ଯ୍ୟକ୍ରମକୁ ନେଇ ତନାଘନା ଚାଲିଛି। ବିଭିନ୍ନ ବିଭାଗକୁ ଉତ୍ତରଦାୟୀ କରୁଛନ୍ତି ସରକାର। ହେଲେ ସବୁଠାରୁ ସମ୍ବେଦନଶୀଳ ଜଙ୍ଗଲ ଓ ପରିବେଶ ବିଭାଗ କିନ୍ତୁ ବେଫିକର। ଏହି ବିଭାଗର ଦୁଇଟି ପ୍ରମୁଖ କାର୍ଯ୍ୟ ହେଲା ଜଙ୍ଗଲ ସୃଷ୍ଟି କରିବା ଓ ବନ୍ୟଜୀବଙ୍କୁ ସୁରକ୍ଷା ଦେବା। ଯେହେତୁ ନା ଗଛ କି ବନ୍ୟଜୀବ କହିପାରୁଛନ୍ତି କି ପ୍ରତିବାଦ କରିବାର ସେମାନଙ୍କର ଯୁ ଅଛି, ଏଣୁ ଉଭୟଙ୍କ କ୍ଷେତ୍ରରେ ନିର୍ଯାତନା ସୀମା ଟପିଲାଣି। ଏମିତି ଯେ ହାତୀ ସୁରକ୍ଷା ଠାରୁ ଆରମ୍ଭ କରି ବଜ୍ରକାପ୍ତା ପର୍ଯ୍ୟନ୍ତ, ଜଙ୍ଗଲ ସୃଷ୍ଟି ଠାରୁ ଆରମ୍ଭ କରି ଚିଲିକାରୁ ଘେରି ଉଚ୍ଛେଦ ପର୍ଯ୍ୟନ୍ତ ସବୁଥିରେ ପୁଳା ପୁଳା ବିଫଳତା ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାବମୂର୍ତି ପ୍ରତି ଗୋଟିଏ ମହଲରୁ ବିପଦ ଟାଣିଆଣିଲାଣି।

ବିଶେଷଜ୍ଞମାନେ ଦୁଇ ଚାରିଟି ଉଦାହରଣ ଦେଇ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଉଛନ୍ତି।

ଝାଡଖଣ୍ଡରୁ ଗୋଟିଏ ଦନ୍ତା ଚାଲି ଆସିଲା ଯାଜପୁରକୁ। ୫ ଦିନ ଧରି ନୟାନ୍ତ କଲା। ୪ଜଣଙ୍କ ଜୀବନ ନେଇସାରିବା ପରେ ବି ଅଶାନ୍ତ ଗ୍ରହ ଭଳି ବୁଲିଲା। ଦନ୍ତାକୁ ବନ ବିଭାଗ ଆୟତ୍ତ କରିବା ଲାଗି ସେଭଳି ଆଗ୍ରହ ଦେଖାଇଲା ନାହିଁ। ଲୋକେ ରାସ୍ତାକୁ ଓହ୍ଲାଇବା ପ‌ରେ ବିଭାଗ ସକ୍ରିୟ ‌ହୋଇ ଦନ୍ତାକୁ ଆୟତ୍ତ କଲା। କେବଳ ଯାଜପୁରର କୋରେଇ ନୁହେଁ, ବାଲେଶ୍ବର ଠାରୁ ମୟୂରଭଂଜ, ଅନୁଗୁଳ-ଢେଙ୍କାନାଳ, କେନ୍ଦୁଝରରୁ ଏମିତି ନିୟମିତ ଖବର ଆସିବାରେ ଲାଗିଛି। ମଣିଷ-ହାତୀ ଲଢେଇ ନିର୍ଣ୍ଣାୟକ ମୋ଼ଡରେ ପହଞ୍ଚିଲାଣି। ଯାଜପୁର ଘଟଣାରେ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଉଭୟ କଟକ ଓ ଆନନ୍ଦପୁର ଡିଏଫ୍ଓଙ୍କୁ ହାତୀ ଘଉଡାଇବାକୁ ନିର୍ଦେଶ ଦେଇ ବସିଯାଇଛନ୍ତି। ଲୋକେ ରାସ୍ତାକୁ ଓହ୍ଲାଇଲେଣି। କେହି ଦାୟିତ୍ବ ନେବାକୁ ନାରାଜ। ସରକାରୀସ୍ତରରୁ ନିର୍ଦେଶନାମା ବି ଶୂନ।

ଆଠଗଡ଼ ଠାରୁ ସୋନପୁର, ମାଲକାନଗିରି, ମୟୂରଭଂଜ, ଅନୁଗୁଳର ସାତକୋଶିଆ ଜଙ୍ଗଲରେ ବିରଳ ବଜ୍ରକାପ୍ତା ମାଫିଆ ମାତିଛନ୍ତି। ଜଙ୍ଗଲ ବିଭାଗ ଆଖିରେ ଆଙ୍ଗୁଠି ଗେଞ୍ଜି ଏମାନେ ଅତି ସମ୍ବେଦନଶୀଳ ଏହି ପ୍ରାଣୀର ବଂଶକୁ ନିପାତ କରିବା ଲକ୍ଷ୍ୟରେ ଅଛନ୍ତି। ଆଠଗଡ଼ ରେଞ୍ଜରେ କିଛି ହାତଗଣତି ଚଢ଼ଉ ପରେ ଏବେ ସମସ୍ତେ ଚୁପ୍। ଘଟଣାର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଥିବା ଅଲ୍ଲୀକୁ ଗିରଫ ପରେ ସେ ଯେଉଁ ବୟାନ ଦେଇଛି, ତାହା ସମସ୍ତଙ୍କୁ ଡରାଇ ଦେଇଛି। ବଡ଼ବଡ଼ିଆ ଫସିବା ଭୟରେ ଏହି ମାମଲାକୁ ରଫା ଦଫା କରିଦେବା ଲାଗି ଏବେ ବଡ଼ ଧରଣର ଷଡ଼ଯନ୍ତ୍ର ଆରମ୍ଭ କରିଥିବା ସୂଚନା ମିଳୁଛି। ହାତବାନ୍ଧି ବସିଥିବା ବିଭାଗର ବଡ଼ ବାବୁ ହଠାତ୍ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ବୋଲି ସୁପାରିସ କରି ଦାୟିତ୍ବ ଝା଼ଡିଦେଇଛନ୍ତି। ହେଲେ ନା କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ବ ନେଉଛନ୍ତି ନା ଆଠଗଡ଼ ଡିଏଫ୍ଓ ତନାଘନା କରୁଛନ୍ତି।

ଚିଲିକାକୁ ଆସୁଥିବା ପକ୍ଷୀ ବି ଏଠି ସୁରକ୍ଷିତ ନୁହନ୍ତି। ଏବର୍ଷ ପାଖାପାଖି ୧ଲକ୍ଷ ୨୦ ହଜାର ଅଧିକ ବିଦେଶୀ ପକ୍ଷୀ ଆସିଛନ୍ତି ଚିଲିକା। କିନ୍ତୁ ନିକଟରେ ବାଲୁଗାଁ ପାଖରେ ୮୦ ପକ୍ଷୀଙ୍କୁ ମାରିଦେଇଥିଲେ ଶିକାରୀ, ଧରାପଡିଲେ। ଟାଙ୍ଗୀ ଅଞ୍ଚଳରେ ୯। ଏହାବ୍ୟତୀତ କେତେ ଯେ ପକ୍ଷୀ ସମସ୍ତଙ୍କ ଅଗୋଚରରେ ପ୍ରାଣ ହରାଉଛନ୍ତି, ତାହା କହିବା ମୁସ୍କିଲ୍। ବିଦେଶାଗତ ପକ୍ଷୀଙ୍କୁ ଶିକାରୀଙ୍କ କବଳରୁ ରକ୍ଷା କରିବା ଲାଗି ବନ ବିଭାଗର ଠୋସ୍ ଉଦ୍ୟମ ନାହିଁ।

ସବୁଠାରୁ ବଡ଼ କଥା ହେଲା, ଚିଲିକାକୁ ଘେରିମୁକ୍ତ କରାଯାଇପାରିଲା ନାହିଁ। ଘେରି ସମ୍ପୂର୍ଣ୍ଣ ବେଆଇନ ଏକଥା ଜାଣି ବି ହଜାର ହଜାର ଏକର ଅଞ୍ଚଳ ଘେରି ବନ୍ଦୀ ହୋଇ ରହିଛି। ଚିଲିକା ଉନ୍ନୟନ କର୍ତୃପକ୍ଷ, ଚିଲିକା ଡିଏଫ୍ଓ, ଖୋର୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାପାଳ ଏହାକୁ ଶତ ପ୍ରତିଶତ ଉଚ୍ଛେଦ କରିବା ଲାଗି ଉତ୍ତରଦାୟୀ। ହେଲେ ଏମାନଙ୍କ ଭିତରେ ସର୍ବନିମ୍ନ ସମନ୍ବୟ ନାହିଁ ବା ଚିଲିକା ଚିନ୍ତା ସରକାରଙ୍କୁ ଏଯାଏ ଘାରିନି।

୨୦୧୮ ମସିହାର ଏକ ରିପୋର୍ଟ ବୟାନ କରୁଛି, ଚିଲିକାର ମୋଟ ଆୟତ୍ତନର୧୧.୩ ପ୍ରତିଶତ ଅଞ୍ଚଳ ଘେରିବନ୍ଦୀ ହୋଇରହିଛି। ଚିଲିକା ଘେରି ପଛରେ ଶହ ଶହ କୋଟି ଟଙ୍କାର ନିବେଶ ରହିଛି, ଯାହା ବଡ଼ ବଡିଆ ଲୋକଙ୍କର। ଘେରି ଉଚ୍ଛେଦ ନ ହେଲେ ଚିଲିକା ପ୍ରତି ବିପଦ ବଢିଯିବ, ଏକଥା ସମସ୍ତେ ଜାଣନ୍ତି। ହେଲେ କାହା ଚାପରେ କେଜାଣି, ବିଭାଗ ଏ କ୍ଷେତ୍ରରେ ବି ଚପିଯାଇଛି।

ସମ୍ବନ୍ଧିତ ଖବର