ସମ୍ବଲପୁର: ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ପଦକୁ ଅଧିକାଂଶ ସମୟରେ ପଶ୍ଚିମ ଓଡ଼ିଶାର ନେତାମାନେ ଅଳଂକୃତ କରିଆସିଛନ୍ତି। ସେହି ତାଲିକାକୁ ଆଗକୁ ବଢ଼ାଇ ନବୀନ ପଟ୍ଟନାୟକଙ୍କ ୫ମ ପାଳିରେ ସ୍ବାସ୍ଥ୍ୟମନ୍ତ୍ରୀ ଦାୟିତ୍ବ ନେଇଥିଲେ ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ। ୧୯୮୦ ମସିହାରେ ସମ୍ବଲପୁର ଛାତ୍ର ରାଜନୀତିରୁ ପରିଚୟ ପାଇଥିବା ଶ୍ରୀ ଦାସଙ୍କୁ ମନ୍ତ୍ରୀପଦ ପାଇବାକୁ ଦୀର୍ଘ ୩୯ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ୩୯ ବର୍ଷ ଧରି କଂଗ୍ରେସ୍ ଦଳର ଜଣେ ଟାଣୁଆ ନେତାଭାବେ କାମ କରି ଆସିଥିବା ଶ୍ରୀ ଦାସଙ୍କୁ କ୍ଷମତା ରାଜନୀତିକୁ ଆସିବା ପାଇଁ ଦଳ ବଦଳ କରିବାକୁ ପଡ଼ିଥିଲା। ୨୦୧୯ ଜାନୁଆରି ମାସରେ ବିଜୁ ଜନତା ଦଳରେ ଯୋଗ ଦେବା ପରେ ବିଜେଡି ଟିକଟ୍ରେ ନିର୍ବାଚନ ଜିତି ସେହି ବର୍ଷ ମେ’ ମାସରେ ଶ୍ରୀ ଦାସ ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ନିଜ କାର୍ଯ୍ୟଦକ୍ଷତା ଓ ପ୍ରଦର୍ଶନ ଯୋଗୁଁ ୨୦୨୨ରେ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରିମଣ୍ଡଳ ପୁନର୍ଗଠନ କରି ଅନେକ ପରିବର୍ତ୍ତନ କରିଥିଲେ ବି ନବଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ ଓ ସେ ସ୍ବାସ୍ଥ୍ୟମନ୍ତ୍ରୀ ପଦ ବଜାୟ ରଖିଥିଲେ।
ହେଲେ ନିଜ ରାଜନୈତିକ କ୍ୟାରିୟର୍ ଭଳି ସ୍ବାସ୍ଥମନ୍ତ୍ରୀ ପଦ ବି ନବଙ୍କ ପାଇଁ ଆହ୍ବାନଭରା ଥିଲା। କାରଣ ତାଙ୍କରି ସମୟରେ ସାରା ବିଶ୍ବ ସମେତ ଓଡ଼ିଶା ବି ଇତିହାସର ସର୍ବବୃହତ୍ ସ୍ବାସ୍ଥ୍ୟ ସଂକଟର ସାମ୍ନା କରିଥିଲା। ୨ ବର୍ଷ ଧରି କୋଭିଡ୍ ମହାମାରୀ ସାରା ବିଶ୍ବକୁ ଘାଣ୍ଟିଚକଟି ପକାଇଥିଲା। ଲୋକଙ୍କ ମଧ୍ୟରେ ହାହାକାର ସୃଷ୍ଟି କରିଥିଲା। ହେଲେ ନବଙ୍କ ନେତୃତ୍ବରେ ଓଡ଼ିଶା ଅପେକ୍ଷାକୃତଭାବେ କୋଭିଡ୍ ମୁକାବିଲାରେ ଅନ୍ୟମାନଙ୍କଠୁ ଆଗରେ ରହିଥିଲା। ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀଭାବେ ନବ ଦାସ ତାଙ୍କ ୩ ବର୍ଷ ୮ ମାସର କାର୍ଯ୍ୟକାଳରେ କୋଭିଡ୍ ପରିଚାଳନା ସମେତ କିଛି ଉଲ୍ଲେଖନୀୟ କାର୍ଯ୍ୟ କରିଥିବାବେଳେ ଆଉ କେତେକ କ୍ଷେତ୍ରରେ ବିଫଳତା ଓ ସ୍ଥାଣୁତା ବି ଦେଖିବାକୁ ମିଳିଥିଲା।
ନବ ଦାସ ୨୦୧୯ ମସିହା ମେ’ ମାସରେ ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ଦାୟିତ୍ବ ନେଇଥିଲେ। ମାର୍ଚ୍ଚ ୨୦୨୦ ମସିହାରେ ଜନତା କର୍ଫ୍ୟୁ ଓ ଲକ୍ଡାଉନ୍ ସହ କରୋନା ବିଧିବଦ୍ଧଭାବେ ଭାରତରେ ପ୍ରବେଶ କରିଥିଲା। ୨ ବର୍ଷ ଧରି କୋଭିଡ୍ କାଳରେ ଓଡ଼ିଶାର ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅନେକ କାର୍ଯ୍ୟ କରା ଯାଇଥିଲା। ପ୍ରତିଟି ଜିଲ୍ଲାରେ କୋଭିଡ୍ ଡାକ୍ତରଖାନା, ବିଭିନ୍ନ ବୃହତ୍ ଡାକ୍ତରଖାନାରେ କୋଭିଡ୍ ଚିକିତ୍ସା ବ୍ୟବସ୍ଥା, ଶହଶହ ସଂଖ୍ୟାରେ କୋଭିଡ୍ ଭେଣ୍ଟିଲେଟର୍, ଆଇସିୟୁ ଆଦି ସ୍ଥାପନ କରା ଯାଇଥିଲା। କୋଭିଡ୍ ପାଇଁ ଅସ୍ଥାୟୀ ଭାବେ ହଜାରହଜାର ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ନିଯୁକ୍ତ କରା ଯାଇଥିଲା। କୋଭିଡ୍ ଔଷଧ, ଇଂଜେକ୍ସନ, ଉପକରଣ ଆଦି ବିପୁଳ ପରିମାଣରେ କିଣି ରୋଗୀଙ୍କ ପାଇଁ ଉପଲବ୍ଧ କରା ଯାଇଥିଲା।
କୋଭିଡ୍ ପରୀକ୍ଷା ପାଇଁ ବୁର୍ଲା, ବଲାଙ୍ଗୀର, କଟକ, ଭୁବନେଶ୍ବର, ବ୍ରହ୍ମପୁର ସମେତ ବିଭିନ୍ନ ସ୍ଥାନରେ ଭାଇରାଲ୍ ପରୀକ୍ଷାଗାର ନିର୍ମାଣ କରା ଯାଇଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟର ପ୍ରୟାସରେ ବିଭିନ୍ନ ଡାକ୍ତରଖାନାରେ ଅମ୍ଳଜାନ୍ ଉତ୍ପାଦନ ପ୍ରକଳ୍ପ ବି ସ୍ଥାପିତ ହୋଇଥିଲା। କୋଭିଡ୍ ଟିକା ଉପଲବ୍ଧ ହେବା ପରେ କେନ୍ଦ୍ର ସରକାର ବ୍ୟାପକ ଟିକାକରଣ କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ଓଡ଼ିଶାରେ ତାହାକୁ ସୁଚାରୁ ରୂପେ ପରିଚାଳନା କରାଗଲା। ମୋଟାମୋଟି ଓଡ଼ିଶାରେ କୋଭିଡ ପରିଚାଳନା ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଉନ୍ନତ ଥିଲେ ବି ମୃତ୍ୟୁ ସଂଖ୍ୟା ଲୁଚାଇବା, ସାମଗ୍ରୀ କିଣାରେ ଦୁର୍ନୀତି, କୋଭିଡ୍ ପରେ ଅସ୍ଥାୟୀ କର୍ମଚାରୀଙ୍କ ଛଟେଇ ଆଦି ଅନେକ ପ୍ରସଂଗରେ ଏହା ସ୍ବାସ୍ଥ୍ୟ ବିଭାଗର ଭାବମୂର୍ତ୍ତିକୁ ମଳୀନ ମଧ୍ୟ କରିଥିଲା।
ଓଡ଼ିଶାରେ ଏକାଧିକ ମେଡିକାଲ୍ କଲେଜ ସ୍ଥାପନ ପାଇଁ ସରକାରୀସ୍ତରରେ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି ନବ ଦାସଙ୍କ କାର୍ଯ୍ୟକାଳ ସମୟରେ ଏକାଧିକ ଅନୁଷ୍ଠାନରେ ନାମଲେଖା ଆରମ୍ଭ ହୋଇଥିଲା। କଟକ ଏସ୍ସିବି ମେଡିକାଲ୍ କଲେଜ୍କୁ ବିଶ୍ବସ୍ତରୀୟ ଡାକ୍ତରଖାନାରେ ବିକଶିତ କରିବା ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିଲା। ଝାରସୁଗୁଡ଼ାରେ ହାର୍ଟ ହସ୍ପିଟାଲ୍ ନିର୍ମାଣ ହୋଇଥିଲା। କେତେକ ଜିଲ୍ଲାର ମୁଖ୍ୟଡାକ୍ତରଖାନାର ନବୀକରଣ ଓ ଆଧୁନିକୀକରଣ କରା ଯାଇଥିଲାବେଳେ ଆଉ କେତେ ଜିଲ୍ଲାରେ ସଂପୂର୍ଣ୍ଣଭାବେ ନୂଆ କରି ଅନ୍ୟତ୍ର ତିଆରି ହୋଇଥିଲା। ହେଲେ ନିଜ ଅଞ୍ଚଳର ପ୍ରମୁଖ ସ୍ବାସ୍ଥ୍ୟ କେନ୍ଦ୍ର କହା ଯାଉଥିବା ଭିମ୍ସାର୍ ବୁର୍ଲାରେ ନବଙ୍କ ସମୟରେ କୌଣସି ଆଖିଦୃଶିଆ ଉନ୍ନତି ହୋଇପାରି ନଥିଲା। ନବ ଜଣେ ଦକ୍ଷ ରାଜନେତା ହୋଇଥିଲେ ବି ସ୍ବାସ୍ଥ୍ୟମନ୍ତ୍ରୀଭାବେ ତାଙ୍କୁ ଯଥେଷ୍ଟ କ୍ଷମତା ମିଳି ନଥିବା ଆଲୋଚନା ହୁଏ। ବିଶେଷ କରି କୋଭିଡ୍ ପରିଚାଳନାବେଳେ ଅନେକ କିଛି ସରକାରଙ୍କ ଶୀର୍ଷସ୍ତରରୁ ନିଷ୍ପତ୍ତି ହେଉଥିବାବେଳେ ଖୋଦ୍ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖା ଯାଉଥିବା ଆଲୋଚନା ହୁଏ।
ପଶ୍ଚିମ ଓଡ଼ିଶାରୁ ୧୦ ସ୍ବାସ୍ଥ୍ୟମନ୍ତ୍ରୀ
ନବ ଦାସଙ୍କ ଅକାଳ ମୃତ୍ୟୁ ପରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀଙ୍କୁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି। ଫଳରେ ନିରଂଜନଙ୍କୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରୁ ୧୦ ଜଣ ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ପଦରେ ଆସୀନ ହୋଇ ସାରିଛନ୍ତି। ସେମାନେ ହେଲେ ବଲାଙ୍ଗୀର ରାମ ପ୍ରସାଦ ମିଶ୍ର, ସମ୍ବଲପୁରର ମୁରାରୀ ପ୍ରସାଦ ମିଶ୍ର, କଳାହାଣ୍ଡିର ଘାସିରାମ ମାଝୀ, ଅବିଭକ୍ତ ସମ୍ବଲପୁର (ବର୍ତ୍ତମାନ ଝାରସୁଗୁଡ଼ା)ର ହେମାନନ୍ଦ ବିଶ୍ବାଳ, ସମ୍ବଲପୁରର ସନାତନ ବିଶି, ନୂଆପଡ଼ାର ଦୁର୍ଯ୍ୟୋଧନ ମାଝୀ, ବରଗଡ଼ ଜିଲ୍ଲା ମୂଳ ବାସିନ୍ଦା ତଥା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ବୌଦ୍ଧର ପ୍ରଦୀପ ଅମାତ୍ (ଅତିରିକ୍ତ ଦାୟିତ୍ବ), ଝାରସୁଗୁଡ଼ାର ନବ କିଶୋର ଦାସ ଏବଂ ସୁବର୍ଣ୍ଣପୁରର ନିରଂଜନ ପୂଜାରୀ (ଅତିରିକ୍ତ ଦାୟିତ୍ବ)।