ମୋଦୀ ସରକାରରେ ଓଡ଼ିଶାର ଓଜନ ବଢ଼ିଲା

ରେଳବାଇରେ ଅଶ୍ବିନୀଙ୍କଠାରୁ ଆଶା ଅଧିକ ରହିବ
ବିଶ୍ବେଶ୍ବର ବିଜେପିର ଆଦିବାସୀ ଚେହେରା
ପଶ୍ଚିମ ଓଡ଼ିଶାକୁ ପୁଣି ନିରାଶ କରାଗଲା
ଧର୍ମେନ୍ଦ୍ରଙ୍କ ସାମ୍ନାରେ ବହୁ ଆହ୍ବାନ

ଭୁବନେଶ୍ବର : କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି। ଏହି ପରିବର୍ତ୍ତିତ କଳେବର ଓଡ଼ିଶା ବିଜେପିର ସାଂଗଠନିକ ସ୍ଥିତିକୁ କିପରି ନେବ, ତାହା ଭିନ୍ନ ପ୍ରସଙ୍ଗ। କିନ୍ତୁ ପରିବର୍ତ୍ତନରେ କେନ୍ଦ୍ରରେ ଓଡ଼ିଶାର ଗୁରୁତ୍ବ ବଢ଼ିଛି। ସରକାରରେ ସବୁଠାରୁ ଓଜନିଆ ତଥା ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟ କୁହାଯାଉଥିବା ‘ରେଳବାଇ’ ଓଡ଼ିଶା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କୁ ଦିଆଯାଇଛି। ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଅବହେଳା ନେଇ ବହୁ ବର୍ଷ ହେଲା ପ୍ରତିବାଦର ସ୍ବର ଶୁଭୁଥିଲା ବେଳେ ଏବେ ଓଡ଼ିଶାର ଆଶା ବଢ଼ିବା ସ୍ବାଭାବିକ। ଏହି ଆଶାକୁ କେନ୍ଦ୍ର କେତେ ଦୂର ପୂରଣ କରିପାରୁଛି, ତାହା ଉପରେ ବିଜେପିର ଭବିଷ୍ୟତ ବି ଅନେକ ମାତ୍ରାରେ ନିର୍ଭର କରିବ। ତେବେ ବିଜେପିର ଭୋଟ୍ ବ୍ୟାଙ୍କ କୁହାଯାଉଥିବା ପଶ୍ଚିମ ଓଡ଼ିଶାକୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ବର ସୁଯୋଗ ମିଳି ନ ଥିବାରୁ ଦଳ ଉପରେ ଏହାର ନକରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଏହି ଅସଙ୍ଗତି ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ କିଏ ସାମିଲ ହେବ, ତାହାକୁ ନେଇ କିଛି ଦିନ ହେଲା ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଆକଳନ କରାଯାଉଥିଲା। ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କ ନାମ ପ୍ରାୟ ସବୁ ଜାତୀୟ ଗଣମାଧ୍ୟମରେ ଆଗରେ ରହିଥିଲା।

କିନ୍ତୁ ପ୍ରତାପ ଷଡ଼ଙ୍ଗୀଙ୍କୁ ବିଦା କରାଯିବା ଓ ଆଦୌ ଚର୍ଚ୍ଚାରେ ନ ଥିବା ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡ଼ୁଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା, ରାଜନୈତିକ ମହଲକୁ ଆଶ୍ଚର୍ଯ୍ୟ କରିଛି। ରାଜ୍ୟ ବିଜେପିର କର୍ମକର୍ତ୍ତାମାନେ ଏ ସମ୍ପର୍କରେ ଆଗୁଆ ସୁରାକ ପାଇପାରି ନ ଥିଲେ। ବିଜେପିର ଆଗଧାଡ଼ିର ନେତାମାନେ ମଧ୍ୟ ବିନ୍ଦୁ ବିସର୍ଗ ଠଉରାଇ ପାରି ନ ଥିଲେ।

ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କ ରାଜନୈତିକ ଉତ୍‌ଥାନ ବେଶ୍ ଉଲ୍ଲେଖନୀୟ। ଓଡ଼ିଶା କ୍ୟାଡର୍‌ର ଏହି ଆଇଏଏସ୍ ଅଫିସର୍ କମ୍ ବୟସରୁ ଚାକିରି ଛାଡ଼ି ପ୍ରଥମେ ବ୍ୟବସାୟ ଜଗତରେ ଜଣେ ଜଣାଶୁଣା ନାମ ଥିଲେ। ଦୁଇ ବର୍ଷ ତଳେ ବିଜେପିରେ ଯୋଗ ଦେଇ ସିଧାସଳଖ ଓଡ଼ିଶାରୁ ରାଜ୍ୟସଭାକୁ ମନୋନୀତ ହେଲେ। ସେ ବିଜେପିର ପ୍ରାର୍ଥୀ ଥିଲେ ମଧ୍ୟ ବିଜେଡି ତାଙ୍କୁ ସମର୍ଥନ କରିଥିଲା। ଏକଦା ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିବା ଶ୍ରୀ ବୈଷ୍ଣବ ପରବର୍ତ୍ତୀ ସମୟରେ ବିଜେପିର ନୂଆ ନେତୃତ୍ବଙ୍କର ମଧ୍ୟ ବିଶ୍ବାସଭାଜନ ହୋଇପାରିଥିଲେ। ଫଳରେ ରାଜନୀତିରେ ପାଦ ଦେବାର ଦୁଇ ବର୍ଷ ମଧ୍ୟରେ କେନ୍ଦ୍ର କ୍ୟାବିନେଟ୍‌ରେ ସୁଯୋଗ ପାଇ ରେଳବାଇ ମନ୍ତ୍ରଣାଳୟ ପାଇବା ଏକ ବଡ଼ ଉପଲବ୍ଧି। ପୂର୍ବରୁ ଓଡ଼ିଶାରୁ କଂଗ୍ରେସ ନେତା କାହ୍ନୁଚରଣ ଲେଙ୍କା ଓ ଭକ୍ତ ଚରଣ ଦାସ ରେଳବାଇର ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। କିନ୍ତୁ ପ୍ରଥମ ଥର ପାଇଁ ଓଡ଼ିଶା ସାଂସଦଙ୍କୁ ରେଳବାଇର କ୍ୟାବିନେଟ୍ ମନ୍ତ୍ରୀ କରାଯାଇଛି। ତେଣୁ ଆଗାମୀ ଦିନରେ ଓଡ଼ିଶା ରାଜନୀତିରେ ଶ୍ରୀ ବୈଷ୍ଣବଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହେବ ବୋଲି କୁହାଯାଉଛି। ତାଙ୍କ ପ୍ରଦର୍ଶନ ଓ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ନ୍ୟାୟ ପ୍ରଦାନ ଉପରେ ରାଜ୍ୟ ରାଜନୀତିର ନୂଆ ସମୀକରଣ ନିର୍ଭର କରୁଛି। ଶ୍ରୀ ବୈଷ୍ଣବଙ୍କୁ ରେଳବାଇ ସହ କମ୍ୟୁନିକେସନ୍, ଇଲେକ୍ଟ୍ରୋନିକ୍ସ ଓ ଇନ୍‌ଫର୍ମେସନ୍ ଟେକ୍ନୋଲୋଜି ମନ୍ତ୍ରଣାଳୟ ଦାୟିତ୍ବ ମଧ୍ୟ ମିଳିଛି।

ମୋଦୀ କ୍ୟାବିନେଟ୍‌ରେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। କିନ୍ତୁ ତାଙ୍କ ବିଭାଗ ବଦଳାଯାଇଛି। ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରଣାଳୟ ବଦଳରେ ତାଙ୍କୁ ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଦିଆଯାଇଛି। ପୂର୍ବରୁ ସେ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଦାୟିତ୍ବରେ ଦୁଇ ବର୍ଷ ରହିଥିଲେ। ଶିକ୍ଷା କ୍ଷେତ୍ରରେ ଶ୍ରୀ ପ୍ରଧାନଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। କାରଣ ବର୍ତ୍ତମାନର କରୋନା ମହାମାରୀ ସମୟରେ ଶିକ୍ଷା କ୍ଷେତ୍ରରେ ବହୁ ଆହ୍ବାନ ସୃଷ୍ଟି ହୋଇଛି। ଏହି ଆହ୍ବାନକୁ ମୁକାବିଲା କରି ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣି ଯୁବ ସମାଜକୁ ବାଟ ଦେଖାଇବା ଶ୍ରୀ ପ୍ରଧାନଙ୍କ ପାଇଁ ପ୍ରମୁଖ କାର୍ଯ୍ୟ ହେବ। ତେବେ ମୋଦୀ ସରକାର କେନ୍ଦ୍ରରେ ପ୍ରତିଷ୍ଠା ହେବା ପର ଠାରୁ ରାଜ୍ୟ ବିଜେପିର ଚେହେରା ପାଲଟିଥିବା ଶ୍ରୀ ପ୍ରଧାନଙ୍କ ପ୍ରଭାବ ରାଜ୍ୟ ସଂଗଠନ ଉପରେ ଅତୁଟ ରହିବାରେ କୌଣସି ସମସ୍ୟା ସୃଷ୍ଟି ହୋଇ ନ ପାରେ।

ରାଜ୍ୟ ବିଜେପିର ଆଦିବାସୀ ଚେହେରା କହିଲେ ଗତ କିଛି ବର୍ଷ ଧରି ଜୁଏଲ ଓରାମକୁ ହିଁ ବୁଝାଯାଉଥିଲା। ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳ ଓ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପାଳିରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର କ୍ୟାବିନେଟ୍ ମନ୍ତ୍ରୀ ଭାବେ ତାଙ୍କୁ ନିଆଯାଇଥିଲା। କିନ୍ତୁ ମୋଦୀଙ୍କ ଦ୍ବିତୀୟ ପାଳିରେ ଜୁଏଲଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳି ନ ଥିଲା। ଦ୍ରୌପଦୀ ମୁର୍ମୁ ସେହି ସମୟରେ ଝାଡ଼ଖଣ୍ଡର ରାଜ୍ୟପାଳ ଥିବାରୁ ବିଜେପି ଯେ ଓଡ଼ିଶାରେ ଆଦିବାସୀଙ୍କ ସହ ଅଛି, ସେହି ବାର୍ତ୍ତା ଦିଆଯାଉଥିଲା। ଏହା ମଧ୍ୟରେ ଶ୍ରୀମତୀ ମୁର୍ମୁଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି। ତେଣୁ ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରି ରଖିବା ପାଇଁ ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡ଼ୁଙ୍କୁ ହଠାତ ଦଳ ଆଗକୁ ଆଣିଛି। ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ ଶ୍ରୀ ଟୁଡ଼ୁ ହିଁ ରାଜ୍ୟ ବିଜେପିର ଆଦିବାସୀ ଚେହେରା ହେବେ ବୋଲି ସଙ୍କେତ ମିଳୁଛି। ତାଙ୍କୁ ମଧ୍ୟ ଆଦିବାସୀ ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ କରାଯାଇଛି। ତାହା ସହ ଜଳଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ଭାବେ ସେ ଦାୟିତ୍ବ ନିର୍ବାହ କରିବେ।

ବିଜେପିର ଗଡ଼ କୁହାଯାଉଥିବା ପଶ୍ଚିମ ଓଡ଼ିଶାକୁ ନିରାଶ କରାଯିବା ରାଜ୍ୟ ରାଜନୀତିରେ ଏକ ଅଭାବନୀୟ ଘଟଣା। କାରଣ ପଶ୍ଚିମ ଓଡ଼ିଶାରୁ ବିଜେପିର ୫ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଜୁଏଲ ଓରାମ, ସୁରେଶ ପୂଜାରୀ, ସଙ୍ଗୀତା ସିଂହଦେଓ, ବସନ୍ତ ପଣ୍ଡା ଓ ନିତେଶ ଗଙ୍ଗଦେବ ନିର୍ବାଚିତ ହୋଇଛନ୍ତି। ଏହି ସାଂସଦମାନଙ୍କ ପ୍ରଦର୍ଶନ ମଧ୍ୟ ଅପେକ୍ଷାକୃତ ଭଲ ରହିଛି। ମୋଦୀଙ୍କ ଦ୍ବିତୀୟ ପାଳିର ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଓଡ଼ିଶାରେ କାହାକୁ ନିଆଯାଇ ନ ଥିଲା। ତେବେ ଏଥର ଜଣଙ୍କୁ ସୁଯୋଗ ମିଳିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ସେହି ଅନୁମାନ ଭୁଲ୍ ପ୍ରମାଣିତ ହୋଇଛି। ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ରହିଛି। ତେଣୁ ପଶ୍ଚିମ ଓଡ଼ିଶା ଭୋଟ୍ ବ୍ୟାଙ୍କକୁ ବିଜେପି ଅକ୍ଷତ ନ ରଖିଲେ କ୍ଷମତା ରାଜନୀତିରେ ଦଳକୁ ବହୁମୂଲ୍ୟ ଦେବାକୁ ପଡ଼ିପାରେ। ସେଥି ପାଇଁ ବିଜେପି କି ରଣନୀତି ପ୍ରସ୍ତୁତ କରୁଛି, ତାହା ଉପରେ ରାଜନୈତିକ ମହଲର ନଜର ରହୁଛି।

ଓଡ଼ିଶାର ଭୋଟ୍ ରାଜନୀତିରେ ମହିଳା ଭୋଟର୍‌ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କ ଭୋଟ୍‌ର ସିଂହ ଭାଗ ଶାସକ ବିଜେଡି ସପକ୍ଷରେ ହିଁ ଯାଉଛି। ତେଣୁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ଓଡ଼ିଶାରୁ ଜଣେ ମହିଳା ସାଂସଦଙ୍କୁ ମନ୍ତ୍ରୀ କରିପାରେ ବୋଲି ବିଭିନ୍ନ ମହଲରେ ଆକଳନ କରାଯାଉଥିଲା। ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ନାମ ମଧ୍ୟ ଚର୍ଚ୍ଚାରେ ରହିଥିଲା। କିନ୍ତୁ ବିଜେପି ମହିଳା କାର୍ଡ ନ ଖେଳିବା ଦଳର ସଂଗଠନ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିପାରେ।

ଆଜିର ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟାରେ ପ୍ରତାପ ଷଡ଼ଙ୍ଗୀଙ୍କୁ ବାଦ୍ ଦିଆଯିବା ଏକ ଅପ୍ରତ୍ୟାଶିତ ଘଟଣା। ଦୁଇ ବର୍ଷ ତଳେ ଶ୍ରୀ ଷଡ଼ଙ୍ଗୀ ଶପଥ ନେଲା ବେଳେ ସେ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଥିଲେ। ସାରା ଦେଶରେ ସେ ଏକ ଚର୍ଚ୍ଚିତ ଚେହେରା ପାଲଟିଥିଲେ। ସେ ଆଗାମୀ ଦିନରେ ଓଡ଼ିଶା ବିଜେପିର ଚେହେରା ହେବେ ବୋଲି କିଛି ମହଲରେ ଆକଳନ କରାଯାଉଥିଲା। କିନ୍ତୁ ଦୁଇ ବର୍ଷ ଭିତରେ ତାଙ୍କ ଉପରେ ପ୍ରଧାନମନ୍ତ୍ରୀ ଭରସା ତୁଟାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧିତ ଖବର