ଓଡିଶାରେ ଦିନକୁ ହାରାହାରି ୬.୬୫ ଟନ୍ ମେଡିକାଲ ଜୈବିକ ବର୍ଜ୍ୟବସ୍ତୁ ବାହାରୁଛି

ନୂଆଦିଲ୍ଲୀ : କରୋନାର ମହାମାରୀ ଯ଼ୋଗୁଁ ଦେଶର ଡାକ୍ତରଖାନାଗୁଡ଼ିକରୁ ବାହାରୁଥିବା ଜୈବିକ ବର୍ଜ୍ୟବସ୍ତୁର ପରିମାଣ ଅନେକ ପରିମାଣରେ ବୃଦ୍ଧି ପାଉଛି ।

ଫେବୃୟାରୀ ତୁଳନାରେ ମେ’ ମାସର ପ୍ରଥମ ଦଶ ଦିନରେ ହାରାହାରି ପ୍ରତିଦିନ ଚାରି ଗୁଣ ଅଧିକ ଜୈବିକ ବର୍ଜ୍ୟବସ୍ତୁ ବାହାରୁଥିବାର କେନ୍ଦ୍ରିୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ବାରା ସତ୍ୟତମ ଜାରି କରାଯାଇଥିବା ତଥ୍ୟରେ ଉଲ୍ଲେଖ କରାଯାଇଛି।

ତଥ୍ୟରେ ମେଡିକାଲ ଜୈବିକ ବର୍ଜ୍ୟବସ୍ତୁ ମାମଲାରେ ଓଡିଶା ଦେଶରେ ୧୧ ତମ ସ୍ଥାନରେ ରହିଛି। ଓଡିଶାରେ ମେ’ ୧୦ ତାରିଖ ପର୍ଯ୍ୟନ୍ତ ଦୈନିକ ହାରାହାରି ୬.୬୫ ଟନ ମେଡିକାଲ ଜୈବିକ ବର୍ଜ୍ୟବସ୍ତୁ ବାହାରୁଥିବାର ସିପିସିବିର ରିପୋର୍ଟରେ କୁହାଯାଇଛି। ଅପରପକ୍ଷେ ଦେଶରେ ମେ’ ୧୦ ସୁଦ୍ଧା ପ୍ରତିଦିନ ଦୈନିକ ମେଡିକାଲ ଜୈବିକ ବର୍ଜ୍ୟବସ୍ତୁର ପରିମାଣ ୨୦୩ ଟନ୍ ରହିଥିବାର ସିପିସିବିର ରିପୋର୍ଟରେ ଉଲ୍ଲେଖ ଅଛି। କେରଳରେ ପ୍ରତିଦିନ ସର୍ବାଧିକ ୨୩. ୭୧ ଟନ୍ ଜୈବିକ ବର୍ଜ୍ୟବସ୍ତୁ ବାହାରୁଥିବାର ସିପିସିବି ରିପୋର୍ଟରେ ଦର୍ଶାଇଛି।

ରିପୋର୍ଟରେ ମେଡିକାଲ ଜୈବିକ ବର୍ଜ୍ୟବସ୍ତୁର ବିସର୍ଜନ ପାଇଁ ଦେଶରେ ପ୍ରତିଷ୍ଠା ହୋଇଥିବା ୧୯୮ଟି କମନ୍‌ବାୟୋ ମେଡିକାଲ ୱେଷ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ଓଡିଶାରେ ୫ଟି ପ୍ଳାଣ୍ଟ କାର୍ଯ୍ୟରତ ଥିବାର କୁହାଯାଇଛି। ସିପିସିବି ଦ୍ବାରା ରାଜ୍ୟମାନଙ୍କର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଓ ସଚିବ ସଦସ୍ୟମାନଙ୍କ ସହିତ ମେଡିକାଲ ଜୈବିକ ବର୍ଜ୍ୟବସ୍ତୁର ପରିଚାଳନା ସଂପର୍କୀତ ସମୀକ୍ଷା ବୈଠକରେ ରାଜ୍ୟମାନଙ୍କର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡମାନଙ୍କ ପକ୍ଷରୁ ରାଜ୍ୟ ମାନଙ୍କରେ ଜୈବିକ ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା ରହିଥିବାର ଅବଗତ କରାଯାଇଥିବା ସଂପର୍କରେ ରିପୋର୍ଟରେ ଉଲ୍ଲେଖ ଅଛି। ସୂଚନାଯୋଗ୍ୟ, ଗତମାସରେ ରାଜ୍ୟ ସରକାରଙ୍କଦ୍ବାରା ମେଡିକାଲ ଜୈବିକ ବର୍ଜ୍ୟବସ୍ତୁ ପରିଚାଳନା ନେଇ ନିଆଯାଇଥିବା ପଦକ୍ଷେପ ସଂପର୍କରେ ବିସ୍ତୁତ ଭାବେ ଏନ୍‌ଜିଟିରେ ସତ୍ୟପାଠ ଦାଖଲ କରାଯାଇଥିଲା।

ସମ୍ବନ୍ଧିତ ଖବର