‘ଓଡ଼ିଶା ଗେଷ୍ଟ କଣ୍ଟ୍ରୋଲ ଅର୍ଡର-୧୯୬୮’ କାର୍ଯ୍ୟକାରୀ ପାଇଁ ଜନସ୍ୱାର୍ଥ ମାମଲା

କଟକ: ‘ଓଡ଼ିଶା ଗେଷ୍ଟ କଣ୍ଟ୍ରୋଲ ଅର୍ଡର-୧୯୬୮’ କାର୍ଯ୍ୟକାରୀ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ କପାସି ଅଞ୍ଚଳର ଇତିଶ୍ରୀ ରାଉତଙ୍କ ପକ୍ଷରୁ ରୁଜୁ ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ଖାଦ୍ୟଦ୍ରବ୍ୟ ନଷ୍ଟ ରୋକିବାକୁ ଓ ସାଧାରଣ ଜନତାଙ୍କ ଉପରେ ଅଯଥା ବୋଝକୁ ଏଡାଇବା ପାଇଁ ରାଜ୍ୟ ସରକାର ‘ଓଡ଼ିଶା ଗେଷ୍ଟ କଣ୍ଟ୍ରୋଲ ଅର୍ଡର-୧୯୬୮’ ୧୯୬୮, ଏପ୍ରିଲ ୧୪ରେ କାର୍ଯ୍ୟକାରୀ କରିଥିଲେ। କୌଣସି ବିବାହ ବ୍ରତ ଭୋଜି ସହିତ ସାମାଜିକ ଉତ୍ସବରେ ଅଯଥା ଖର୍ଚ୍ଚ ରୋକିାବକୁ ଓ ଖାଦ୍ୟଦ୍ରବ୍ୟର ନଷ୍ଟ ଉପରେ ଅଙ୍କୁଶ ଜାରି ପାଇଁ ସରକାର ଏପରି ନିଷ୍ପତ୍ତି ଗ୍ରହଣ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ନିୟମ ପାଳନ କରାଯାଇ ନଥିଲା। ବିଭିନ୍ନ କାର୍ଯ୍ୟକ୍ରମରେ ବହୁମାତ୍ରାରେ ଖାଦ୍ୟ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ନିୟମ ଅନୁସାରେ କୌଣସି କାର୍ଯ୍ୟକ୍ରମରେ ଶହେ ଅତିଥି ଡାକିବାର ବ୍ୟବସ୍ଥା ଥିବା ବେଳେ ଏହି ନିୟମ ଉଲ୍ଲଂଘନ କରାଯାଉଛି। ଏହି ନିୟମ ପାଳନରେ ଅବହେଳା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆବେଦନକାରିଣୀ ଦର୍ଶାଇଛନ୍ତି। ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ ରାଉତ ମାମଲା ପରିଚାଳନା କରୁଥିବା ବେଳେ ଜୟନ୍ତୀ ନାୟକ, ସୁରେନ୍ଦ୍ର କୁମାର ରାଉତ, ମନୋଜ କୁମାର ମହାନ୍ତି ତାଙ୍କୁ ସହାୟତା କରୁଛନ୍ତି।।

ସମ୍ବନ୍ଧିତ ଖବର