ଏଥର ରେଳ ବଜେଟରେ ଓଡ଼ିଶା ପାଇଁ ୬୯୯୫ କୋଟିର ବ୍ୟୟବରାଦ, ଗତ ବର୍ଷ ତୁଳନାରେ ୨୬% ବୃଦ୍ଧି

ଭୁବନେଶ୍ବର : ୨୦୨୧-୨୨ର ରେଳ ବଜେଟରେ ଓଡ଼ିଶା ଲାଗି ୬୯୯୫.୫୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ପୂର୍ବଥର ତୁଳନାରେ ୨୬ ପ୍ରତିଶତ ଅଧିକ  । ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୨୦-୨୧ ରେ ଓଡିଶାକୁ  ୫୭୫୯.୬୪ କୋଟି ଟଙ୍କା ଅନୁଦାନ ମିଳିଥିଲା ।

ନୂଆ ବଜେଟରେ ୨୮୯ କିମି ଖୋର୍ଦ୍ଧା ରୋଡ- ବଲାଙ୍ଗୀର ରେଳ ଲାଇନ ପାଇଁ ୧୦୦୦.୫୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି ।  ୯୮.୭ କିମି ଅନୁଗୁଳ-ସୁକିନ୍ଦା ରୋଡ୍ ଲାଇନ ପାଇଁ ୪୦୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି ।  ୮୨ କିମି ହରିଦାସପୁର-ପାରାଦୀପ ରେଳ ଲାଇନ ପାଇଁ ୧୦୦ କୋଟି ଟଙ୍କା ଦିଆଯାଇଛି ।  ସମ୍ବଲପୁର- ତାଳଚେରର ୧୭୪.୧୧ କିମି ରେଳ ଲାଇନ ଦୋହରୀକରଣ ପାଇଁ ୧୭୩.୮୨ କୋଟି ଟଙ୍କା ଦିଆଯାଇଛି ।  ସମ୍ବଲପୁର – ଟିଟିଲାଗଡ ୧୮୨.୧୧ କିମି ରେଳ ଲାଇନର ଦୋହରୀକରଣ ପାଇଁ ୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।  ଟିଟିଲାଗଡରୁ ବିଜୟନଗରମ୍ ୨୬୪.୬ କିମି ତୃତୀୟ ଲାଇନ ପାଇଁ ୩୦୦ କୋଟି ଟଙ୍କା ଦିଆଯାଇଛି ।  ରାଉରକେଲାରୁ ଝାରସୁଗୁଡା ତୃତୀୟ ଲାଇନ ପାଇଁ ୨୩୦ କୋଟି ଟଙ୍କା ଦିଆଯାଇଛି ।  ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ନୂଆ ଲାଇନର କାର୍ଯ୍ୟ ପାଇଁ ୧୫୫୩.୬୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି ।

ସେହିପରି ରାଜ୍ୟରେ ରେଳଲାଇନର ଦୋହରୀକରଣ ପାଇଁ ୧୭୦୨.୪୯ କୋଟି ଟଙ୍କା ଦିଆଯାଇଛି ।  ଯାତ୍ରୀ ସୁବିଧା ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୯୦.୮ କୋଟି ଟଙ୍କା ଦିଆଯାଇଥିଲା ମାତ୍ର ୨୦୨୧ -୨୨ ଆର୍ଥିକ ବର୍ଷ ପାଇଁ ଏହାକୁ ବୃଦ୍ଧି କରାଯାଇ ୩୦୦.୮ କୋଟି ଟଙ୍କା କରାଯାଇଛି ।  ଅନୁଗୁଳ ଇଲେକ୍ଟ୍ରିକ୍ ଲୋକୋ ସେଡ୍ ହୋଲ୍ଡିଂ କାପାସିଟିକୁ ୧୦୦ ଇଞ୍ଜିନରୁ ୧୫୦ ଇଞ୍ଜିନକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ପୂର୍ବ ଭାରତରେ ଅନୁଗୁଳକୁ ରେଳ ଇଞ୍ଜିନ ଲୋକୋସେଡରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇବ ।  କଳାହାଣ୍ଡିରେ ଇଲେକ୍ଟ୍ରିକ୍ ଇଞ୍ଜିନ୍ ଓଭରହଲିଂ ୱାର୍କସପ୍ (ବିଦ୍ୟୁତ୍ ଇଞ୍ଜିନ୍ କାରଖାନା ) ମଧ୍ୟ ପ୍ରତିଷ୍ଠା କରିବା ନେଇ ବଜେଟରେ ଘୋଷଣା କରାଯାଇଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପ ପାଇଁ ଅଧିକ ଟଙ୍କା ଅନୁଦାନ ଦେଇ ଓଡିଶା ତଥା ପୂର୍ବ ଭାରତର ବିକାଶକୁ ଅଧିକ ପ୍ରାଥମିକତା ଦେଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ରେଳ ପ୍ରକଳ୍ପର ଶୀଘ୍ର କାର୍ଯ୍ୟାନ୍ୱୟନ ପାଇଁ ଏହି ବଜେଟରୁ କେନ୍ଦ୍ରୀଭୂତ ହୋଇଛି ।  ଚଳିତ ବଜେଟରେ ରେଳ କ୍ଷେତ୍ରରେ ଓଡିଶାକୁ ଦିଆଯାଇଥିବା ଅନୁଦାନର ଅର୍ଥ ରାଜ୍ୟରେ ରେଳ ଭିତ୍ତିଭୂମି ଓ ରେଳ ସଂଯୋଗ ସ୍ଥାପନକୁ ସୁଦୃଢ କରିବା ସହ ଯାତ୍ରୀଙ୍କ ସୁବିଧା ବଢାଇବାରେ ସହାୟକ ହେବ ।

ସମ୍ବନ୍ଧିତ ଖବର