ରାଜ୍ୟକୁ ଜିଏସ୍‌ଟି କ୍ଷତିପୂରଣ ଭରଣା : ପ୍ରଥମ ୬ ମାସ ପାଇଁ ମିଳିଲା ୧୩୨୬ କୋଟି

ଏ ହାତରୁ ନେଇ ସେ ହାତରେ ଦେଉଛି କେନ୍ଦ୍ର

ଭୁବନେଶ୍ୱର : ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ବାବଦରେ ରାଜ୍ୟ ସରକାରଙ୍କୁ ପ୍ରଥମ ୬ ମାସର କ୍ଷତିପୂରଣ ରାଶି ମିଳିଛି। ଜିଏସ୍‌ଟି ଲାଗୁ ହେବାର ଏହି ୬ ମାସ ପାଇଁ ମିଳିଛି ୧୩୨୬ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ। ଓଡ଼ିଶା ଭଳି ରାଜ୍ୟକୁ ଜିଏସ୍‌ଟି ବାବଦରେ ୧୪ ପ୍ରତିଶତ ହାରରେ କ୍ଷତିପୂରଣ ମିଳିବା କଥା। କିନ୍ତୁ ମିଳିଛି ପାଖାପାଖି ୧୬ ପ୍ରତିଶତ। ଏହି ଜିଏସ୍‌ଟି କ୍ଷତିପୂରଣ ନିର୍ଧାରଣ ଏମିତି କରାଯାଇଛି ଯେ, କେନ୍ଦ୍ର ରାଜ୍ୟମାନଙ୍କଠାରୁ ଏ ହାତରେ ନେଇ ସେ ହାତରେ ଭରଣା କରୁଛି। ବରଂ ରାଜ୍ୟ ସରକାର ପୂର୍ବାପେକ୍ଷା ଅଧିକ କ୍ଷତି ସହୁଥିବା କୁହାଯାଉଛି।

ଜିଏସ୍‌ଟି ଲାଗୁ ହେଲେ ରାଜ୍ୟ କେତେ କ୍ଷତି ସହିବ, ସେ ବାବଦରେ ପୂର୍ବରୁ ନିର୍ଧାରିତ ୧୪ ପ୍ରତିଶତ ହାରରେ କ୍ଷତିପୂରଣ ଭରଣା ବ୍ୟବସ୍ଥା କରାଯାଇଛି। ୨୦୧୭ ଅଗଷ୍ଟ ମାସରୁ ରାଜ୍ୟରେ ଜିଏସ୍‌ଟି ଲାଗୁ ହୋଇଛି। ଅଗଷ୍ଟ ମାସରୁ ଚଳିତ ବର୍ଷ ଜାନୁଆରି ମାସ ପର୍ଯ୍ୟନ୍ତ ପ୍ରଥମ ୬ ମାସ ନିମନ୍ତେ ଜିଏସ୍‌ଟି କ୍ଷତିପୂରଣ ବାବଦରେ କେନ୍ଦ୍ରଠାରୁ ମିଳିଛି ୧୩୨୬ କୋଟି। ସରକାରୀ ସୂତ୍ର ଅନୁସାରେ ଏହି ୬ ମାସ ମଧ୍ୟରେ ରାଜ୍ୟ ସରକାର ୫୦୧୭.୩୫ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛନ୍ତି। ଏହା ପୂର୍ବର ୬ ମାସ ମଧ୍ୟରେ ଯେତେବେଳେ ମୂଲ୍ୟଯୁକ୍ତ କର(ଭାଟ୍‌) ପ୍ରଚଳନ ହେଉଥିଲା, ସେହି ୬ ମାସରେ ମିଳିଥିଲା ୫୪୪୬.୯୭ କୋଟି। ଫଳରେ ଜିଏସ୍‌ଟି ଲାଗୁ ହେବା ପରେ ଏହି ୬ ମାସ ମଧ୍ୟରେ ୭.୮୯ ପ୍ରତିଶତ କ୍ଷତି ଘଟିଛି। କ୍ଷତି ପଛର କାରଣ ହେଉଛି, ଜିଏସ୍‌ଟି ପ୍ରଚଳନ ହେବା ଦ୍ୱାରା ରାଜ୍ୟ ସରକାର ଧାନ, ଚାଉଳ, ମୁଗ, ବିରି ସହିତ କିଛି କିସମର ଡାଲି, ମଟର ଆଦି ଉପରୁ ଭାଟ୍‌ ଆଦାୟ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ଏ ବାବଦରେ ୫ ପ୍ରତିଶତ ହାରରେ ଭାଟ୍‌ ଆଦାୟ କରାଯାଉଥିଲା। ଫଳରେ ବର୍ଷକୁ ପାଖାପାଖି ୬୦୦ କୋଟି ଟଙ୍କାର ରାଜସ୍ୱ ଆଦାୟ କରୁଥିଲେ ରାଜ୍ୟ ସରକାର ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତିି।

ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଜିଏସ୍‌ଟି ଆଦାୟ କରୁଛନ୍ତି। କିନ୍ତୁ କୋଇଲା ସେସ୍‌, ସିଗାରେଟ୍‌, ଥଣ୍ଡା ପାନୀୟ, ଦାମୀ କାର୍‌ ଆଦି କ୍ଷେତ୍ରରୁ କେବଳ କେନ୍ଦ୍ରକୁ ମିଳୁଛି ଜିଏସ୍‌ଟି। ଏହି ରାଶିରୁ ରାଜ୍ୟମାନଙ୍କୁ ନିର୍ଧାରିତ ହିସାବ ଅନୁଯାୟୀ କ୍ଷତିପୂରଣ ଭରଣା କରାଯାଉଛି। ଏ ପଟେ ରାଜ୍ୟ ପେଟ୍ରୋଲ୍‌, ଡିଜେଲ୍‌, ବିମାନ ଇନ୍ଧନ(ଏଟିଏଫ୍‌), ମଦ୍ୟ ବାବଦରେ ରାଜ୍ୟ ଭାଟ୍‌ ଆଦାୟ କରୁଛି। ପେଟ୍ରୋଲ୍‌, ଡିଜେଲ୍‌ ଆଦିର ମୂଲ୍ୟ ବଢ଼ିଚାଲିଥିବାରୁ ତଦନୁଯାୟୀ ବଢ଼ୁଛି ରାଜ୍ୟର ରାଜସ୍ୱ। ଗତ ୬ ମାସ(ଅଗଷ୍ଟରୁ ଜାନୁଆରି)ରେ ଏ ବାବଦରେ ପ୍ରାୟ ୧୩ ପ୍ରତିଶତ ରାଜସ୍ୱ ବଢ଼ିଛି। ଅବଶ୍ୟ ଭାରତୀୟ ତୈଳ ନିଗମ ଲିମିଟେଡ୍‌(ଆଇଓସିଏଲ୍‌)ଠାରୁ ମୋଟ ୨୯୩୪ କୋଟି ଟଙ୍କାର ରାଜସ୍ୱ ମିଳିଛି। ଯଦିଓ ଏହି ରାଶି ୨୦୧୫ ଡିସେମ୍ବର ମାସରୁ ୨୦୧୭ ଜୁଲାଇ ମାସ ମଧ୍ୟରେ ମିଳିବା କଥା, ଏହି ଅନାଦେୟ ଟିକସକୁ ବର୍ଷର ଶେଷାର୍ଧରେ ପୈଠ କରାଯାଇଛି।

ସମ୍ବନ୍ଧିତ ଖବର