ମମତାଙ୍କୁ ସମ୍ବର୍ଦ୍ଧିତ କଲେ କେଜ୍‌ରିଓ୍ଵାଲ୍‌

ରାଜନଗର : କୁମ୍ଭୀର ପାଟିରୁ ବଡ଼ଭଉଣୀକୁ ବଞ୍ଚାଇଥିବା ରାଜନଗର ବ୍ଲକ ଡାଙ୍ଗମାଳ ପଞ୍ଚାୟତ ବାଙ୍କୁଆଳ ଗାଁର ମମତା ଦଳାଇ(୬) ଜାତୀୟ ସାହସିକତା ପୁରସ୍କାର ପାଇବେ। ଆସନ୍ତା ୨୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ‘ବାପୁ ଗାଇଧାନୀ’ ପୁରସ୍କାର ପ୍ରଦାନ କରିବେ। ଏହି ପୁରସ୍କାର ଗ୍ରହଣ କରିବା ପାଇଁ ବାପା ନିର୍ମଳ ଦଳାଇଙ୍କ ସହିତ ମମତା ଦିଲ୍ଲୀରେ ପହଞ୍ଚଛନ୍ତି। ମମତାଙ୍କ ସାହସିକତା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଆଜି ତାଙ୍କୁ ସେଠାରେ ସମ୍ବର୍ଦ୍ଧିତ କରିଛନ୍ତି। ଦିଲ୍ଲୀରେ ପାଠ ପଢ଼ିବାକୁ ଚାହିଁଲେ ଦିଲ୍ଲୀ ସରକାର ପାଠ ପଢ଼ାର ସମସ୍ତ ବ୍ୟବସ୍ଥା କରିବେ ବୋଲି କେଜ୍‌ରିଓ୍ଵାଲ୍‌ କହିଛନ୍ତି।

ମମତା ଜାତୀୟ ସାହସିକତା ପୁରସ୍କାର ପାଇବା ପାଇଁ ଦିଲ୍ଲୀ ଯିବା ଓ ଭାରତୀୟ ଶିଶୁ କଲ୍ୟାଣ ପରିଷଦ ପକ୍ଷରୁ ତାଙ୍କ ସାହସିକତାକୁ ସ୍ୱୀକୃତି ମିଳିବା ଘଟଣା ରାଜନଗର ଅଞ୍ଚଳରେ ଖୁସିର ଲହରୀ ଖେଳାଇଦେଇଛି। ମମତାଙ୍କ ପାଇଁ ଡାଙ୍ଗମାଳ ପଞ୍ଚାୟତ ଓ ରାଜନଗର ଗୌରାବାନ୍ଵିତ ହୋଇଛି ବୋଲି ସ୍ଥାନୀୟ ସରପଞ୍ଚ ରମେଶ ଚନ୍ଦ୍ର ବେହେରା କହିଛନ୍ତି।

ସୂଚନା ଥାଉ କି, ରାଜନଗର ବ୍ଲକ ଡାଙ୍ଗମାଳ ପଞ୍ଚାୟତ ବାଙ୍କୁଆଳ ଗାଁ ଭିତରକନିକା ଜାତୀୟ ଉଦ୍ୟାନର ପ୍ରବେଶ ପଥକୁ ଲାଗି କରି ରହିଛି। ଏପ୍ରିଲ୍‌ ୪ ତାରିଖ ଅପରାହ୍ନରେ ନିର୍ମଳଙ୍କ ବଡ଼ଝିଅ ଝିଅ ଅଶାନ୍ତି ଓ ମମତା ବାଡ଼ିରେ ଥିବା ପୋଖରୀକୁ ଯାଇଥିଲେ। ଅଶାନ୍ତି ପାଣିରେ ପଶି ଧୋଇ ହେଉଥିଲେ। ହଠାତ୍‌ ୫ ଫୁଟ ଲମ୍ବର ବଉଳା କୁମ୍ଭୀର ତାଙ୍କ ଡାହାଣ ହାତକୁ ଝାମ୍ପ ମାରିଥିଲା। ପୋଖରୀ କୂଳରେ ଛିଡ଼ା ହୋଇଥିବା ମମତା ଏହା ଦେଖି ବଡ଼ ଭଉଣୀର ହାତକୁ ଧରି ଉପରକୁ ଝିଙ୍କି ଆଣିଥିଲେ। କୁମ୍ଭୀରଟି ଛିଟିକି ପଡ଼ି ପାଣି ଭିତରକୁ ଚାଲିଯାଇଥିଲା। ଅଶାନ୍ତିଙ୍କ ଡାହାଣ ହାତରେ ଗୁରୁତର କ୍ଷତ ସୃଷ୍ଟି ହୋଇଥିଲେ ବି ସାନଭଉଣୀ ପାଇଁ ନୂଆ ଜୀବନ ପାଇ ପାରିଥିଲେ।

ସମ୍ବନ୍ଧିତ ଖବର