ମମତାଙ୍କୁ ମିଳିଲା ସାହସିକତା ପୁରସ୍କାର

ରାଜନଗର :  କୁମ୍ଭୀର ପାଟିରୁ ବଡ଼ଭଉଣୀକୁ ବଞ୍ଚାଇଥିବା ରାଜନଗର ବ୍ଲକ ଡାଙ୍ଗମାଳ ପଞ୍ଚାୟତ ବାଙ୍କୁଆଳ ଗାଁର ମମତା ଦଳାଇ ଆଜି ଜାତୀୟ ସାହସିକତା ପୁରସ୍କାର ପାଇଛନ୍ତିି। ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସମ୍ମାନଜନକ ‘ବାପୁ ଗେୟାଧାନୀ’ ସମ୍ମାନରେ ସମ୍ମାନିତ କରିଛନ୍ତିି। ପୁରସ୍କାର ବାବଦକୁ ମାନପତ୍ର ସହିତ ୪୦ ହଜାର ଟଙ୍କାର ସମ୍ମାନ ରାଶି ମିଳିଥିବା ଜଣାପଡ଼ିଛି।

ଭିତରକନିକା ଜାତୀୟ ଉଦ୍ୟାନର ପ୍ରବେଶପଥ ନିକଟରେ ରାଜନଗର ବ୍ଲକ ଡାଙ୍ଗମାଳ ପଞ୍ଚାୟତ ବାଙ୍କୁଆଳ ଗାଁର ନିର୍ମଳ ଦଳାଇଙ୍କ ପୋଖରୀ ରହିଛି। ଗତବର୍ଷ  ଏପ୍ରିଲ୍‌ ୪ ତାରିଖରେ ନିର୍ମଳଙ୍କ ବଡଝିଅ ଅଶାନ୍ତି ଉକ୍ତ ପୋଖରୀରେ ଶୌଚ ହେଉଥିଲେ। କୂଳରେ ମମତା ଛିଡା ହୋଇଥିଲେ। ଏହି ସମୟରେ ପୋଖରୀ ଭିତରକୁ ପଶିଆସିଥିବା ଏକ ୫ ଫୁଟ ଲମ୍ବର ବଉଳା କୁମ୍ଭୀର ଅଶାନ୍ତିର ଡାହାଣ ହାତକୁ ଝାମ୍ପ ମାରିଥିଲା। ପୋଖରୀ ହୁଡ଼ାରେ ଛିଡା ହୋଇଥିବା ମମତା ସାହାସ ଜୁଟାଇ କୁମ୍ଭୀର ପାଟିରୁ ବଡ଼ ଭଉଣୀର ହାତକୁ ଧରି ଝିଙ୍କି ଆଣିଥିଲା। କୁମ୍ଭୀରଟି ଛିଟିକି ପଡ଼ି ପାଣି ଭିତରକୁ ଚାଲିଯାଇଥିଲା। ଅଶାନ୍ତିର ଡାହାଣ ହାତରେ ଗୁରୁତର କ୍ଷତ ସୃଷ୍ଟି ହୋଇଥିଲେ ବି’ ସାନଭଉଣୀ ପାଇଁ ନୂଆ ଜୀବନ ପାଇଥିଲା।

‘ସମ୍ବାଦ’ ପ୍ରଥମ ପୃଷ୍ଠାରେ ଏହି ଖବର ପ୍ରକାଶ ପାଇବା ପରେ ସବୁ ମହଲରେ ମମତାଙ୍କ ସାହସିକତାର ଚର୍ଚ୍ଚା ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଦୁଇ ଭଉଣୀଙ୍କୁ ସାବାସୀ ଜଣାଇଥିଲେ। ସଚିବାଳୟରେ ଦୁଇ ଭଉଣୀଙ୍କ ସହ ସେଲ୍‌ଫି ନେବା ସହ ସାଇକଲ ଉପହାର ଦେଇଥିଲେ। ଅକ୍ଟୋବର ୨୯ରେ ମମତାଙ୍କୁ ସରକାରଙ୍କ ପକ୍ଷରୁ ସାହାସିକତା ପୁରସ୍କାର ପ୍ରଦାନ କରାଯାଇଥିଲା।

ଆଜି ତାଙ୍କୁ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଜାତୀୟ ସାହାସିକତା ପୁରସ୍କାର ପ୍ରଦାନ କରିଛନ୍ତି। ଆଜି ଜାତୀୟ ସାହସିକତା ପୁରସ୍କାର ପାଇଥିବା ୧୮ଜଣଙ୍କ ମଧ୍ୟରୁ ମମତା ସବୁଠୁ ସାନ। ଜାତୀୟ ପୁରସ୍କାର ପାଇଁ ୧୭ ତାରିଖରୁ ବାପାଙ୍କ ସହିତ ମମତା ଦିଲ୍ଲୀରେ ଅଛନ୍ତିି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ  ଓ ବିଭିନ୍ନ ସରକାରୀ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସେଠାରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ପୁରସ୍କାର ପାଇଁ ସେ ଅତ୍ୟନ୍ତ ଖୁସି ବୋଲି ମମତାଙ୍କ ବାପା ନିର୍ମଳ ଫୋନ୍‌ ଯୋଗେ ‘ସମ୍ବାଦ’କୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର