ଭୁବନେଶ୍ୱର : ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିପୂରଣ ରାଶି ବଢ଼ାଇବାକୁ ଗୃହ ବିଭାଗକୁ ପ୍ରସ୍ତାବ ଦେଇଛନ୍ତି ଓଡ଼ିଶା ସରକାର। ଗତକାଲି ସ୍ୱତନ୍ତ୍ର ରିଲିଫ୍ କମିସନର୍ ବିଷ୍ଣୁପଦ ସେଠୀ ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଇଛନ୍ତି। ଏଥିରେ ବିପର୍ଯ୍ୟୟରେ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ୬ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତାବ ରହିଛି। ବର୍ତ୍ତମାନ ଏହି ରାଶି ୪ ଲକ୍ଷ ଟଙ୍କା ରହିଛି। ସେହିପରି ୪୦ରୁ ୬୦ ପ୍ରତିଶତ ଅକ୍ଷମ ହେଲେ ବର୍ତ୍ତମାନ ୫୯,୧୦୦ ଏବଂ ୬୦ ପ୍ରତିଶତରୁ ଅଧିକ ଅକ୍ଷମ ହେଲେ ୨ ଲକ୍ଷ ଟଙ୍କା ମିଳୁଛି। ଏହି ଅର୍ଥକୁ ଯଥାକ୍ରମେ ୧ ଲକ୍ଷ ଓ ୩ ଲକ୍ଷ ଟଙ୍କା କରିବା ପାଇଁ ପ୍ରସ୍ତାବ ଯାଇଛି। ପ୍ରାକୃତିକ ବିପର୍ଯ୍ୟୟରେ ହସ୍ପିଟାଲ୍ରେ ଭର୍ତ୍ତି ହୋଇ ୭ ଦିନରୁ କମ୍ ରହିଲେ ୪,୩୦୦ ଟଙ୍କା ଏବଂ ୭ ଦିନରୁ ଅଧିକ ରହିଲେ ୧୨,୭୦୦ ଟଙ୍କା ମିଳୁଛି। ଏହି ପରିମାଣକୁ ଯଥାକ୍ରମେ ୭,୦୦୦ ଓ ୨୦,୦୦୦ ଟଙ୍କା କରିବା ପାଇଁ ପ୍ରସ୍ତାବ ରହିଛି।
୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଥିଲେ ମିଳୁଥିବା ଇନ୍ପୁଟ୍ ସବ୍ସିଡିକୁ ବଢ଼ାଇବା ପାଇଁ ମଧ୍ୟ ଓଡ଼ିଶା ପ୍ରସ୍ତାବ ରଖିଛି। ଅଣଜଳସେଚିତ ଜମି ପାଇଁ ବର୍ତ୍ତମାନ ଇନ୍ପୁଟ୍ ସବ୍ସିଡି ହେକ୍ଟର୍ ପିଛା ୬,୮୦୦ ଟଙ୍କା ଏବଂ ଜଳସେଚିତ ଜମି ପାଇଁ ୧୩,୫୦୦ ଟଙ୍କା ମିଳୁଛି। ଏହି ଅର୍ଥକୁ ଯଥାକ୍ରମେ ୧୦ ହଜାର ଓ ୨୦ ହଜାର କରିବା ପାଇଁ ପ୍ରସ୍ତାବ ରହିଛି। ପ୍ରାକୃତିକ ବିପର୍ଯ୍ୟୟରେ ଘର ଭାଙ୍ଗିଗଲେ ବର୍ତ୍ତମାନ ମିଳୁଥିବା ୯୫,୧୦୦ ଟଙ୍କାକୁ ବଢ଼ାଇ ୧,୨୦,୦୦୦ ଟଙ୍କା କରିବାକୁ ଏସ୍ଆର୍ସି ପ୍ରସ୍ତାବ ଦେଇଛନ୍ତି। ସେହିପରି ପାହାଡ଼ିଆ ଅଞ୍ଚଳରେ ଏହି ପରିମାଣକୁ ୧,୩୦,୦୦୦ ଟଙ୍କା କରିବାକୁ କୁହାଯାଇଛି। ଅନ୍ୟ ସମସ୍ତ କ୍ଷେତ୍ରରେ କ୍ଷତିପୂରଣ ରାଶି ବଢ଼ାଇବାକୁ ପ୍ରସ୍ତାବ ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/desaster.jpg)