ନୂଆ ରେଳମନ୍ତ୍ରୀଙ୍କଠାରୁ ଅନେକ ଆଶା
୪ ବର୍ଷ ଧରି ସୁନ୍ଦରଗଡ଼ ପାଣି ପବନ ସହ ଜଡ଼ିତ, ରାଉରକେଲାକୁ ସ୍ବତନ୍ତ୍ର ରେଳ ଡିଭିଜନ୍ ମାନ୍ୟତା ଦାବି
ତାଳଚେର- ବିମଳାଗଡ ରେଳ ପ୍ରକଳ୍ପ ଓ ୬ ରେଳଲାଇନ ସଂଯୋଗୀକରଣ କାମ ବି ବାକି ଅଛି
ଚକ୍ରଧରପୁର ମଣ୍ଡଳର ପ୍ରତିବର୍ଷ ଆୟ ୧୦ ହଜାର ୫୦୦ କୋଟି
ରାଉରକେଲା : ଓଡ଼ିଶାକୁ ମିଳିଛି ରେଳ ମନ୍ତ୍ରାଳୟ। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ର ବଣାଇ ଉପଜିଲ୍ଲାପାଳ ଭାବେ ନିଜ ଚାକିରି ଜୀବନ ଆରମ୍ଭ କରିଥିବା ପୂର୍ବତନ ପ୍ରଶାସକ ଅଶ୍ବିନୀ ବୈଷ୍ଣବଙ୍କୁ ମିଳିଛି ଏହି ଗୁରୁତ୍ବପୂର୍ଣ୍ଣ ବିଭାଗ। ପ୍ରାୟ ୪ ବର୍ଷ ସୁନ୍ଦରଗଡ଼ ପାଣି ପବନ ସହ ଜଡ଼ିତ ନୂଆ ରେଳମନ୍ତ୍ରୀଙ୍କ ଠାରୁ ଜିଲ୍ଲାବାସୀ ଅନେକ ଆଶା ରଖିଛନ୍ତି। ତାଙ୍କ ସମୟରେ ଜିଲ୍ଲାର ବହୁ ପ୍ରତୀକ୍ଷିତ ରେଳ ପ୍ରକଳ୍ପଗୁଡ଼ିକ ଆଗେଇବ ବୋଲି ଜିଲ୍ଲାବାସୀ ଆଶାବାଦୀ। ଏସବୁ ମଧ୍ୟରେ ରହିଛି ରାଉରକେଲାକୁ ସ୍ବତନ୍ତ୍ର ରେଳ ଡିଭିଜନ୍ ମାନ୍ୟତା ଓ ୬ଟି ରେଳଲାଇନର ସଂଯୋଗୀକରଣ ଭଳି ବହୁ ପୁରୁଣା ଦାବି।
୧୯୮୦ରୁ ରାଉରକେଲାକୁ ସ୍ବତନ୍ତ୍ର ରେଳ ଡିଭିଜନ କରିବାକୁ ଜୋରଦାର୍ ଦାବି ହୋଇଆସୁଛି। କିନ୍ତୁ ଏଯାଏଁ ଜିଲ୍ଲାବାସୀଙ୍କୁ ରେଳ ମନ୍ତ୍ରାଳୟ ଭଣ୍ଡାଇ ଚାଲିଛି। ଦକ୍ଷିଣ-ପୂର୍ବ ରେଳବାଇ ଅଧୀନରେ ଚକ୍ରଧରପୁର, ଖଡ଼ଗପୁର, ଆଦ୍ରା ଓ ରାଞ୍ଚି ଡିଭିଜନ୍ ରହିଛି। ଏହା ଅଧୀନରେ ଓଡ଼ିଶାର ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଅଛି। ପ୍ରତିବର୍ଷ ଦକ୍ଷିଣ-ପୂର୍ବ ରେଳବାଇ ଯେତିକି ରାଜସ୍ବ ପାଉଛି, ତାର ୭୦% କେବଳ ଓଡ଼ିଶାର ଏହି ୫ଟି ଜିଲ୍ଲାରୁ ଯାଉଛି। ଚକ୍ରଧରପୁର ରେଳ ଡିଜିଜନ ଅଧୀନରେ ରହିଛି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲା। ଏହି ଡିଭିଜନ ବାର୍ଷିକ ପ୍ରାୟ ୧୦ ହଜାର ୫୦୦ କୋଟି ଟଙ୍କା ରାଜସ୍ବ ପାଉଛି। ଯାହାର ୭୦ ପ୍ରତିଶତରୁ ଅଧିକ ଯାଉଛି ଓଡ଼ିଶାର ଏହି ୩ଟି ଜିଲ୍ଲାରୁ। ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାକୁ ଚକ୍ରଧରପୁରରୁ ଅଲଗାକରି ରାଉରକେଲାରେ ଏକ ସ୍ବତନ୍ତ୍ର ଡିଭିଜନ ସ୍ଥାପନ କରିବାର ଦାବି ନିଶ୍ଚିତ ରୂପେ ଯୁକ୍ତିଯୁକ୍ତ। ଭିତ୍ତିଭୂମି ଦୃଷ୍ଟିରୁ ରାଉରକେଲା ବନ୍ଧମୁଣ୍ଡା ଏଥିପାଇଁ ଉପଯୁକ୍ତ ସ୍ଥାନ। ଏଠାରେ ଏଆର୍ଏମ୍ ଅଫିସ୍ ରହିଛି। ଏଆର୍ଏମ୍ ଅଫିସକୁ ଡିଆର୍ଏମ୍ ଅଫିସ୍ କରାଯାଇ ପାରିବ। ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଆବଶ୍ୟକ ଶହ ଶହ ରେଳବାଇ କ୍ବାର୍ଟର୍ସ ମଧ୍ୟ ଖାଲି ପଡିଛି। ଏଠାରେ ରେଲୱେର ସ୍ବତନ୍ତ୍ର ହସ୍ପିଟାଲ ଅଛି। ଏସବୁ ଦୃଷ୍ଟିରୁ ରାଉରକେଲାକୁ ସ୍ବତନ୍ତ୍ର ଡିଭିଜନ୍ କରିବାର କୌଣସି ଅସୁବିଧା ନାହିଁ।

ଅନୁରୂପ ଭାବେ ଜିଲ୍ଲାର ଅର୍ଥନୈତିକ ବିକାଶରେ ବାଧକ ସାଜିଛି ୬ଟି ରେଳ ଲାଇନ ସଂଯୋଗକରଣ କାମ। ରେଳ ବୋର୍ଡ ପକ୍ଷରୁ ଏ ବାବଦରେ କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଜମି ଅଧିଗ୍ରହଣ ସମସ୍ୟା ଓ ଇଚ୍ଛାଶକ୍ତି ଅଭାବରୁ ଏସବୁ କେବଳ ସର୍ଭେରେ ଅଟକିଛି। ରକ୍ସି-ବାଂଶପାଣି ଭାୟା କୋଇଡା (୫୭.୫ କି.ମି.) ପାଇଁ ୧୭୪୬.୨୯ କୋଟି, କିରିବୁରୁ- ବଡ଼ବିଲ (୨୪.୨ କି.ମି.) ପାଇଁ ୭୦୫.୧୭ କୋଟି, କଲୁଙ୍ଗା- ଲାଠିକଟା ( ପ୍ରାୟ ୧୫ କି.ମି. ) ପାଇଁ ୧୫୦ କୋଟି ବ୍ୟୟ ବରାଦ ହୋଇଛି ଅନେକ ଆଗରୁ। ଗତ ୨୦୧୮ ମେ ୩ରେ କୋଇଡା- ବଡ଼ବିଲ୍ ଲାଇନ ସର୍ଭେ କରି ରେଲୱେ ବୋର୍ଡକୁ ପ୍ରସ୍ତାବ ଦିଆଯାଇଥିଲା। ସେହି ଭଳି ଝାରସୁଗୁଡ଼ା-ଅମ୍ବିକାପୁର, କିରିବୁରୁ-ଗୋଆ ରେଳ ଲାଇନ ପାଇଁ ମଧ୍ୟ ସର୍ଭେ ହୋଇଥିଲା। ମୋଟାମୋଟି ଭାବେ ୨୦୨୩-୨୪ ସୁଦ୍ଧା ଏସବୁ ରେଳ ଲାଇନ କାମ ଶେଷ ହେବା କଥା। କିନ୍ତୁ ସେ ଦିଗରେ ଆନ୍ତରିକତା ଦେଖିବାକୁ ମିଳୁନାହିଁ।
ଅନୁରୂପ ଭାବେ ବହୁ ଦିନର ଦାବି ତାଳଚେର- ବିମଳାଗଡ଼ ରେଳ ଲାଇନ କାମ ମଧ୍ୟ କଚ୍ଛପ ଗତିରେ ଚାଲିଛି। ୧୯୨୮ କୋଟି ଟଙ୍କାର ୧୫୪ କି.ମି. ତାଳଚେର- ବିମଳାଗଡ଼ ରେଳ ପ୍ରକଳ୍ପ ପାଇଁ ଏ ଯାବତ୍ ଖର୍ଚ୍ଚ ହୋଇଛି ୮୩୯ କୋଟିରୁ ଅଧିକ। ତାଳଚେରରୁ ସୋନାଖଣି ପର୍ଯ୍ୟନ୍ତ କେବଳ ୨୦ କି.ମି. ନିର୍ମାଣ କାମ ଶେଷ ହୋଇଛି। ଏହା ସତ୍ତ୍ବେ ଏହି ରେଳ ଲାଇନ୍ ପାଇଁ ୨୦୨୦-୨୧ ବର୍ଷରେ ଆହୁରି ୧୪୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। କିନ୍ତୁ କାମ ଆଶାନୁରୂପ ଆଗଉନାହିଁ। ଏଥିପାଇଁ ଖଣିଜ ପରିବହନ କାମରେ ସମ୍ପୃକ୍ତ ଅଞ୍ଚଳରେ ପ୍ରତି ଦିନ ଭୀଷଣ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି।

ସେପଟେ ସୁନ୍ଦରଗଡ଼ ଜିଲ୍ଲାରେ ରାଜ୍ୟର ଷ୍ଟିଲ ହବ୍ ହେବାକୁ ଯାଉଛି। ବନ୍ଦ ପଡ଼ିଥିବା ଖଣିଗୁଡ଼ିକ ନିଲାମ ହୋଇ ପୁଣି ସେଠାରୁ ଲୌହ ପଥର ଉତ୍ତୋଳନ ଆରମ୍ଭ ହେବ। ଏସବୁ ଦୃଷ୍ଟିକୋଣରୁ ଏହି ୬ଟି ରେଳ ପ୍ରକଳ୍ପ ଶେଷ ହେବା ନିହାତି ଆବଶ୍ୟକ। ଲାଠିକଟା- କଲୁଙ୍ଗା ଷ୍ଟେସନ ପାଖରେ କୌଣସି ସ୍ଥାନରେ ରେଲୱେ ସାଇଡିଂ ନିର୍ମାଣ କରାଗଲେ ସ୍ମାର୍ଟ ସିଟି ରାଉରକେଲାର ଟ୍ରାଫିକ ସମସ୍ୟା ଅନେକାଂଶରେ ଦୂର ହୋଇପାରନ୍ତା। ରେଳ ବିଭାଗ ଜିଲ୍ଲାରୁ ଅଧିକ ରାଜସ୍ବ ପାଇପାରନ୍ତା। ସ୍ଥାନୀୟ ନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି ହୁଅନ୍ତା। ତେବେ ଏହି ପ୍ରକଳ୍ପଗୁଡ଼ିକର ଭାଗ୍ୟ ରେଳ ମନ୍ତ୍ରଣାଳୟର ଆନ୍ତରିକତାର ଉପରେ ନିର୍ଭର କରୁଛି। ଏଥିପ୍ରତି ଧ୍ୟାନ ଦିଆଗଲେ ଜିଲ୍ଲାବାସୀଙ୍କ ବହୁ ଦିନର ଆଶା ଓ ଆବଶ୍ୟକତା ପୂରଣ ହୋଇପାରନ୍ତା।