ଭୁବନେଶ୍ୱର: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୁରୁବାର ସୋନପୁରରୁ ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଏହା ପରଠାରୁ ଓଡ଼ିଶା ବିଜେପି ପୂରା ଆକ୍ରମଣାଢଙ୍ଗରେ ପ୍ରଚାର ଜୋରଦାର୍ କରିବ। ଗାଁ ଗାଁରେ କିପରି ରାଜ୍ୟ ସରକାରଙ୍କ ବିଫଳତା, ଅପାରଗତା ପହଞ୍ଚିବ ସେନେଇ ଦଳ ‘ଚାର୍ଜସିଟ୍’ ପ୍ରସ୍ତୁତ କରିଛି। ‘କେତେ ଦିନ ସହିବା, ପରିବର୍ତ୍ତନ ଆଣିବା’ ନାଁରେ ଆସିଥିବା ଏହି ଚାର୍ଜସିଟ୍‌ରେ ବିଜେଡି ସରକାରରେ ପଞ୍ଚାୟତଠୁ ସଚିବାଳୟ ଯାଏ ହୋଇଥିବା ବିଭିନ୍ନ ଦୁର୍ନୀତିକୁ ସ୍ଥାନିତ କରାଯାଇଛି। ବିଜେପି ଶାସକ ବିଜେଡିକୁ ୨୫ଟି ପ୍ରଶ୍ନ କରିଛି। ଆଜି ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲ ଠାରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏହି ଚାର୍ଜସିଟ୍‌କୁ ‌ଲୋକାର୍ପିତ କରି କହିଛନ୍ତି ଯେ ୩୫% ଚା‌ଷ ଜମିକୁ ଜଳସେଚନ ଯୋଗାଇ ଦିଆଯିବ ବୋଲି ବିଜେଡି ସରକାର ରାଜ୍ୟବାସୀଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇ ପୂରଣ କରିବାରେ ବିଫଳ ହୋଇଛି। ରାଜ୍ୟର ୩୧୪ ବ୍ଲକରେ ଶୀତଳଭଣ୍ଡାର ଖୋଲିପାରିନି, ଗରିବ କୃଷକଙ୍କ ପାଖରେ କାଳିଆ ଯୋଜନାର ଲାଭ ପହଞ୍ଚୁନି। ଓଡ଼ିଶାରେ କୃଷକଙ୍କ ଆୟ ସର୍ବଭାରତୀୟ ସ୍ତରରେ ସର୍ବନିମ୍ନ। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରାଗଲା ନାହିଁ। ଓଡ଼ିଶାରେ ମହିଳା ଅପରାଧ ବଢ଼ି ଚାଲିଛି ଓ ଶିଶୁ ଅପହରଣରେ ଓଡ଼ିଶା ଢେର୍‌ ଆଗରେ। ୨୪ବର୍ଷ ନବୀନ ଶାସନରେ ଯୁବକଙ୍କ ପାଇଁ ଚାକିରି ନାହିଁ। ଫଳରେ ସୁରଟ, ବେଙ୍ଗାଲୁର, ମୁମ୍ବାଇରେ ଦାଦନ ଖଟିବାକୁ ଓଡ଼ିଆ ଯୁବକ ଯାଉଛନ୍ତି। ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିଗଲାଣି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା କାରଣରୁ ଗରିବ ବାସହୀନ ପକ୍କା ଘର ପାଇବାରୁ ବଞ୍ଚିତ। କେବଳ ସେତିକି ନୁହେଁ, ରାଜ୍ୟରେ ୬୧୩% ଆତ୍ମହତ୍ୟା ହାର ବଢ଼ିଛି । ୬୧୨୪ ଗାଁକୁ ରାସ୍ତା ନାହିଁ। ପାନୀୟ ଜଳ ସମସ୍ୟା, ଅପପୁଷ୍ଟି ରୋକିବାରେ ବିଜେଡି ସରକାର ବିଫଳ। ଏହା ପ୍ରମାଣିତ କରୁଛି ଯେ ଓଡ଼ିଶାରେ ଶାସନ ବ୍ୟବସ୍ଥା ଲାଇନଚ୍ୟୁତ ହୋଇଯାଇଛି। ତେଣୁ ବିଜେପି ଗାଁ ଗାଁରେ ସଭା କରି ଲୋକଙ୍କ ପାଖରେ ଚାର୍ଜସିଟ୍ ପହଞ୍ଚାଇବ। ଓଡ଼ିଶାରେ ମୋଦୀ ଗ୍ୟାରେଣ୍ଟି ନେଇ ବିଜେପି ନିର୍ବାଚନ ଲଢ଼ିବ।

Advertisment

ବିଜେଡି ସରକାର ବିରୋଧରେ ବିଜେପିର ‘ଚାର୍ଜସିଟ୍’ ଲୋକାର୍ପିତ
ଓଡ଼ିଶା ଏବେ ଅଫିସରଙ୍କ ଆତଙ୍କ ରାଜ୍ୟ ପାଲଟିଛି: ମନମୋହନ
ଓଡ଼ିଶାବାସୀଙ୍କଠାରୁ ତାମିଲନାଡ଼ୁକୁ କାହିଁକି ଶସ୍ତାରେ ବିଜୁଳି ଦିଆଯାଉଛି?

ଏହାସହ ଶ୍ରୀ ଯାଦବ କହିଛନ୍ତି ଯେ ଓଡ଼ିଶାବାସୀ ବିଜୁଳି ୟୁନିଟ୍ ପିଛା ୨ଟଙ୍କା ୮୩ପଇସା ଦେଉଛନ୍ତି। ହେଲେ ତାମିଲନାଡ଼ୁରେ ୟୁନିଟ୍ ପିଛା ୨ଟଙ୍କା ୫୩ପଇସା ଦେବାକୁ ପଡୁଛି। ଓଡ଼ିଶାରୁ ବିଦ୍ୟୁତ୍‌ ନେଇ ଓଡ଼ିଶାବାସୀଙ୍କଠାରୁ ତାମିଲନାଡୁକୁ କାହିଁକି ଶସ୍ତାରେ ବିଜୁଳି ଦିଆଯାଉଛି, ତାହାର ଉତ୍ତର ଶାସନ ମୁଖିଆ ନବୀନ ବାବୁ ଦେବେ କି? ଏହି ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ନବୀନ ସରକାର ସମୟରେ ଓଡ଼ିଶାର ଲକ୍ଷ ଲକ୍ଷ ପରିବାର ଚିଟ୍‌ଫଣ୍ଡର ଶିକାର ହେଲେ। ସେମାନଙ୍କୁ ସେମାନଙ୍କ ଜମା ଟଙ୍କା ଫେରାଇବାକୁ କର୍ପସ୍ ଫଣ୍ଡ ଗଠନ ହେଲା। କମିସନ ବି ବସିଲା। ହେଲେ ଫଳ ଶୂନ। ଏ ରାଜ୍ୟରେ ମନ୍ତ୍ରୀ, ବିଧାୟକ, ସାଂସଦ ଆଦି ଲୋକପ୍ରତିନିଧିଙ୍କ ସମ୍ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟରେ ଜନପ୍ରତିନିଧି ନୁହନ୍ତି ବରଂ କିଛି ମୁଷ୍ଟିମେୟ ଅଧିକାରୀ ସରକାରକୁ ନିୟନ୍ତ୍ରଣ କରୁଛନ୍ତି। ଓଡ଼ିଶା ଏବେ ଅଫିସରଙ୍କ ଆତଙ୍କ ଦେଖାଦେଇଛି। ଏହି କାର୍ଯ୍ୟକ୍ରମରେ ଚାର୍ଜସିଟ୍‌ କମିଟିର ରାଜ୍ୟ ଆବାହକ ସମୀର ମହାନ୍ତି, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂହ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ସୁରମା ପାଢୀ, ମୁଖପାତ୍ର ସଜ୍ଜନ ଶର୍ମା, କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭାତୀ ପରିଡ଼ା ଏବଂ ସୁଦର୍ଶନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।