ଭୁବନେଶ୍ବର: ପ୍ରତିରକ୍ଷା ଉପକରଣ ନିର୍ମାତା ଆଇଜି ଡିଫେନ୍ସକୁ ଡ୍ରୋନ୍ କାରଖାନା ନିର୍ମାଣ କରିବାକୁ ରାଜ୍ୟ ସରକାର ଗଞ୍ଜାମରେ ୩୦ ଏକର ଜମି ଆବଣ୍ଟନ କରିଛନ୍ତି। ଜମି ମିଳିବାର ଅତିବେଶିରେ ଦୁଇ ବର୍ଷରେ କାରଖାନା ନିର୍ମାଣ ହୋଇଯିବ ବୋଲି କମ୍ପାନିର ଉପାଧ୍ୟକ୍ଷ ମେଜର ଜେନେରାଲ ରମେଶ ଚନ୍ଦ୍ର ପାଢ଼ୀ କହିଛନ୍ତି। ଉକ୍ତ କାରଖାନାରେ କମ୍ପାନି ବିଭିନ୍ନ କ୍ଷମତା, ଆକାର ଓ ଆକୃତିର ଡ୍ରୋନ୍, ଏୟାର ଡିଫେନ୍ସ ସିଷ୍ଟମ୍, ଗୁରୁତ୍ବପୂର୍ଣ୍ଣ ମିଲିଟାରି ଓ ଅନ୍ୟାନ୍ୟ ପ୍ରତିରକ୍ଷା ଉପକରଣ ତିଆରି କରିବ।
କାରଖାନା ପରିସରରେ ଉତ୍ପାଦନ ୟୁନିଟ୍, ଗବେଷଣା ଓ ବିକାଶ କ୍ଷେତ୍ର ଓ ଅନ୍ୟାନ୍ୟ ପରିଚାଳନା ବିଭାଗ ରହିବ। ଏହି କାରଖାନାରେ କମ୍ପାନି ୩୦୦ କୋଟି ଟଙ୍କା ନିବେଶ କରିବ ବୋଲି ସେ ସୂଚନା ଦେଇଛନ୍ତି।୨୦୧୮ରେ ସ୍ଥାପନ ହୋଇଥିବା ଆଇଜି ଡିଫେନ୍ସର ଏକ କାରଖାନା ନୋଏଡାରେ ରହିଛି। ଗତବର୍ଷ ଭାରତୀୟ ସେନାର ଅପରେସନ ସିନ୍ଦୂର ପାଇଁ କମ୍ପାନି କାମାକାଜି ଓ ଏଫ୍ପିଭି ଭଳି ଦୁଇ ପ୍ରକାର ଡ୍ରୋନ୍ ଯୋଗାଇଥିଲା। କମ୍ପାନି ପାଖରେ ବର୍ତ୍ତମାନ ୧୦୦ କୋଟି ଟଙ୍କାର ଉପକରଣ ଯୋଗାଣ ବରାଦ ରହିଛି। ୨୦୨୬-୨୭ରେ ବରାଦ ପରିମାଣ ୫୦୦ କୋଟି ଟଙ୍କା ଓ ପରବର୍ତ୍ତୀ ଆର୍ଥିକ ବର୍ଷରେ ୨୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଥିବା ଶ୍ରୀ ପାଢ଼ୀ କହିଛନ୍ତି।
ବର୍ତ୍ତମାନ ଭାରତୀୟ ସେନାର ଆବଶ୍ୟକତା ପୂରଣ କରୁଥିବା ଆଇଜି ଡିଫେନ୍ସ ଆଗାମୀ ଦିନରେ ଏହାର ଉତ୍ପାଦ ରପ୍ତାନି କରିବାକୁ ଯୋଜନା ରଖିଛି। କମ୍ପାନି ସହିତ ଦୁବାଇ, ନାଇଜେରିଆ, ମଙ୍ଗୋଲିଆର ପ୍ରତିନିଧିମାନେ କଥାବାର୍ତ୍ତା କରୁଛନ୍ତି। କିନ୍ତୁ କମ୍ପାନିର ପ୍ରାଥମିକତା ଭାରତୀୟ ସେନାର ଆବଶ୍ୟକତା ପୂରଣ କରିବା ଉପରେ ରହିବ। ଏହା ଭାରତର ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ଏହାର ଉତ୍ପାଦ ଯୋଗାଇବାକୁ ଚାହୁଛି। ଓଡ଼ିଶାରେ ହେବାକୁ ଥିବା କାରଖାନା ସେନାର ପୂର୍ବାଞ୍ଚଳରେ ଥିବା ୟୁନିଟ୍ଗୁଡ଼ିକର ଡ୍ରୋନ୍ ଓ ଅନ୍ୟାନ୍ୟ ପ୍ରତିରକ୍ଷା ଉପକରଣ ଆବଶ୍ୟକତାକୁ ଖୁବ୍ କମ୍ ସମୟ ଭିତରେ ପୂରଣ କରିବାରେ ସହାୟକ ହୋଇପାରିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/12/untitled-28jpg-2026-02-12-18-18-13.jpeg)