୩ ବୃହତ୍ ଶିଳ୍ପର ନିବେଶ ପ୍ରସ୍ତାବକୁ ମଞ୍ଜୁରି, ୩ କମ୍ପାନି ଖଟାଇବେ ୧୭,୮୩୩ କୋଟି

ଉଚ୍ଚସ୍ତରୀୟ ଅନୁମୋଦନ କମିଟିର ସବୁଜ ସଙ୍କେତ, ୬୫୩୯ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ଭୁବନେଶ୍ବର : ନୂଆବର୍ଷର ପ୍ରାରମ୍ଭରେ ରାଜ୍ୟ ଶିଳ୍ପାୟନ କ୍ଷେତ୍ରରେ ଆଜି ଆଉ ପାଦେ ଆଗକୁ ବଢ଼ିଛି। ରାଜ୍ୟ ସରକାରଙ୍କ ଉଚ୍ଚ କ୍ଷମତାସମ୍ପନ୍ନ ଅନୁମୋଦନ କମିଟି ବୈଠକରେ ଆଜି ୩ଟି ବୃହତ୍ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏହି ୩ଟି ପ୍ରକଳ୍ପ ବାବଦରେ ମୋଟ ୧୭ ହଜାର ୮ ଶହ ୩୩ କୋଟି ଟଙ୍କା ନିବେଶ ହେବ। ଇସ୍ପାତ, ଆଲୁମିନିୟମ ଏବଂ ତାପଜ ବିଦ୍ୟୁତ୍‌ କ୍ଷେତ୍ରରେ ଏହି ପୁଞ୍ଜିନିବେଶ ହେବ। ଏଥିଯୋଗୁଁ ୬ ହଜାର ୫ ଶହ ୩୯ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଉଚ୍ଚସ୍ତରୀୟ କମିଟି ମଞ୍ଜୁରି ଦେଇଥିବା ପ୍ରସ୍ତାବଗୁଡ଼ିକ ମଧ୍ୟରେ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ବାର୍ଷିକ ୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରି ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପ ରାୟଗଡ଼ା ଜିଲ୍ଲାର କଂସାରିଗୁଡ଼ାଠାରେ ସ୍ଥାପନ ହେବ। ଉକ୍ତ ପ୍ରକଳ୍ପରେ ୮ ହଜାର କୋଟି ଟଙ୍କା ନିବେଶ ହେବ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଏଥିରେ ୪୨୫୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିଭଳି ଏନ୍‌ଟିପିସି ପକ୍ଷରୁ ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ରର ସମ୍ପ୍ରସାରଣକୁ ମଞ୍ଜୁରି ଦିଆଯାଇଛି। ଅନୁଗୁଳ ଜିଲ୍ଲାର ତାଳଚେରଠାରେ ହେବାକୁ ଥିବା ଉକ୍ତ ସମ୍ପ୍ରସାରଣ ପ୍ରକଳ୍ପରେ ୭୬୯୮.୪୬ କୋଟି ଟଙ୍କା ନିବେଶ‌ ହେବ। ସେହିଭଳି ରୁଙ୍ଗ୍‌ଟା ମାଇନ୍ସ ସୁନ୍ଦରଗଡ଼ ଜିଲ୍ଲା କମନ୍ଦା ସ୍ଥିତ ପ୍ରକଳ୍ପର ସମ୍ପ୍ରସାରଣକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପର ବର୍ତ୍ତମାନ ବାର୍ଷିକ ଇସ୍ପାତ ଉତ୍ପାଦନ ୦.୨୭ ନିୟୁତ ଟନ୍ ଥିବାବେଳେ ଏହାକୁ ୦.୯୦ ନିୟୁତ ଟନ୍‌କୁ ବୃଦ୍ଧି କରାଯିବ। ଏହି ପ୍ରକଳ୍ପରେ କମ୍ପାନି ୨୧୩୫ କୋଟି ଟଙ୍କା ନିବେଶ କରିବ। ଏଥିଯୋଗୁଁ ଉକ୍ତ ପ୍ରକଳ୍ପରେ ୨୨୮୯ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଖାରବେଳ ଭବନର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଗୃହ, ଶକ୍ତି ଓ ଏମ୍‌ଏସ୍‌ଏମ୍‌ଇ ବିଭାଗର ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି। ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମେକ୍ ଇନ୍ ଓଡ଼ିଶାର ୨୦୧୬, ୨୦୧୮ ସଂସ୍କରଣରେ ଆସିଥିବା ନିବେଶ ପ୍ରସ୍ତାବର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ମେକ୍ ଇନ୍ ଓଡ଼ିଶା ୨୦୨୦ ସଂସ୍କରଣର ପ୍ରସ୍ତୁତି ସମ୍ପର୍କିତ ନକ୍ସା ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର