ସରକାରଙ୍କୁ କୃଷକ କଂଗ୍ରେସର ପ୍ରଶ୍ନ : ସରକାରୀ ରିପୋର୍ଟରେ ସୋନପୁର ମରୁଡ଼ି ତଥ୍ୟ କାହିଁ?

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ସ୍ବତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀଙ୍କୁ ପ୍ରଦେଶ କ˚ଗ୍ରେସ କମିଟି କୃଷକ ସେଲ୍‌ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଚାଷୀ ସମସ୍ୟା ସଂପର୍କିତ ସ୍ମାରକ ପତ୍ର ଦେଇଛନ୍ତି। ସରକାରୀ ରିପୋର୍ଟରେ ସୋନପୁର ଜିଲ୍ଲାର ମରୁଡ଼ି ଓ ଚକଡ଼ା ପୋକ ଦ୍ବାରା କ୍ଷତିଗ୍ରସ୍ତ ଜମିଗୁଡ଼ିକ ତଥ୍ୟ କାହିଁ ବୋଲି ପଚାରିଛନ୍ତିି।

କୃଷକ ସେଲ୍‌ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଏକ ବିବୃତିରେ କହିଛନ୍ତି ଯେ ସୋନପୁର ଜିଲ୍ଲାର ୬ଟି ବ୍ଲକ ମଧ୍ୟରୁ ଉଲୁଣ୍ଡା, ତରଭା ଓ ସୋନପୁର ବ୍ଲକ ବିଶେଷ ଭାବେ ପ୍ରଭାବିତ। ସେସବୁ ବ୍ଲକର ଅଧିକାଂଶ ଜମି ଚକଡ଼ା ଓ ମରୁଡ଼ି ଦ୍ବାରା କ୍ଷତିଗ୍ରସ୍ତ ହୋଇଛି। ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତିି। ‌କେବଳ ସୋନପୁର ନୁହେଁ, ରାଜ୍ୟର ଅଧିକାଂଶ ଜିଲ୍ଲା‌େର ମରୁଡ଼ି ଓ ରୋଗପୋକ ଯୋଗୁଁ ଚାଷୀଙ୍କ କ୍ଷୟକ୍ଷତି ହେଲାଣି। ଏହାକୁ ଦୃଷ୍ଟିରେ ରଖି ଧାନ ସଂଗ୍ରହ ବେଳେ ରାଜ୍ୟ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ସହିତ କ୍ବିଣ୍ଟାଲ୍‌ ପିଛା ୩୦୦ ଟଙ୍କା ଓ କେନ୍ଦ୍ର ସରକାର ୫୦୦ ଟଙ୍କା ଲେଖାଏଁ ଏବଂ ସରକାର କ୍ଷତିଗ୍ରସ୍ତ ହେକ୍ଟର ଜମି ପିଛା ୨୦ ହଜାର ଟଙ୍କା ହିସାବରେ କ୍ଷତିପୂରଣ ପ୍ରଦାନ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର