ବାର୍ଦ୍ଧକ୍ୟ ଭତ୍ତା ୨୦୦ ଟଙ୍କା ବଢ଼ିଲା

୩୦୦ ଟଙ୍କା ଭତ୍ତା ଏଣିିକି ୫୦୦, ୫୦୦ ଟଙ୍କା ହେଲା ୭୦୦, ଫେବ୍ରୁଆରି ୧୫ ତାରିଖରୁ ମିଳିବ, ଉପକୃତ ହେବେ ୪୮ ଲକ୍ଷ ବୁଢ଼ାବୁଢ଼ି

ଭୁବନେଶ୍ବର : ସାମାଜିକ ସୁରକ୍ଷା ଭତ୍ତାରେ ସରକାର ୨୦୦ ଟଙ୍କା ବୃଦ୍ଧି କରିଛନ୍ତି। ଶନିବାର ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଘୋଷଣା କରିଛନ୍ତି।

ଏଣିକି ମଧୁବାବୁ ପେନସନ ଯୋଜନାରେ ୩୦୦ ଟଙ୍କା ପାଉଥିବା ହିତାଧିକାରୀ ମାସିକ ୫୦୦ ଟଙ୍କା ପାଇବେ। ସେହିପରି ୮୦ ବର୍ଷରୁ ଅଧିକ ବୟସ୍କ ବୁଢ଼ାବୁଢ଼ିଙ୍କୁ ମିଳୁଥିବା ୫୦୦ ଟଙ୍କା ୭୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ପୂର୍ବରୁ ମଧୁବାବୁ ପେନସନ ଯୋଜନାରେ ଅଧିକ ୫ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା। ଭତ୍ତା ବୃଦ୍ଧି ଯୋଗୁଁ ସାରା ରାଜ୍ୟରେ ୪୮ ଲକ୍ଷ ଗରିବ ବୁଢ଼ାବୁଢ଼ିଙ୍କ ସମେତ ଭିନ୍ନକ୍ଷମ, ବିଧବା ଓ ଅସହାୟ ମହିଳା ଏହି ଭତ୍ତା ବୃଦ୍ଧିର ଲାଭ ପାଇବେ େବାଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କେବଳ ସେତିକି ନୁହେଁ, ଆସନ୍ତା େଫବ୍ରୁଆରି ୧୫ ତାରିଖରୁ ଏହି ବର୍ଦ୍ଧିତ ଭତ୍ତା ମିଳିବ େବାଲି ସରକାର ଜଣାଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ସାମାଜିକ ସୁରକ୍ଷା ଉପରେ ସେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ସେ ଚାହାନ୍ତି, ରାଜ୍ୟର ସବୁ ଯୋଗ୍ୟ ହିତାଧିକାରୀ ସାମାଜିକ ସୁରକ୍ଷା ପାଆନ୍ତୁ। ଗରିବ ଲୋକଙ୍କ କଲ୍ୟାଣ ତାଙ୍କୁ ସବୁଠାରୁ ଅଧିକ ସନ୍ତୋଷ ଦେଇଥାଏ। ଗରିବ ବୃଦ୍ଧବୃଦ୍ଧା ଭଲରେ ରହିଲେ ତାଙ୍କ ପାଇଁ ସବୁଠାରୁ ବଡ଼ ଖୁସି ବୋଲି ଭିଡିଓ କନଫରେନସିଂ ଜରିଆରେ ଜନସାଧାରଣଙ୍କ ସହ ଆଲୋଚନା କଲାବେଳେ ମୁଖ୍ୟମନ୍ତ୍ରୀ କହିଥିଲେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ୧ ହଜାର ଟଙ୍କା କରିବାକୁ ବିଧାନସଭାରେ ଦାବି କରାଯାଇଥିଲା। ବର୍ତ୍ତମାନ ବଜାର ଦର ଯେପରି ହୁହୁ ହୋଇ ବଢ଼ିଚାଲିଛି ଜଣେ ବ୍ୟକ୍ତି ହଜାରେ ଟଙ୍କାରେ ଚଳିବା କଷ୍ଟକର।

ବିଜେପିରେ କିନ୍ତୁ ପରସ୍ପର ବିେରାଧୀ ମତ ପ୍ରକାଶ ପାଇଛି। ବିେଜପି ବିଧାୟକ ଦଳ ନେତା ଓ ଦଳର ମତ ଅଲଗା ଅଲଗା। ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓଙ୍କ କହିଛନ୍ତି, ୧୯ବର୍ଷ ତଳେ ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସରକାରର ଦାୟିତ୍ବ ନେଲେ ସେତେବେଳେ ରାଜ୍ୟର ଋଣଭାର ୧୮ ହଜାର କୋଟି ଥିଲା। ଏବେ ତାହା ୯୨ ହଜାର କୋଟିରେ ପହଞ୍ଚିଛି। ଭୋଟ ପାଇବା ପାଇଁ ସରକାର ରାଜ୍ୟକୁ ଋଣଯନ୍ତା ଭିତରକୁ ଠେଲିଦେଇଛନ୍ତି। ଏପରି ଜାରି ରହିଲେ ରାଜ୍ୟର ବିକାଶ ଠପ୍ ହୋଇଯିବ। ଓଡ଼ିଶା ସରକାର ସାମାଜିକ ସୁରକ୍ଷା ଭତ୍ତା ବୃଦ୍ଧି କଲା ପରେ ବି ଅନ୍ୟରାଜ୍ୟରେ ଦିଆଯାଉଥିବା ଭତ୍ତାଠାରୁ କମ୍ ବୋଲି ହିସାବ ଦେଇଛି ବିଜେପି। ଏକ ପ୍ରେସ ଇସ୍ତାହାରରେ ଉପସଭାପତି ସମୀର ମହାନ୍ତି କହିଛନ୍ତି, ଓଡ଼ିଶାରେ ମିଳୁଥିବା ମାସିକ ବାର୍ଦ୍ଧକ୍ୟ ଭତ୍ତା ଦେଶରେ ସବୁଠାରୁ କମ। ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ ସିକିମରେ ମାସକୁ ୧୦୦୦ ଟଙ୍କା ଭତ୍ତା ମିଳୁଛି। କେରଳ, ଦିଲ୍ଲୀ ଓ ଗୋଆରେ ମାସିକ ୨୦୦୦ ଟଙ୍କା ଦିଆଯାଉଛି। ଏସବୁ ରାଜ୍ୟରେ କେନ୍ଦ୍ର ସରକାର ଦେଉଥିବା ଅର୍ଥସହ ସମ୍ପୃକ୍ତ ରାଜ୍ୟ ସରକାର ନିଜ ବଜେଟରୁ ଅର୍ଥ ମିଶାଇ ହିତାଧିକାରୀଙ୍କୁ ଦେଉଛନ୍ତି। ଅଥଚ କେନ୍ଦ୍ର ସରକାରଙ୍କ ଅର୍ଥରେ ଓଡ଼ିଶା ସରକାର ଯୋଜନାର ନାଁ ବଦଳାଇ ନିଜେ ଦେଉଛନ୍ତି ବୋଲି କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି।

ବିରୋଧୀଙ୍କୁ ଜବାବ ଦେଇ ବିଜେଡି କହିଛି, ସାମାଜିକ ସୁରକ୍ଷା ଭତ୍ତା ବୃଦ୍ଧି ନେଇ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାର ନୈତିକତା ସେମାନଙ୍କର ନାହିଁ। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରରେ କ୍ଷମତାସୀନ ଥିବା କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ବୃଦ୍ଧବୃଦ୍ଧାଙ୍କ ପାଇଁ ଏହି ଯୋଜନାରେ ଟଙ୍କାଟିଏ ବି ବୃଦ୍ଧି କରିନଥିଲେ। ଏବେ ଯେତେବେଳେ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଇଛନ୍ତି ତାକୁ ସମାଲୋଚନା କରି କୁମ୍ଭୀରକାନ୍ଦଣା କାନ୍ଦିବାର ଆବଶ୍ୟକତା ନାହିଁ। ସେହିପରି ବିଜେପିକୁ ଜବାବ ଦେଇ ବିଜେଡି କହିଛି, ଯେତେବେଳେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ୨୦୦୦ ମସିହାରେ ଦାୟିତ୍ବ ନେଲେ ସେତେବେଳେ ଓଡ଼ିଶାର ବଜେଟ ଆକାର ୮ ହଜାର କୋଟି ଥିଲା ଓ ରାଜ୍ୟ ଉପରେ ୧୮ ହଜାର କୋଟିର ଋଣଭାର ଥିଲା। ଏବେ ଯେତେବେଳେ ରାଜ୍ୟ ବଜେଟ ୧ଲକ୍ଷ ୩୨ ହଜାର କୋଟିରେ ପହଞ୍ଚିଲାଣି ସେତେବେଳେ ଋଣଭାର ୯୦ ହଜାର କୋଟି ଛୁଇଁଛି। ଏହା ରାଜ୍ୟ ସରକାରଙ୍କ ବିତ୍ତୀୟ ସୁପରିଚାଳନା ଯୋଗୁଁ ସମ୍ଭବ ହୋଇପାରିଛି। ଅନ୍ୟପଟେ ୨୦୧୪ରୁ କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାର କ୍ଷମତାକୁ ଆସିବା ପରଠୁ ଗତ ସାଢ଼େ ଚାରିବର୍ଷ ଭିତରେ ଦେଶର ଋଣଭାର ୫୦ ପ୍ରତିଶତ ବୃଦ୍ଧି ପାଇଛି େବାଲି ବିେଜଡି ଆକ୍ଷେପ କରିଛି।

ସମ୍ବନ୍ଧିତ ଖବର