ଭୁବନେଶ୍ୱର : ଭାରତରେ ସମ୍ପ୍ରତି ଦେଖାଦେଇଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍ ଡାଉନ୍ ଜାରି କରାଯାଇଛି । ଇତିମଧ୍ୟରେ ଲକ୍ ଡାଉନ୍ ସମୟସୀମାକୁ ବର୍ଦ୍ଧିତ ମଧ୍ୟ କରାଯାଇଛି । ବହୁ କୁଶଳୀ ତଥା ଅଣ-କୁଶଳୀ ଶ୍ରମିକ କାମଧନ୍ଦା ଲାଗି  ବାହାର ରାଜ୍ୟକୁ ଯାଇଥିବା ବେଳେ ଅଟକି ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକ ସଂଖ୍ୟକ ଗୁଜରାଟରେ ଅଟକି ରହିଛନ୍ତି ।
ଏହାକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩୦ଟି ଅନ୍ ଲାଇନ୍ ସହାୟତା କେନ୍ଦ୍ର ସ୍ଥାପନ କରିଛନ୍ତି । ବରିଷ୍ଠ ଅଧିକାରୀଙ୍କ ସମେତ ନୋଡାଲ୍ ଅଧିକାରୀମାନେ ଶ୍ରମିକମାନଙ୍କ ସହିତ ଯୋଗାଯୋଗରେ ନିୟୋଜିତ ରହିଛନ୍ତି ।

Advertisment

ଏହି ଅବସରରେ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ ଆଇଏଏସ୍ ଅସିତ ତ୍ରିପାଠୀ କହିଲେ, ଓଡ଼ିଶାର ବହୁ ଶ୍ରମିକ ବିଭିନ୍ନ କାମଧନ୍ଦା ପାଇଁ ଭାରତର ବିଭିନ୍ନ ରାଜ୍ୟକୁ ଯାଇଥିଲେ । ତେବେ କରୋନା ସଂକ୍ରମଣ ଯୋଗୁ ଘୋଷଣା ହୋଇଥିବା ଲକ୍ ଡାଉନରେ ସେମାନେ ଅଟକି ରହିଛନ୍ତି । ରାଜ୍ୟର ବରିଷ୍ଠ ଆଇଏଏସ୍, ଆଇପିଏସ୍ ଅଧିକାରୀ ଏବଂ ନୋଡାଲ ଅଧିକାରୀମାନେ ଏନେଇ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରଖିଛନ୍ତି । ସେମାନଙ୍କ ପାଖରେ ଆବଶ୍ୟକ ରିଲିଫ୍ ସହାୟତା ପଠାଇବା କାର୍ଯ୍ୟ ଜାରି ରହିଛି ।

ଏହି ଅବସରରେ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ମୁଖ୍ୟ ସଚିବ ଆଇଏଏସ୍ ସଞ୍ଜିବ୍ ଚୋପ୍ରା କହିଲେ, ଲକ୍ ଡାଉନ୍ ଯୋଗୁ ଓଡ଼ିଶାର ବହୁ ଶ୍ରମିକ ବେଶ୍ ପ୍ରଭାବିତ ହୋଇଛନ୍ତି । ଆମର ୨୪ ଘଂଟିଆ ହେଲପ୍ ଲାଇନ୍ ଏବଂ ପୋର୍ଟାଲ ଦ୍ୱାରା ସେମାନଙ୍କ ପାଖରେ ନିରନ୍ତର ରିଲିଫ୍ ସହାୟତା ମାର୍ଚ୍ଚ ୨୬ଠାରୁ ଯୋଗାଣ ଜାରି ରହିଛି । ସେମାନଙ୍କ ପ୍ରତିଟି କଲ୍ ଗ୍ରହଣ କରାଯିବା ସହିତ ଆବଶ୍ୟକ ସୂଚନା ସେମାନଙ୍କୁ ପ୍ରଦାନ କରାଯାଉଛି । ସେମାନଙ୍କ ହେଲପ୍ ଲାଇନ୍ ପକ୍ଷରୁ ମଧ୍ୟ କଲ୍ କରାଯାଉଛି ।

କୋଭିଡ୍-୧୯ ସଙ୍କଟ ସମୟରେ ରାଜ୍ୟ ବାହାରେ ଥିବା ଶ୍ରମିକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବେଶ୍ ଯତ୍ନବାନ ହେବା ସହିତ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି । ରାଜ୍ୟ ସରକାରଙ୍କ ହେଲପ୍ ଲାଇନ୍ ସେମାନଙ୍କ ପାଇଁ ବେଶ୍ ସହାୟକ ହୋଇପାରୁଛି । ଏହାଦ୍ୱାରା ସେମାନଙ୍କର ସଙ୍କଟ ଲାଘବ ହୋଇପାରିଛି ।

ରାଜ୍ୟ ସରକାର ଇଜି-୫ ଗ୍ରୁପ୍ ଦ୍ୱାରା ଶ୍ରମିକଙ୍କ ପାଖରେ ଆବଶ୍ୟକ ଖାଦ୍ୟ ଏବଂ ପରିବହନ ବ୍ୟବସ୍ଥା ପହଂଚାଇବା ଜାରି ରଖିଛନ୍ତି । ଭାରତ ସରକାର ଓଡ଼ିଶା ରାଜ୍ୟ ସରକାରଙ୍କ ଏଭଳି ଭୂମିକାକୁ ବେଶ୍ ପ୍ରଶଂସା କରିଛନ୍ତି ।