ଭୁବନେଶ୍ୱର : ରାଜ୍ୟର ଯୁବବର୍ଗଙ୍କ ଦକ୍ଷତା ବିକାଶ ପାଇଁ ରାଜ୍ୟ ସରକାର ଆଜି ୫ଟି ଅନୁଷ୍ଠାନ ସହ ଚୁକ୍ତିନାମା (ଏମ୍‌ଓୟୁ) ସ୍ୱାକ୍ଷର କରିଛନ୍ତି। ଓଡ଼ିଶା ସ୍କିଲ୍‌ସ-୨୦୧୮ ଅଭିଯାନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ସ୍ଥାନୀୟ ୟୁନିଟ ୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ରାଜ୍ୟର ଅର୍ଥନୈତିକ ଭିତ୍ତିଭୂମିକୁ ସୁଦୃଢ଼ କରିବ। ସେଥିପାଇଁ କ୍ଷୁଦ୍ର ମିଆଦୀ ଓ ଦୀର୍ଘ ମିଆଦୀ ଦକ୍ଷତା ବିକାଶ ଉପରେ ସରକାର ଗୁରତ୍ୱ ଦେଇଛନ୍ତି। ଆଜିର ଏହି ଚୁକ୍ତିନାମା ରାଜ୍ୟରେ ବୈଷୟିକ କ୍ଷେତ୍ରରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି ସେ କହିଛନ୍ତି।

Advertisment

ଏହି ଏମ୍‌ଓୟୁ ସେଣ୍ଟର ଫର୍‌ ଇନୋଭେସନ୍‌ ଆଣ୍ଡ ଏଣ୍ଟରପ୍ରେନ୍ୟୁୟରସିପ୍‌ (ସିଆଇଇ), ବିପିୟୁଟି, ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌ସ୍‌ (ଆଇଓଟି), ସେଣ୍ଟର ଫର୍‌ ଡେଭଲପମେଣ୍ଟ୍‌ ଅଫ୍‌ ଆଡଭାନ୍ସ କମ୍ପ୍ୟୁଟିଂ (ସିଡିଏସି) ଓ ରୋବୋଟିକ୍ସ ସଂସ୍ଥା ସହିତ ସ୍ୱାକ୍ଷରିତ ହୋଇଛି। ଗବେଷଣା କ୍ଷେତ୍ରରେ ଏହି ସଂସ୍ଥାମାନେ ନୁତନ ସୁଯୋଗ ସୃଷ୍ଟି କରିବେ ବୋଲି ଆଶା କରାଯାଉଛି। ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀ, ଦକ୍ଷତା ବିକାଶ କର୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି, ଆଇଟିଇଇଏସ୍‌ର ସିଇଓ ବ୍ରୁସ୍‌ ପୋହ୍‌, ଖ୍ୟାତନାମା ସ୍ଥପତି ଟିମ୍‌ କୋବେ ପ୍ରମୁଖଙ୍କ ଉପସ୍ଥିତିରେ ଏହି ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି।

ସ୍କିଲ୍ଡ ଇନ୍‌ ଓଡ଼ିଶା ଅଭିଯାନ ଅଧୀନରେ ଏହି ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଏହି ପ୍ରଦର୍ଶନୀରେ ୨୦୦୦ ଅଂଶଗ୍ରହଣକାରୀ ଯୋଗଦେଇଛନ୍ତି। ଦୁଇଦିନ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ଆଇଟିଇଇଏସ୍‌ର ସିଇଓ ବ୍ରୁସ୍‌ ପୋ ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଙ୍ଗାପୁର ଚିଫ ଫିନ୍‌ଟେକ୍‌ ମନିଟାରି ଅଥରିଟି ଅଫିସର ସ୍ୱପ୍ନେନ୍ଦୁ ମହାନ୍ତି, ମାସାଚ୍ୟୁସେଟ୍‌ସ୍‌ ଡର୍ଟମାଉଥ୍‌ ବିଶ୍ୱବିଦ୍ୟାଳୟର ଭିସି ଡ. ତୋବିଆସ୍‌ ଷ୍ଟାପେଲଟୋନ୍‌, ଅମରେନ୍ଦ୍ର ସାହୁ, ଡ ହେମନ୍ତ ଦରବାରୀ ପ୍ରମୁଖ ଉପସ୍ଥିତ ଥିଲେ।