ନୋବେଲ ବିଜେତା ଅଭିଜିତଙ୍କ ଦାରିଦ୍ର୍ୟ ଦୂରୀକରଣ ସଂସ୍ଥା ‘ଜେ-ପାଲ୍‌’ ସହ ଓଡ଼ିଶା ସରକାରଙ୍କ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଅର୍ଥନୀତି ନୋବେଲ ବିଜେତା ଅଭିଜିତଙ୍କ ଦାରିଦ୍ର୍ୟ ଦୂରୀକରଣ ସଂସ୍ଥା ‘ଜେ-ପାଲ୍‌’ ସହ ଓଡ଼ିଶା ସରକାର ଗୁରୁବାର ବୁଝାମଣା ପତ୍ର ଗୁରୁବାର ସ୍ୱାକ୍ଷର କରିଛନ୍ତି। ବୁଝାମଣା ଅନୁସାରେ ସଂପୃକ୍ତ ସଂସ୍ଥା ରାଜ୍ୟର ଦାଦନ ସମସ୍ୟା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗବେଷଣା ଭିତ୍ତିକ ସହଯୋଗ ତଥା ମହିଳା ସଶକ୍ତିକରଣ, କୃଷି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେବ। ସେହିପରି ଏହି ସଂସ୍ଥା ଶ୍ରମ, ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁକଲ୍ୟାଣ ଯୋଜନାର ମୂଲ୍ୟାୟନ କରିବ। କର୍ଯ୍ୟକ୍ରମର ସୁପରିଚାଳନା ପାଇଁ ସଂସ୍ଥା ସହିତ ଜଡ଼ିତ କର୍ମଚାରୀମାନଙ୍କୁ ଦକ୍ଷତାବୃଦ୍ଧି ତାଲିମ ପ୍ରଦାନ କରାଯିବ।

ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ପରେ ଓଡ଼ିଶା ନୋବେଲ ବିଜେତାଙ୍କ ଜେ-ପାଲର ଅଂଶୀଦାର ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଅଭିଜିତ ବାନାର୍ଜୀ ଏବଂ ଇସ୍‌ଥର୍‌ ଡଫ୍‌ଲୋଙ୍କ ସହ-ସଂସ୍ଥାପିତ ‘ଅବ୍‌ଦୁଲ୍‌ ଲତିଫ୍‌ ଜମୀଲ୍‌ ପଭର୍ଟି ଆକ୍‌ସନ୍‌ ଲ୍ୟାବ୍‌’ର ଅଂଶୀଦାର ହେବାକୁ ବାହାରିଛି ଓଡ଼ିଶା। ନୀତି ଗଠନ ମାଧ୍ୟମରେ ଦରିଦ୍ରରୁ ଦରିଦ୍ରତମ ଏବଂ ପରୀକ୍ଷାମୂଳକ ଗବେଷଣାଭିତ୍ତିକ ମୂଲ୍ୟାୟନ ସମେତ କେତେକ ସାମାଜିକ କ୍ଷେତ୍ରରେ କରାଯାଇଥିବା ହସ୍ତକ୍ଷେପ ନିମନ୍ତେ ‘ଜେ-ପାଲ୍‌’ ଗଠିତ ହୋଇଛି।

ବାନାର୍ଜୀ-ଡଫ୍‌ଲୋ ଦ୍ୱୟ ଆଲ୍‌ଫ୍ରେଡ୍‌ ନୋବେଲ୍‌ଙ୍କ ସ୍ମୃତିରେ ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ଭାବେ ଜଣାଶୁଣା ‘ସ୍ୱେର୍ଗିଜ୍‌ ରିକ୍ସବ୍ୟାଙ୍କ୍‌ ପ୍ରାଇଜ୍‌ ଇନ୍‌ ଇକୋନମିକ୍‌ ସାଇନ୍‌ସେସ୍‌’ ପ୍ରଦତ୍ତ ହେବା ପରେ ଗୋଟାଏ ଭାରତୀୟ ରାଜ୍ୟ ସହ ଏହା ହେଉଛି ‘ଜେ-ପାଲ୍‌’ ସହ ପ୍ରଥମ ବ୍ୟାପକ ଅଂଶୀଦାରୀ।

ସମ୍ବନ୍ଧିତ ଖବର