ଓଡ଼ିଶା ଜାତୀୟ ହକିର ପ୍ରାୟୋଜକ

‘ଭୁବନେଶ୍ୱର ଦେଶର କ୍ରୀଡ଼ା ରାଜଧାନୀ’

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
୫ ବର୍ଷ ପାଇଁ ପ୍ରାୟୋଜକ ହେବ
ଭାରତୀୟ ହକିରେ ନୂଆ ଅଧ୍ୟାୟ

ନୂଆଦିଲ୍ଲୀ : ଭାରତୀୟ ହକିରେ ନୂଆ ଅଧ୍ୟାୟ ସଂଯୋଗ କରିଛି ହକିର ଏନ୍ତୁଡ଼ିଶାଳ ଓଡ଼ିଶା। ଆସନ୍ତା ୫ ବର୍ଷ ପାଇଁ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ହେବାକୁ ଯାଉଛି। ଆଜି ଏଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଭଳି ପ୍ରାୟୋଜକ ହେବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ।

ରାଜ୍ୟ ଓ ଦେଶର ବହୁ ଅଲିମ୍ପିଆନ୍‌, ତାରକା ଖେଳାଳି, ମନ୍ତ୍ରୀ, ରାଜନେତା, ପ୍ରଶାସକ ଓ ପ୍ରଶିକ୍ଷକଙ୍କ ଗହଣରେ ଭାରତୀୟ ପୁରୁଷ ଓ ମହିଳା ଦଳ ଓଡ଼ିଶା ଜର୍ସିରେ ସଜାଇ ହୋଇଥିଲେ ଏହି ଉତ୍ସବରେ। ଟିମ୍‌ ଇଣ୍ଡିଆର ନୂଆ ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଥିଲା। ଉଭୟ ଦଳର ଜର୍ସିରେ ଓଡ଼ିଶାକୁ ବଡ଼ ଅକ୍ଷରରେ ଲେଖାଯାଇଥିବା ବେଳେ ଲୋଗୋରେ ରହିଛି କୋଣାର୍କ ଚକ୍ର ସହିତ ପ୍ରଗତି, ସଶକ୍ତୀକରଣ, ଉଦିତ ସୂର୍ଯ୍ୟ, ଅଲିଭ୍‌ ରିଡ୍‌ଲେ, ଓଡ଼ିଶୀ ନୃତ୍ୟ ଆଦିର ନିଖୁଣ ସମାହାର। ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଭାରତୀୟ ହକିର ପ୍ରତିଟି କାର୍ଯ୍ୟରେ ରହିବ ଓଡ଼ିଶା ସୁନାମର ବାର୍ତା। ହକି ଇଣ୍ଡିଆ ଦେଇଥିବା ସୁଯୋଗ ଲାଗି ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ କହିଥିଲେ ‘ଓଡ଼ିଶାରେ ହକି କେବଳ ଏକ ଖେଳ ନୁହେଁ, ଏହା ହେଉଛି ଆମର ଜୀବନ ଧାରା, ବିଶେଷ କରି ଆଦିବାସୀ ଅଞ୍ଚଳରେ। ଆମ ଆଦିବାସୀ ଅଞ୍ଚଳରେ ପିଲାମାନେ ହକି ବାଡ଼ିରୁ ହିଁ ସବୁକିଛି ଶିଖିଥାନ୍ତି। ଏଥିରେ କିଛି ବିସ୍ମିତ ହେବାର ନାହିଁ। ଓଡ଼ିଶା ଅନେକ ଉତ୍କୃଷ୍ଟ ହକି ଖେଳାଳି ସୃଷ୍ଟି କରିଛି। ଆଉ ସୀମା ସରହଦ ଭିତରେ ନ ରହି ରାଜ୍ୟ ସରକାର ଭାରତୀୟ ହକିକୁ ଗଢ଼ି ତୋଳିବ। ଦେଶକୁ ଏହା ଓଡ଼ିଶାର ଉପହାର।

ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟରୁ ଦିଲ୍ଲୀପ ତିର୍କି, ଇଗ୍ନେସ ତିର୍କି, ଲାଜରୁସ୍‌ ବାର୍ଲା, ବୀରେନ୍ଦ୍ର ଲାକ୍ରାଙ୍କ ଭଳି ବହୁ ଖେଳାଳି ବାହାରିଛନ୍ତି। ସରକାରଙ୍କ କ୍ରୀଡ଼ା ଛାତ୍ରାବାସରୁ ହିଁ ଏମାନେ ବାହାରି ରାଜ୍ୟ ଓ ଦେଶର ସୁନାମ ବଢ଼ାଇଛନ୍ତି। କଳିଙ୍ଗ ଲାନ୍‌ସର୍ସ ଦଳକୁ ପ୍ରାୟୋଜିତ କରିବାରେ ଓଡ଼ିଶା ଏକମାତ୍ର ରାଜ୍ୟ ଥିଲା। ଏବେ ଆଉ ଏକ ପ୍ରଥମ ସଂଯୋଗ କରିଛୁ। ଗତବର୍ଷ ବିଶ୍ୱ ହକି ଲିଗ୍‌ ଫାଇନାଲ୍‌ର ସଫଳ ଆୟୋଜନ ପରେ ଆସନ୍ତା ନଭେମ୍ବରରେ ହେବାକୁ ଥିବା ବିଶ୍ୱକପ୍‌ ହକି ମଧ୍ୟ ଓଡ଼ିଶା ନାମରେ ହେବ। ଫଳରେ ଭାରତୀୟ ହକିର ସ୍ୱର୍ଣ୍ଣିମ ଅଧ୍ୟାୟ ସହିତ ଓଡ଼ିଶା ଭାଗୀଦାର ରହିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏହାଛଡ଼ା ମୁଖ୍ୟମନ୍ତ୍ରୀ ଦେଶର ସମସ୍ତ ହକିପ୍ରେମୀଙ୍କୁ ପରିବାର ସହ ଭୁବନେଶ୍ୱର ବିଶ୍ୱକପ୍‌କୁ ନିମନ୍ତ୍ରଣ କରିଥିଲେ।

ଏହି ଅବସରରେ ଅନ୍ତର୍ଜାତୀୟ ହକି ସଂଘ ତଥା ଭାରତୀୟ ଅଲିମ୍ପିକ୍‌ ସଂଘର ସଭାପତି ନରିନ୍ଦର ଧୃବ ବାତ୍ରା ଓଡ଼ିଶା ଓ ଓଡ଼ିଶା ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ଭୁବନେଶ୍ୱରକୁ ଦେଶର କ୍ରୀଡ଼ା ରାଜଧାନୀ ମାନ୍ୟତା ଦେବାଲାଗି ଯଥେଷ୍ଟ କାରଣ ରହିଛି ବୋଲି ଉଲ୍ଳେଖ କରି ସେ କହିଥିଲେ ଯେ ଦିଲ୍ଲୀ ଦେଶର ରାଜଧାନୀ, ବାଙ୍ଗାଲୋର୍‌ ଆଇଟି ରାଜଧାନୀ, ମୁମ୍ବାଇ ବ୍ୟବସାୟିକ ରାଜଧାନୀ ନିଶ୍ଚିତ। ସେହି ହିସାବରେ ଭୁବନେଶ୍ୱର ଦେଶର କ୍ରୀଡ଼ା ରାଜଧାନୀ ହେବାରେ କୌଣସି ଗୁଣରେ କମ୍‌ ନାହିଁ। ଭୁବନେଶ୍ୱରରେ କ୍ରୀଡ଼ା ଭିତ୍ତିଭୂମି କ୍ରମେ ଉନ୍ନତମାନର ହେବାରେ ଲାଗିଛି। ଦୌଡ଼କୁଦ ପାଇଁ ହାଇପରଫର୍ମାନ୍‌ସ କେନ୍ଦ୍ର ହେବାକୁ ଯାଉଛି। ଚଳିତବର୍ଷର ନଭେମ୍ବର ଡିସେମ୍ବର ହକି ବିଶ୍ୱକପ୍‌ ପାଇଁ ମଧ୍ୟ ଭିତ୍ତିଭୂମି କାମର ଉନ୍ନତୀକରଣ କରାଯାଉଛି। ‘ଓଡ଼ିଶା ହକି ବିଶ୍ୱକପ୍‌’ର ଉଦ୍‌ଘାଟନୀ ଉତ୍ସବ ପ୍ରତିଯୋଗିତାର ଗୋଟିଏ ଦିନ ପୂର୍ବରୁ ଅଲିମ୍ପିକ୍‌ ଶୈଳୀରେ ହେବ ବୋଲି ମଧ୍ୟ ବାତ୍ରା ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର