ରାଜ୍ୟରେ ୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରଥମ ଦ୍ରୁତ ଆରୋଗ୍ୟ ଲାଭ କରୁଥିବା ବେଳେ ଦ୍ବିତୀୟଙ୍କ ଅବସ୍ଥା ସ୍ଥିର ରହିଛି: ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୬ଜଣ କରୋନା ସନ୍ଦିଗ୍ଧ ବ୍ୟକ୍ତିବିଶେଷଙ୍କ ଠାରୁ ସ୍ୱାବ୍‌ ନମୁନା ସଂଗ୍ରହ କରାଯାଇ କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଛି। ଏଥିମଧ୍ୟରୁ ୬୨ ଜଣଙ୍କର ପରୀକ୍ଷା ରିପୋର୍ଟ ମିଳି ସାରିଥିବା ବେଳେ ଆଉ ୪ ଜଣଙ୍କର ରିପୋର୍ଟକୁ ଅପେକ୍ଷା କରାଯାଇଛି। ମିଳିଥିବା ୬୨ ଜଣଙ୍କର ପରୀକ୍ଷା ରିପୋର୍ଟ ମଧ୍ୟରୁ ୨ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି। ଏ ପରିପ୍ରେକ୍ଷୀରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି।

ଆଜି ଅପରାହ୍ଣରେ ଗୀତଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସବିଶେଷ ସୂଚନା ପ୍ରଦାନ କରି ସରକାରଙ୍କ ପ୍ରମୁଖ ମୁଖପାତ୍ର ଶ୍ରୀ ବାଗ୍‌ଚୀ କହିଛନ୍ତି ଯେ ପ୍ରଥମ କରୋନା ଆକ୍ରାନ୍ତ ୩୩ ବର୍ଷ ବୟସ୍କ ଯୁବକ ଏବେ କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସାଧୀନ ଥାଇ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି ଏବଂ ଖୁବ୍‌ ଶୀଘ୍ର ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ନିଜ ଘରକୁ ଫେରିଯିବେ। ଅନ୍ୟପକ୍ଷରେ ରାଜ୍ୟର ଦ୍ୱିତୀୟ କରୋନା ଆକ୍ରାନ୍ତ ୧୯ ବର୍ଷ ବୟସ୍କ ଛାତ୍ର ଜଣକ ଏବେ ଭୁବନେଶ୍ୱରସ୍ଥିତ ଏମ୍ସ୍‌ରେ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କର ଅବସ୍ଥା ସ୍ଥିର ରହିଛି।

ତେବେ, ଦ୍ୱିତୀୟ କରୋନା ଆକ୍ରାନ୍ତ ଜଣକ ୧୯ ତାରିଖରେ ଆସି ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ୪୬ ଜଣଙ୍କ ସଂସ୍ପର୍ଶରେ ଆସିବା ଘଟଣା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ, ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଏହି ୪୬ ଜଣଙ୍କ ମଧ୍ୟରୁ ୪୩ ଜଣଙ୍କୁ ଚିହ୍ନଟ କରି କ୍ୱାରେଣ୍ଟିନ୍‌ରେ ରଖି ସାରିଥିବା ବେଳେ ଅବଶିଷ୍ଟ ୩ ଜଣଙ୍କୁ ଖୋଜି ବାହାର କରିବା ପାଇଁ ୮ଟି ଟିମ୍‌ ଗଠନ କରି ସେମାନଙ୍କ ସନ୍ଧାନରେ ଲାଗିଛନ୍ତି ବୋଲି କହିଛନ୍ତି ଶ୍ରୀ ବାଗ୍‌ଚୀ।

ସେହିପରି ସମଗ୍ର ବିଶ୍ୱରେ କରୋନାର ତାଜା ସ୍ଥିତି ସଂପର୍କରେ ସୂଚନା ଦେବାକୁ ଯାଇ ପ୍ରମୁଖ ମୁଖପାତ୍ର ଶ୍ରୀ ବାଗ୍‌ଚୀ କହିଛନ୍ତି ଯେ ଗତକାଲି ସୁଦ୍ଧା କରୋନା ବିଶ୍ୱର ୧୭୬ଟି ଦେଶକୁ ଆକ୍ରାନ୍ତ କରିଥିବା ବେଳେ ଆଜି ଏହି ସଂଖ୍ୟା ୧୮୨କୁ ବୃଦ୍ଧି ପାଇଛି। ସେହିପରି ଗତକାଲି ସୁଦ୍ଧା ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୧୯,୮୧୩ ଥିବା ବେଳେ ଆଜି ଏହା ୨,୪୬,୫୨୨ରେ ପହଞ୍ଚିଛି। ତେବେ, ଏହି ବର୍ଦ୍ଧିିତ ସଂଖ୍ୟା ଆତଙ୍କିତ କରୁଥିଲେ ମଧ୍ୟ ଏଥିରେ ସାନ୍ତ୍ୱନାର କାରଣ ରହିଛି। ଆଉ ସାନ୍ତ୍ୱନାର ବିଷୟଟି ହେଉଛି ଏମାନଙ୍କ ମଧ୍ୟରୁ ୧,୪୦,୫୯୭ ଜଣ ସାମନ୍ୟ ଥଣ୍ଡା, କାଶ ଓ ଜ୍ୱରରେ ପୀଡ଼ିତ ଅଛନ୍ତି ଓ ଖୁବ୍‌ ଶୀଘ୍ର ଆରେଗ୍ୟ ଲାଭକରି ନିଜ ନିଜ ଘରକୁ ଫେରିଯିବେ। ଅବଶିଷ୍ଟଙ୍କ ମଧ୍ୟରୁ ୭,୩୯୦ ଜଣଙ୍କର ଅବସ୍ଥା ସମ୍ବେଦନଶୀଳ ଥିବା ବେଳେ ୮୮,୪୮୬ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ସୁଧାର ଆସୁଛି ଏବଂ ଏମାନେ ମଧ୍ୟ ଖୁବ୍‌ ଶୀଘ୍ର ଅରୋଗ୍ୟ ଲାଭ କରିବେ। କରୋନା ଦ୍ୱାରା ବିଶ୍ୱର ସର୍ବାଧିକ ପ୍ରଭାବିତ ହୋଇଥିବା ୬ଟି ରାଷ୍ଟ୍ର ହେଲେ, ଚୀନ୍‌, ଇରାନ୍‌, ଇଟାଲୀ, ସ୍ପେନ୍‌, ଜର୍ମାନୀ ଓ ଯୁକ୍ତରାଷ୍ଟ୍ର ଆମେରିକା।

ଅନ୍ୟପକ୍ଷରେ ଗତକାଲି ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୪ ରହିଥିବା ବେଳେ ଆଜି ଏହା ୨୦୬କୁ ବୃଦ୍ଧି ପାଇଛି। ଏବଂ ଦେଶରେ ବର୍ତ୍ତମାନ ସୁଦ୍ଧା ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ଶ୍ରୀ ବାଗ୍‌ଚୀ।

ସମ୍ବନ୍ଧିତ ଖବର