ଭୁବନେଶ୍ୱର: ଅନ୍ୟମାନଙ୍କ ପାଇଁ ସେବା କରିବାରେ ପ୍ରକୃତ ମହାନତା ନିହିତ ଥାଏ ବୋଲି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି କହିଛନ୍ତି। ଶନିବାର ଦିନ ଅର୍ଗସ୍ ନ୍ୟୁଜ୍ ଦ୍ୱାରା ଭୁବନେଶ୍ୱର ଠାରେ ଆୟୋଜିତ ‘ପ୍ରାଇଡ୍‌ ଅଫ୍‌ ଓଡ଼ିଶା ସମ୍ମାନ ଉତ୍ସବ’- ସିଜିନ୍ ୨.୦ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତି ବିଶେଷଙ୍କୁ ରାଜ୍ୟପାଳ ସମ୍ମାନ ପ୍ରଦାନ କରିଥିଲେI  ଏହି ସମାରୋହରେ ଉଦ୍‌ବୋଧନ ଦେଇ  କାର୍ଯ୍ୟକ୍ରମକୁ ଏକ ଅର୍ଥପୂର୍ଣ୍ଣ ପଦକ୍ଷେପ ଭାବରେ ରାଜ୍ୟପାଳ ବର୍ଣ୍ଣନା କରି କହିଥିଲେ ଯେ, ଏହା ସାହସ, କରୁଣା ଏବଂ ପ୍ରତିବଦ୍ଧତା ମାଧ୍ୟମରେ ସମାଜକୁ ପରିବର୍ତ୍ତନ କରିଥିବା ବ୍ୟକ୍ତିମାନଙ୍କୁ ସ୍ୱୀକୃତି ଦିଏ। ଏହି କାର୍ଯ୍ୟକ୍ରମ କେବଳ ଏକ ସମ୍ମାନ ପ୍ରଦାନ ସମାରୋହ ନୁହେଁ, ବରଂ ନୀରବ ପରିବର୍ତ୍ତନକାରୀଙ୍କ ପ୍ରତି ସମ୍ମାନ, ଯାହାଙ୍କ ପ୍ରୟାସ ଓଡ଼ିଶାର ଆତ୍ମାକୁ ଦୃଢ଼ କରିଛି।

Advertisment

ଏହି ପଦକ୍ଷେପକୁ ପରିକଳ୍ପନା କରି ସାକାର କରିଥିବାରୁ ଅର୍ଗସ୍ ନ୍ୟୁଜ୍‌କୁ ରାଜ୍ୟପାଳ ପ୍ରଶଂସା କରି ଉଲ୍ଲେଖ କରିଥିଲେ ଯେ, ଯେତେବେଳେ ଖବର ପ୍ରାୟତଃ ଦ୍ୱନ୍ଦ୍ୱ ଏବଂ ଚ୍ୟାଲେଞ୍ଜକୁ ମୁଖ୍ୟ ଅଂଶ  କରିଥାଏ, ସେତେବେଳେ ସାମାଜିକ ବିକାଶରେ ଏକ ମିଡ଼ିଆ ହାଉସ୍ ସକାରାତ୍ମକ ଅବଦାନ ଦେବା ଉତ୍ସାହଜନକ। ସମାଜ ପାଇଁ ଅସାଧାରଣ ଅବଦାନ ଦେଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରି ଚ୍ୟାନେଲ୍ ପ୍ରଦର୍ଶନ କରିଛି ଯେ ଗଣମାଧ୍ୟମ ପରିବର୍ତ୍ତନର ଏକ ଶକ୍ତିଶାଳୀ ଉପକରଣ ହୋଇପାରେ।

ପୁଣି ରାଜ୍ୟପାଳ କହିଥିଲେ ଯେ, ଆଜିର ଦ୍ରୁତ ଗତିଶୀଳ, ପ୍ରଯୁକ୍ତିବିଦ୍ୟା-ଚାଳିତ ବିଶ୍ୱରେ ଲୋକମାନେ ପ୍ରାୟତଃ ସଫଳତା ଏବଂ ପ୍ରତିଷ୍ଠା ପଛରେ ପଡ଼ିଯାଆନ୍ତି l କେତେକ ସମୟରେ ନୈତିକ ମୂଲ୍ୟବୋଧ ଏବଂ ସାମାଜିକ ଦାୟିତ୍ୱକୁ ଅଣଦେଖା କରନ୍ତି। ସମାଜରେ ସମ୍ବେଦନଶୀଳତା ହ୍ରାସ ପାଇବା ଉପରେ ଚିନ୍ତା ପ୍ରକାଶ କରି ରାଜ୍ୟପାଳ କହିଛନ୍ତି ଯେ ଦୁଃଖଦ ମୁହୂର୍ତ୍ତରେ କିଛି ବ୍ୟକ୍ତି ସାହାଯ୍ୟ ପ୍ରଦାନ କରିବା ପରିବର୍ତ୍ତେ ଘଟଣା ରେକର୍ଡ କରିବାକୁ ପସନ୍ଦ କରନ୍ତି।

WhatsApp Image 2026-02-14 at 20.10.15

ଆହୁରି ପଢ଼ନ୍ତୁ: Murder Case: ଚୋର ସନ୍ଦେହରେ ପିଟିପିଟି ହତ୍ୟା ଘଟଣାରେ ୨୦ ଜଣ କୋର୍ଟ ଚାଲାଣ

ଜଳବାୟୁ ପରିବର୍ତ୍ତନ, ମହିଳା ଏବଂ ଶିଶୁଙ୍କ ବିରୁଦ୍ଧରେ ଅପରାଧ ଏବଂ ସାମାଜିକ ଅସମାନତା ଭଳି ଚ୍ୟାଲେଞ୍ଜଗୁଡ଼ିକ ଉପରେ ରାଜ୍ୟପାଳ ଆଲୋକପାତ କରି କହିଛନ୍ତି ଯେ, ଏ ସବୁର ନିରାକରଣ ପାଇଁ ସରକାର ନିରନ୍ତର ପ୍ରୟାସ କରୁଥିବା ବେଳେ ନାଗରିକମାନଙ୍କୁ ମଧ୍ୟ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ପଡିବ। ‘ସେବା ପରମ ଧର୍ମ’ ନୀତିକୁ ଆପଣେଇ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ପ୍ରଶଂସା କରି ସେମାନଙ୍କୁ ସମାଜର ପ୍ରକୃତ ନାୟକ ଭାବରେ ରାଜପାଳ ବର୍ଣ୍ଣନା କରିଛନ୍ତି।

ଆହୁରି ପଢ଼ନ୍ତୁ: Cricket: ଅପୂର୍ବ ଉତ୍ସାହକୁ ଫିକା କରିପାରେ ଅମାନିଆ ବର୍ଷା

ସମ୍ମାନପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଛନ୍ତି ଯେ ସେମାନଙ୍କର ନିଃସ୍ୱାର୍ଥପର ସେବା ରାଜ୍ୟବ୍ୟାପୀ ଅଗଣିତ ଜୀବନ ପାଇଁ ଆଶା, ମର୍ଯ୍ୟାଦା ଏବଂ ସୁଯୋଗ ଆଣିଛି। ରାଜ୍ୟପାଳ ଉଲ୍ଲେଖ କରିଛନ୍ତି ଯେ, ଶିକ୍ଷା, ସାମାଜିକ ସୁରକ୍ଷା, ପରିବେଶ ସଂରକ୍ଷଣ ଏବଂ ଅବହେଳିତଙ୍କ ଯତ୍ନ ଭଳି ବିବିଧ କ୍ଷେତ୍ରକୁ ପ୍ରତିନିଧିତ୍ୱ କରୁଥିବା ସମ୍ମାନିତ ବ୍ୟକ୍ତିମାନେ କରୁଣା ଏବଂ ପ୍ରତିବଦ୍ଧତା ମନୋଭାବର ଉଦାହରଣ ଅଟନ୍ତି। ରାଜ୍ୟପାଳ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନଙ୍କର କାର୍ଯ୍ୟ ଏକ ଶକ୍ତିଶାଳୀ ବାର୍ତ୍ତା ପଠାଏ ଯେ, ଦୟା ଏବଂ ମାନବିକତା ବୃଦ୍ଧି ପାଇବା ଜାରି ରହିଛି। ରାଜ୍ୟପାଳ ସେମାନଙ୍କର ନିରନ୍ତର ସଫଳତା କାମନା କରିଥିଲେ ଏବଂ ସେମାନଙ୍କ ମହାନ ପ୍ରୟାସରୁ ଅନ୍ୟମାନେ ପ୍ରେରଣା ନେବାକୁ ଆହ୍ୱାନ ଜଣାଇଥିଲେ।

ଏହି ଅବସରରେ ଅର୍ଗସ୍ ନ୍ୟୁଜ୍‌ର ସିଇଓ ପ୍ରକାଶ ସାହୁ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥଲେ ଏବଂ କାର୍ଯ୍ୟନିର୍ବାହୀ ସମ୍ପାଦକ ଦୁର୍ଗାଶିଷ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l