ଚାଟାର୍ଡ ଫ୍ଲାଇଟ ଗସ୍ତ ଖର୍ଚ୍ଚ ନେଇ ରାଜ୍ୟପାଳଙ୍କୁ ଚିଠି ପ୍ରସଙ୍ଗ: ଦୁଃଖ ପ୍ରକାଶ କଲେ ମୁଖ୍ୟ ଶାସନ ସଚିବ

ଚିଠି ଲେଖିଥିବା ଅଧିକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଓଡ଼ିଶାର ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ବିମାନ ଓ ହେଲିକପ୍ଟରର ଭଡ଼ା ଖର୍ଚ୍ଚକୁୁ ନେଇ ବିବାଦ ଲାଗି ରହିଥିବା ବେଳେ ଶୁକ୍ରବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟ ଶାସନ ସଚିବ ରାଜ୍ୟପାଳଙ୍କୁ ଭେଟି ଚାଟାର୍ଡ ଫ୍ଲାଇଟ ଗସ୍ତ ଖର୍ଚ୍ଚକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି ବୋଲି କହିଛନ୍ତି।  ଅନ୍ୟପକ୍ଷରେ ଚାଟାର୍ଡ ଗସ୍ତ ଖର୍ଚ୍ଚକୁ ନେଇ ରାଜ୍ୟପାଳଙ୍କ କାର୍ଯାଳୟକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଯେଉଁ ଢଙ୍ଗରେ ଚିଠି ଲେଖାଯାଇଥିଲା, ଏହା ଦୁଃଖର ବିଷୟ ବୋଲି ସେ ଅବଗତ କରାଇଥିଲେ । ମୁଖ୍ୟ ଶାସନ ସଚିବ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଯେଉଁ ଅଧିକାରୀ ଚିଠି ଲେଖିଥିଲେ ତାଙ୍କ ବିରୋଧରେ ଦୃଢ଼ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ରାଜ୍ୟପାଳଙ୍କ ନୂଆଦିଲ୍ଲୀ ଓ ପରେ ହରିଆଣାର ସିରସା ଗସ୍ତ ନେଇ ଆସିଥିବା ହେଲିକପ୍ଟର ବିଲକୁ ନେଇ ଗୁରୁବାର ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା। ଚର୍ଚ୍ଚା ହେଉଥିଲା ଯେ, ରାଜ୍ୟପାଳଙ୍କ ଏହି ଗସ୍ତରେ ୪୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଗସ୍ତ ପାଇଁ ରାଜ୍ୟପାଳ ରାଜ୍ୟ ସରକାରଙ୍କ ଠାରୁ ସ୍ୱତନ୍ତ୍ର ବିମାନ ଚାହିଁଥିଲେ, ଯାହାକୁ ସରକାର ଅନୁମତି ପ୍ରଦାନ କରିଥିଲେ। ବିମାନ ବ୍ୟବହାର ବାବଦରେ ୪୪ ଲକ୍ଷ ଖର୍ଚ୍ଚ ହେବ ବୋଲି ସେବା ପ୍ରଦାନକାରୀ କଂପାନି କହିଥିଲା। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଦିଲ୍ଲୀରୁ ସିରସା ବିମାନରେ ଯିବା ସମ୍ଭବ  ନହେବାରୁ ହେଲିକପ୍ଟରକୁ ପୁଣି ଥରେ ବ୍ୟବହାର କରାଯାଇଥିଲା। ଫଳରେ କଂପାନି ରାଜ୍ୟ ସରକାରଙ୍କ ପାଖକୁ ୪୯ ଲକ୍ଷ ଟଙ୍କା ବିଲ ପଠାଇଥିଲା।

ସମ୍ବନ୍ଧିତ ଖବର