ଭୁବନେଶ୍ବର: ରାଜ୍ୟର ସ୍ବୟଂଶାସିତ ମହାବିଦ୍ୟାଳୟ ସମେତ ଡିଗ୍ରି କଲେଜରେ କାର୍ଯ୍ୟ କରୁଥିବା ଆଡହକ୍ ଅଧ୍ୟାପକ ଛଟେଇ ହେବେ। ୨୦୧୪ରୁ କାର୍ଯ୍ୟ କରି ଆସୁଥିବା ୧୮୭ ଜଣ ଅଧ୍ୟାପକଙ୍କୁ ଛଟେଇ କରିବାକୁ ଗତ ମାସରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅକ୍ଟୋବର ୧୪ରେ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ଆଡହକ୍ ଅଧ୍ୟାପକଙ୍କ କାର୍ଯ୍ୟକାଳ ୨୦୨୦ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିଦିନଠାରୁ ସ୍ବୟଂକ୍ରିୟ ଭାବେ ସେମାନଙ୍କ କାର୍ଯ୍ୟକାଳ ଶେଷ ହେବ। ଦୀର୍ଘ ୬ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ଏହି ଅଧ୍ୟାପକଙ୍କ ଛଟେଇ କରାଯିବା ନିଷ୍ପତ୍ତି ନେଇ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ନିଷ୍ପତ୍ତି ବିରୋଧରେ ଅଧ୍ୟାପକମାନେ ସ୍ବର ଉଠାଇବା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ସେମାନେ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ ୨୦୧୪ରୁ କାର୍ଯ୍ୟ କରୁଥିବା ଅଧ୍ୟାପକଙ୍କ ମଧ୍ୟରୁ ଅନେକଙ୍କ ବୟସ ୪୦ ବର୍ଷ ଟପିଗଲାଣି। ସେମାନେ ଏବେ ପରିଣତ ବୟସରେ ପହଞ୍ଚିଛନ୍ତି। ସରକାରଙ୍କ ନିଷ୍ପତ୍ତି ପରେ ପରିବାର କିଭଳି ପ୍ରତିପୋଷଣ ହେବ ସେନେଇ ଚିନ୍ତାରେ ପଡ଼ିଛନ୍ତି। ୨୦୧୪ରେ ରାଜ୍ୟରେ ଅଧ୍ୟାପକ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଏମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଆଡହକ୍ ଅଧ୍ୟାପକଙ୍କ ମଧ୍ୟରୁ ଅଧିକାଂଶ ଜାତୀୟ, ଅନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନ, ଆଇଆଇଟି, ଜେଏନ୍ୟୁ, ଦିଲ୍ଲୀ ବିଶ୍ବବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ, ପଣ୍ଡିଚେରୀ ବିଶ୍ବବିଦ୍ୟାଳୟରୁ ପିଏଚ୍ଡି ଓ ପୋଷ୍ଟ ଡକ୍ଟରାଲ୍ ଡିଗ୍ରି ହାସଲ କରି ଏଠାରେ ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି। ଏତେ ଦିନ ଧରି ସେବା କରିବା ପରେ ଚାକିରିକୁ ସ୍ଥାୟୀ କରିବା ପରିବର୍ତ୍ତେ ଛଟେଇ କରିବା ଦୁଃଖ ଓ ପରିତାପର ବିଷୟ। ଏହା ବିରୋଧରେ ଆଗାମୀ ଦିଗରେ ଚରମ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେମାନେ କହିଛନ୍ତି।
ସୂଚନାଯୋଗ୍ୟ ଯେ ୨୦୧୮ ଜୁନ୍ ମାସରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଡହକ୍ ଅଧ୍ୟାପକଙ୍କ ଚାକିରି ସ୍ଥାୟୀକରଣ ପାଇଁ ପଦକ୍ଷେପ ନିଆଯାଇଥିଲା। ହେଲେ ଏସବୁ ପ୍ରକ୍ରିୟାକୁ ଖାତିର ନକରି ହଠାତ୍ କାର୍ଯ୍ୟରୁ ଛଟେଇ କରିବା ଅନ୍ୟାୟ ଓ ଅବିଚାର କରାଯାଇଛି। ଏହି ନିଷ୍ପତ୍ତିର ପୁନର୍ବିଚାର କରି ସେମାନଙ୍କ ଚାକିରି ସ୍ଥାୟୀକରଣ ପାଇଁ ବିହିତ ପଦକ୍ଷେପ ନେବା ନିତ୍ୟାନ୍ତ ଆବଶ୍ୟକ ବୋଲି ସେମାନେ କହିଛନ୍ତି। ଏ ନେଇ ଆଡହକ୍ ଅଧ୍ୟାପକମାନେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/chse.jpg)