ହଠାତ୍ ସରକାରୀ କଟକଣା କାହିଁକି? ମହଙ୍ଗା ଭତ୍ତା ୫% ବଢ଼ିଲା, ଜାନୁଆରିରୁ ଲାଗୁ

୪୦ବର୍ଷର ପରମ୍ପରା ଭାଙ୍ଗିଲା, ଜୁଲାଇ ଡୋଜ୍ ଦେଲେନି
ନୂଆ ଗାଡ଼ି କିଣିବା ଉପରେ ରୋକ୍, ଭଡ଼ା ଗାଡ଼ି ଚଢ଼ିବେ
କେବଳ ହାଇକୋର୍ଟ ଜଜ୍‌ଙ୍କ ପାଇଁ ଆସିପାରିବ ନୂଆ ଗାଡ଼ି
ସରକାରୀ କର୍ମଚାରୀ କ୍ଷୁବ୍ଧ, ଆନ୍ଦୋଳନ ପାଇଁ ଧମକାଇଲେ

ଭୁବନେଶ୍ବର : ରାଜ୍ୟ ସରକାର ଆଜି କର୍ମଚାରୀଙ୍କ ମହଙ୍ଗା ଭତ୍ତା ଆଉ ୫% ବୃଦ୍ଧି କରିଛନ୍ତି। ଏଥିସହିତ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାର ପରିମାଣ ୧୨%ରୁ ବଢ଼ି ୧୭%ରେ ପହଞ୍ଚିଛି। ତେବେ ୨୦୧୯ ଜୁଲାଇ ପହିଲା ବଦଳରେ ୨୦୨୦ ଜାନୁଆରି ପହିଲାରୁ ଏହି ବର୍ଧିତ ମହଙ୍ଗା ଭତ୍ତା ମିଳିବ ବୋଲି ସରକାରୀ ନିର୍ଦେଶନାମା ପ୍ରକାଶ ପାଇଛି।

ସରକାରୀ କର୍ମଚାରୀଙ୍କୁ ଲଲିପପ୍‌ ବୋଲି ‘ସମ୍ବାଦ’ରେ ଖବର ପ୍ରକାଶ ପରେ ରାଜ୍ୟ ସରକାର ଆଜି ତରବରିଆ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି। ହେଲେ ଆଜିର ନିଷ୍ପତ୍ତି ଫଳରେ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଗୋଟିଏ ଡୋଜ୍ (୫%) ମହଙ୍ଗା ଭତ୍ତା ହରାଇଛନ୍ତି। ଜୁଲାଇମାସର ମହଙ୍ଗା ଭତ୍ତା କେନ୍ଦ୍ର ସରକାର ଅକ୍ଟୋବର ମାସରେ େଘାଷଣା କରିଥିଲେ। ଦ୍ବିତୀୟ ଡୋଜ୍ ଜାନୁଆରି ପହିଲା ପାଇଁ ଯେ କୌଣସି ମୁହୂର୍ତରେ କେନ୍ଦ୍ର ସରକାର ଘୋଷଣା କରିପାରନ୍ତି। ହେଲେ ରାଜ୍ୟ ସରକାର ଜାନୁଆରି ପହିଲାରୁ ମହଙ୍ଗା ଭତ୍ତା ଦେବାକୁ ନିଷ୍ପତ୍ତି ନେଇ ଜୁଲାଇମାସର ପ୍ରାପ୍ୟ ପ୍ରଦାନକୁ ଏଡ଼ାଇ ଯାଇଛନ୍ତି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ମହଙ୍ଗା ଭତ୍ତାକୁ ନେଇ ସରକାରୀ କର୍ମଚାରୀଙ୍କ ଭିତରେ ଅସନ୍ତୋଷ ବଢୁଥିବା ବେଳେ ଅପରାହ୍ନରେ ଆଉ ଏକ ବଡ଼ ନିର୍ଦେଶନାମା ଜାରି କରାଯାଇଛି। ମୁଖ୍ୟଶାସନ ସଚିବଙ୍କ ଦସ୍ତଖତରେ ଜାରି ନିର୍ଦେଶନାମାରେ ଆଉ ନୂଆ ଗାଡ଼ି କିଣାଯିବା ଉପରେ ସରକାର ନିଷେଧାଦେଶ ଜାରି କରିଛନ୍ତି। କେବଳ ହାଇକୋର୍ଟ ବିଚାରପତିମାନଙ୍କ ବ୍ୟତୀତ ଅନ୍ୟମାନଙ୍କ କ୍ଷେତ୍ରରେ ଏହି କଟକଣା ଲାଗୁ ହେବ। ଅଧିକାରୀମାନେ ଏଣିକି ଭଡ଼ା ଗାଡ଼ିରେ ଯିବା ଆସିବା କରିବେ।

ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ଅର୍ଥନୀତିଜ୍ଞଙ୍କୁ ଆନ୍ଦୋଳିତ କରିଛି। ରାଜ୍ୟ ସରକାର ସକାଳେ ରାଜ୍ୟପାଳଙ୍କ ମୁହଁରେ ରାଜ୍ୟର ଅର୍ଥନୀତିର ଗୋଲାପି ଚିତ୍ର ସଂପର୍କରେ ବର୍ଣ୍ଣନା କରିଥିବା ବେଳେ ଏହି ଦୁଇଟି ନିର୍ଦେଶନାମା ଭିନ୍ନ ସଙ୍କେତ ଦେଉଛି ବୋଲି ସେମାନେ କହିଛନ୍ତି। େକଉଁଠି ନା କେଉଁଠି ଏହା ସୂଚାଇ ଦେଉଛି ଯେ ରାଜ୍ୟ ସରକାର ସମ୍ଭବତଃ ପୁଣି ଥରେ ଆର୍ଥିକ ଦୁଃସ୍ଥିତି ଭିତରକୁ ଠେଲି ହୋଇଗଲେଣି। ଅନ୍ୟଥା ୧୯୮୦ ମସିହାରୁ କେନ୍ଦ୍ର-ରାଜ୍ୟ ମଧ୍ୟରେ ମହଙ୍ଗା ଭତ୍ତା ଜନିତ ବୁଝାମଣାକୁ ଟାଳି ନଥାନ୍ତେ। ନବେ ଦଶକରେ ନିୟମିତ ବ୍ୟବଧାନରେ ମହଙ୍ଗା ଭତ୍ତା ପ୍ରଦାନ କରାଯାଇପାରୁନଥିବାରୁ ସରକାର କେତେବେଳେ ଅତି ବିଳମ୍ବରେ ଏହି ଅର୍ଥ ପ୍ରଦାନ କରୁଥିଲେ। ଆଉ କେତେବେଳେ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠିରେ ଜମା କରାଯାଉଥିଲା। ହେଲେ କେନ୍ଦ୍ର ସହିତ ବୁଝାମଣା କେବେ ଉଲ୍ଲଂଘନ େହାଇନଥିଲା।

ଏପଟେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ଆଜି ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ମହଲର କହିବା କଥା ହେଉଛି, ମହଙ୍ଗା ଭତ୍ତା ସଂକ୍ରାନ୍ତ ନିଷ୍ପତ୍ତିର ପରିଣାମ ହେଲା ଜୁଲାଇରୁ ଡିସେମ୍ବର ମାସ ମଧ୍ୟରେ ଯେଉଁମାନେ ଅବସର ନେଲେ, ସେମାନଙ୍କୁ ଏ ପ୍ରାପ୍ୟ ମିଳିବ ନାହିଁ।

ରାଜ୍ୟ ଅଣଗେଜଟେଡ୍‌ କର୍ମଚାରୀ ସମନ୍ବୟ ସମିତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏକ ମିଳିତ ବିବୃତିରେ ସମନ୍ବୟ ସମିତିର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ସଭାପତି ଜ୍ୟୋତି ରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ତ୍ରିପାଠୀ, ସାଧାରଣ ସମ୍ପାଦକ ବ୍ରଜ କିଶୋର ନନ୍ଦ, ଉପସଭାପତି ଅସିତ୍ ସ୍ବାଇଁ, ଅତିରିକ୍ତ ସାଧାରଣ ସମ୍ପାଦକ ପ୍ରଦୀପ୍ତ ମହାନ୍ତି, ପ୍ରସନ୍ନ ମିଶ୍ର, ଯୁଗ୍ମ ସମ୍ପାଦକ ନାରାୟଣ ପ୍ରସାଦ ତିୱାରୀ, ମୁଖ୍ୟାଳୟ ସମ୍ପାଦକ ସୁନନ୍ଦ କାନୁନଗୋ ପ୍ରମୁଖ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଷାଠିଏ ପ୍ରତିଶତ ବକେୟା ପ୍ରାପ୍ୟ ପରିବର୍ତ୍ତେ ଦଶ ପ୍ରତିଶତ, ଗତ ଜୁଲାଇ ମାସ ପରିବର୍ତ୍ତେ ଜାନୁଆରୀ ମାସରୁ ଶତକଡା ପାଞ୍ଚ ଭାଗ ମହଙ୍ଗା ଭତ୍ତା ଘୋଷଣା ଗ୍ରହଣୀୟ ନୁହେଁ। ଗତ ସାଧାରଣ ନିର୍ବାଚନ ପରଠାରୁ କର୍ମଚାରୀ ମାନଙ୍କୁ ସରକାର ଯେଉଁଭଳି ଅବହେଳା ପ୍ରଦର୍ଶନ କରୁଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ। କର୍ମଚାରୀଙ୍କ ପିଠିକୁ ମାରିଲେ ସହ୍ୟ କରିହେବ କିନ୍ତୁ ପେଟକୁ ନୁହେଁ। ୧୯୮୦ ମସିହାରୁ ନୀତିଗତ ଭାବରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପ୍ରତ୍ୟେକ ବର୍ଷର ଜାନୁଆରି ଓ ଜୁଲାଇରେ ଦରଦାମ ବୃଦ୍ଧିକୁ ବିଚାର କରି ମହଙ୍ଗା ଭତ୍ତା ପ୍ରଦାନ ନିମନ୍ତେ ନିଷ୍ପତ୍ତି ହୋଇ ସାରିଥିବା ବେଳେ ଆଜିର ନିଷ୍ପତ୍ତି ତାର ବିରୋଧାଚରଣ କରୁଛି। ମହଙ୍ଗା ଭତ୍ତା ପାଇଁ ଯଦି ଆନ୍ଦୋଳନର ଆବଶ୍ୟକତା ପଡ଼େ, ତେବେ ଫଳାଫଳ ନିଶ୍ଚିତ ଭାବେ ମହଙ୍ଗା ପଡ଼ିବ ବୋଲି କର୍ମଚାରୀମାନେ ଚେତାଇ ଦେଇଛନ୍ତି।

କର୍ମଚାରୀମାନେ ଆହୁରି କହିଛନ୍ତି ଯେ ୨୦୧୬ ମସିହାରୁ ବର୍ଦ୍ଧିତ ହାରରେ ଘର ଭଡ଼ା ଭତ୍ତା ମିଳିନାହିଁ। ଠିକା ପ୍ରଥା ଉଚ୍ଛେଦ ନ ହେବା ଫଳରେ ଠିକା କର୍ମଚାରୀ ମାନେ ଯେଉଁଭଳି ଦୁର୍ଦ୍ଦିନରେ କାର୍ଯ୍ୟ କରୁଛନ୍ତି ତାହା ସେହିମାନେ ହିଁ ଉପଲବ୍ଧି କରିପାରିବେ। କଟା ଘା’ ରେ ଚୂନ ଲଗାଇବା ଭଳି ରାଜ୍ୟ ସରକାର ଏଇ ନିକଟରେ ମୃତ କର୍ମଚାରୀଙ୍କ ପରିବାର ଙ୍କ ନିମନ୍ତେ କେବଳ ଗ୍ରୁପ୍-ଡି ଶ୍ରେଣୀରେ ନିଯୁକ୍ତି ଦେବାପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରୁ ଅନୁମାନ କରାଯାଉଥିଲା ଯେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଭୁଲ ନିଷ୍ପତ୍ତି ନେଉଛନ୍ତି। ସର୍ବୋପରି କର୍ମଚାରୀ ମାନେ ମାନସିକ ଅଶାନ୍ତି ଓ ତୀବ୍ର ଅସନ୍ତୋଷ ମଧ୍ୟରେ ଗତି କରୁଥିବା ବେଳେ ସେଥିରେ ଘିଅ ଢାଳିବାରୁ ସରକାର ନିବୃତ୍ତ ନ ହେଲେ ଭବିଷ୍ୟତରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସେମାନେ ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର