ଭୁବନେଶ୍ୱର : କୃଷି ଉତ୍ପାଦକତା ବୃଦ୍ଧି ସହିତ ଚାଷୀଙ୍କ ଆୟ ବଢ଼ାଇବା ଉଦ୍ଦେଶ୍ୟରେ ୨୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତୁତ ୨୩ଟି ପ୍ରକଳ୍ପକୁ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ନୀତିଗତ ମଞ୍ଜୁରି ଦେଇଛନ୍ତିି।
ଶ୍ରୀ ପାଢ଼ୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(ଆରକେଭିଓ୍ଵାଇ)ର ରାଜ୍ୟସ୍ତରୀୟ ମଞ୍ଜୁରି କମିଟି ବୈଠକରେ ଅଧ୍ୟକ୍ଷତା କରି ଉପରୋକ୍ତ ପ୍ରକଳ୍ପ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରିଥିଲେ। ଏସବୁ ପ୍ରକଳ୍ପକୁ ଚାଷୀମାନଙ୍କ ପାଇଁ ଅଧିକ ଫଳପ୍ରସୂ ଏବଂ ଲାଭଦାୟୀ କରିବା ନିମନ୍ତେ ସଂପୃକ୍ତ ବିଭାଗ ମୁଖ୍ୟମାନଙ୍କୁ ନିର୍ଦେଶ ଦେଇଥିଲେ ମୁଖ୍ୟ ସଚିବ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ ଦେଇଥିବା ସୂଚନା ମୁତାବକ ଏହି ଯୋଜନାରେ କେନ୍ଦ୍ର ଏବଂ ରାଜ୍ୟ ସରକାର ୬୦:୪୦ ଅନୁପାତରେ ପାଣ୍ଠି ଯୋଗାଇଥାନ୍ତିି। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ ରାଜ୍ୟ ସରକାର ୭୦୭.୫୫ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରିଛନ୍ତି। ଏହି ଯୋଜନା ବାବଦରେ ଅଦ୍ୟାବଧି କେନ୍ଦ୍ର ସରକାର ୨୦୫.୧୯ କୋଟି ଦେଇଥିବା ବେଳେ ରାଜ୍ୟ ସରକାର ଦେଇଛନ୍ତିି ୧୩୬.୭୯ କୋଟି ଟଙ୍କା।
ଏହି ଯୋଜନାରେ ପଛୁଆ ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳରେ ଅଧିକ ପୁଷ୍ଟିଯୁକ୍ତ ଛୋଟ ଛୋଟ ମାଛ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ସଚିବ ପରାମର୍ଶ ଦେଇଥିଲେ। ବୈଠକରେ କୃଷି ଉତ୍ପାଦନ କମିସନର ଗଗନ କୁମାର ଧଳ, ଅର୍ଥ ବିଭାଗର ପ୍ରମୁଖ ସଚିବ ତୁହିନକାନ୍ତ ପାଣ୍ଡେ, କେନ୍ଦ୍ରୀୟ କୃଷି ଓ କୃଷକ ମଙ୍ଗଳ ବିଭାଗର ଯୁଗ୍ମ ସଚିବ ପ୍ରଶାନ୍ତ କୁମାର ସ୍ୱାଇଁ ଏବଂ ପଦାଧିକାରୀମାନେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/far.jpg)