ଅପରାଜିତାଙ୍କ ସ୍ବେଚ୍ଛାକୃତ ଅବସରକୁ ଅନୁମୋଦନ

ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବାକୁ କେନ୍ଦ୍ରକୁ ଚିଠି ଲେଖିଲା ସାଧାରଣ ପ୍ରଶାସନ ବିଭାଗ

ଭୁବନେଶ୍ବର : ୧୯୯୪ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏହାସହ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଆବେଦନ ପତ୍ରକୁ ଯଥାଶୀଘ୍ର ଗ୍ରହଣ କରିବା ସହ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ କେନ୍ଦ୍ରକୁ ପଠାଇଛନ୍ତି। ଆଜି ଏନେଇ ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ସଚିବ ରବୀନ୍ଦ୍ର ନାଥ ସାହୁ କେନ୍ଦ୍ର ସରକାରଙ୍କ କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ୍ ମନ୍ତ୍ରାଳୟର ଉପ ସଚିବଙ୍କୁ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ଚଳିତବର୍ଷ ସେପ୍ଟେମ୍ବର ୧୫ରେ ଶ୍ରୀମତୀ ଷଡ଼ଙ୍ଗୀ ଏଆଇଏସ୍ (ଡିସିଆର୍‌ବି) ନିୟମ ୧୯୫୮ର ୧୬(୨ଏ) ଅନୁଯାୟୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଆବେଦନ କରିଥିଲେ। ଶ୍ରୀମତୀ ଷଡ଼ଙ୍ଗୀ ଏନେଇ ତିନି ମାସିଆ ନୋଟିସ୍‌ ଦେବା ସହ ଡିସେମ୍ବର ୧୪, ୨୦୧୮ ତାଙ୍କର ଶେଷ କାର୍ଯ୍ୟ ଦିବସ ହେବ ବୋଲି ଚିଠିରେ ଉଲ୍ଲେଖ କରିଥିଲେ।

ଏହାପରେ ସାଧାରଣ ପ୍ରଶାସନ ବିଭାଗ ସେପ୍ଟେମ୍ବର ୧୭ରେ ଶ୍ରୀମତୀ ଷଡ଼ଙ୍ଗୀଙ୍କ ସଂପର୍କରେ ଭିଜିଲାନ୍ସ କ୍ଲିଅରାନ୍ସ ପାଇଁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବଙ୍କୁ ଚିଠି ଲେଖାଯାଇଥିଲା। ଭିଜିଲାନ୍ସ ଅପରାଜିତାଙ୍କୁ କ୍ଲିଅରାନ୍ସ ଦେଇଥିଲା। ତାଙ୍କ ବିରୁଦ୍ଧରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନଥିବାରୁ ରାଜ୍ୟ ସରକାର ଶ୍ରୀମତୀ ଷଡ଼ଙ୍ଗୀଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ ଗ୍ରହଣ କରିଛନ୍ତି।

ଅପରପକ୍ଷେ ଅପରାଜିତା ଷଡ଼ଙ୍ଗୀ ସ୍ବେଚ୍ଛାକୃତ ଅବସର ନେଉଥିବା ଜଣାପଡ଼ିବା ପରେ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସେ ରାଜନୀତିରେ ସାମିଲ୍ ହେବା ପାଇଁ ସ୍ବେଚ୍ଛାକୃତ ଅବସର ନେଇଥିବା ଚର୍ଚ୍ଚା ହେଉଥିବା ବେ‌େଳ ଅପରାଜିତା କିନ୍ତୁ ଏନେଇ କିଛି କହିନାହାନ୍ତି।

ସମ୍ବନ୍ଧିତ ଖବର