୭ଟି ଖଣି ବନ୍ଦ ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ସରକାର ଜାନୁୟାରି ପହିଲାରୁ ୭ଟି ଲୁହାପଥର ଖଣି ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଏସବୁ ଖଣିରୁ ଉତ୍ପାଦନ ବନ୍ଦ ହୋଇଯାଇଛି । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏସବୁ ଖଣି ଧାର୍ଯ୍ୟ ତାରିଖ ଅର୍ଥାତ ଡିସେମ୍ବର ୩୧ ସୁଦ୍ଧା ଜରିମାନା ପୈଠ କରି ନ ଥିବାରୁ ରାଜ୍ୟ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ୭ଟି ଖଣି ହେଲେ ସିରାଜୁଦ୍ଦିନ ମାଇନ୍ସର ବଲଦା, ମେସ୍କୋର ରୋଇଡା ଖଣି, ଏସେଲ ମାଇନିଂର କୋଇଡ଼ା, ନ୍ୟାସନାଲ ଏଣ୍ଟରପ୍ରାଇଜେସର ରାଇକେଲା, କର୍ପ ରିସୋର୍ସେସର ତନତ୍ର ଖଣି ଓଏମଏମର ପାଟକଡା ଖଣି ।

୨୦୦୦-୦୧ରୁ ୨୦୧୦-୧୧ ମଧ୍ୟରେ ଧାର୍ଯ୍ୟ ସୀମାଠାରୁ ବେଆଇନ ଭାବେ ଅଧିକ ଖଣିଜ ପଥର ଉତ୍ତୋଳନ କରିଥିବାରୁ ଓଡ଼ିଶାର  ଖଣି ଲିଜ୍‌ଧାରୀଙ୍କଠାରୁ ଜରିମାନା ଆଦାୟ ପାଇଁ ସୁପ୍ରିମ୍‌କୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର ମୋଟ ୧୩୧ ଜଣ ଲିଜଧାରୀଙ୍କୁ ଡିସେମ୍ବର ୩୧ ସୁଦ୍ଧା ଜରିମାନା  ପୈଠପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ମଧ୍ୟରୁ ୪୩ଟି ଚାଲୁ ଖଣି ସହ ମୋଟ ୭୨ଟି ଲିଜଧାରୀ  ମୋଟ ୨,୨୨୩ କୋଟି ଟଙ୍କାର ଜରିମାନା ପୈଠ କରିଛନ୍ତି । ଏ ସଂପର୍କରେ ରାଜ୍ୟ ସରକାର ଆସନ୍ତା ୪ ତାରିଖରେ ସୁପ୍ରିମକୋର୍ଟଙ୍କ ନିକଟରେ ନିଜର ଷ୍ଟାଟସ ରିପୋର୍ଟ ଦାଖଲ କରିବେ । ଅନ୍ୟପକ୍ଷରେ କେତେକ ଲିଜଧାରୀ ଏହି ଜରିମାନା ଦାଖଲ ପାଇଁ ଅକ୍ଷମ ବୋଲି ଦର୍ଶାଇ ସୁପ୍ରିମକୋର୍ଟରେ ଖଣି ମାଲିକ ସଂଘ ତରଫରୁ ଏକ ରିଭ୍ୟୁ ପିଟିସନ ଦାଖଲ କରାଯାଇଛି । ସୁପ୍ରିମକୋର୍ଟରେ ଏହି ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ୧୭ ତାରିଖରେ ହେବ ।

ସମ୍ବନ୍ଧିତ ଖବର