ସରକାର ଆଣିବେ ନୂଆ ଫସଲ ବୀମା ଯୋଜନା

୨୦୨୨ ସୁଦ୍ଧା ୨୫ ଲକ୍ଷ ହେକ୍ଟର ଜମି ବୀମାଭୁକ୍ତ

ଭୁବନେଶ୍ୱର : ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ଯଥା: ମରୁଡ଼ି, ବର୍ଷା, ବନ୍ୟା ଆଦି ଚାଷୀଙ୍କ ପାଇଁ ଦୁଃଖ ଲଦି ଦେଉଛି। ପ୍ରତି ଦୁଇବର୍ଷରେ ଅନ୍ତତଃପକ୍ଷେ ଥରେ ଏଭଳି ବିପର୍ଯ୍ୟୟ ଧ୍ୱସ୍ତ କରୁଛି ଧାନ ଏବଂ ଅନ୍ୟାାନ୍ୟ ଫସଲ। ଫଳରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଉଛି। ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ କାର୍ଯ୍ୟକାରୀ ହେଉଛି ପ୍ରଧାନମନ୍ତ୍ରୀ ଫସଲ ବୀମା। କିନ୍ତୁ ସେହି ଯୋଜନାର ପରିସର ସୀମିତ, କଟକଣା ବହୁତ। ଏଣୁ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ବ୍ୟାପକତର କରିବା ଉଦ୍ଦେଶ୍ୟରେ କୃଷି ବିଭାଗ ପାଗଭିିତ୍ତିକ ନୂଆ ବୀମା ଯୋଜନା ପ୍ରଣୟନ କରିବାକୁ ନୀତିଗତ ନିଷ୍ପତ୍ତି ନେଇଛି। କେବଳ ନୀତିଗତ ନିଷ୍ପତ୍ତି ନୁହେଁ, ଆଗାମୀ ବଜେଟ୍‌ରେ ବ୍ୟୟବରାଦ କରାଯିବ ବୋଲି ସୂଚନା ମିଳିଛି। ଏ ବର୍ଷ ସାଧାରଣ ନିର୍ବାଚନ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି। ଏଣୁ ଏହାକୁ ଆଖି ଆଗରେ ରଖି ସରକାର ଆଗାମୀ ବଜେଟ୍‌ରେ କୃଷି ଓ କୃଷକଙ୍କ ପାଇଁ ଏଭଳି କିଛି ନୂଆ ଯୋଜନା ପାଇଁ ବ୍ୟୟବରାଦ କରିବା ଏକପ୍ରକାର ଚୂଡ଼ାନ୍ତ।

ବିଭାଗୀୟ ସୂଚନା ଅନୁଯାୟୀ ଏହି ଫସଲ ବୀମା ଯୋଜନା ଆସନ୍ତା ୨୦୧୮-୧୯ ବର୍ଷରୁ କାର୍ଯ୍ୟକାରୀ ହେବ। ଏହି ଯୋଜନାରେ ପନିପରିବା ସହିତ କିଛି ନୂଆ ଫସଲକୁ ଅନ୍ତର୍ଭୁକ୍ତ କରାଯିବ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ମୁଖ୍ୟତଃ ଋଣୀ ଚାଷୀମାନେ ଉପକୃତ ହେଉଛନ୍ତି। ରାଜ୍ୟର ନିଜସ୍ୱ ବୀମା ଯୋଜନାରେ ଅଣଋଣୀଙ୍କ ସଂଖ୍ୟା ଅଧିକ। ଏଣୁ ଅଧିକ ସଂଖ୍ୟକ ଚାଷୀଙ୍କୁ ବୀମାଭୁକ୍ତ କରିବା ହେଉଛି ମୁଖ୍ୟ ଆଭିମୁଖ୍ୟ। ବର୍ତମାନ ପ୍ରଧାନମନ୍ତ୍ରୀ ବୀମା ଯୋଜନାରେ ୧୮ଲକ୍ଷ ୩୬,୩୫୨ ଚାଷୀଙ୍କୁ ପଞ୍ଜୀକୃତ କରାଯାଇଛି। ନୂଆ ଯୋଜନାରେ ଏହି ସଂଖ୍ୟା ୩୦ ଲକ୍ଷକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ବୀମା ସଂପର୍କିତ ସାମର୍ଥ୍ୟ ବୃଦ୍ଧି ସହିତ ଆବଶ୍ୟକୀୟ ପ୍ରଚାର ପାଇଁ ପଦକ୍ଷେପ ନିଆଯିବ। ପ୍ରଧାନମନ୍ତ୍ରୀ ବୀମା ଯୋଜନାରେ ମରୁଡ଼ି, ରୋଗପୋକ ଭଳି କିଛି ବିପର୍ଯ୍ୟୟ ଜନିତ ଫସଲର କ୍ଷୟକ୍ଷତି ପାଇଁ ବୀମା ପ୍ରଦାନ ସୁବିଧା ରହିଛି। ବର୍ଷା, କୁଆପଥର ମାଡ଼ରେ ଫସଲ କ୍ଷତି ହେଲେ ସେହି ଯୋଜନାରେ କ୍ଷତିପୂରଣ ବ୍ୟବସ୍ଥା କରାଯାଇନାହିଁ। କିନ୍ତୁ ରାଜ୍ୟ ସରକାରଙ୍କ ନୂଆ ଯୋଜନାରେ ବର୍ଷା, କୁଆପଥର ମାଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ଅନ୍ତର୍ଭୁକ୍ତ କରାଯିବ।

ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଯୋଜନାକୁ ଆହୁରି ବ୍ୟାପକ କରିବା ଦିଗରେ ଏହି ଯୋଜନା କାର୍ଯ୍ୟ କରିବ ବୋଲି ଏହାର ଆଭିମୁଖ୍ୟ ବୟାନ କରୁଛି। ବର୍ତମାନ ସୁଦ୍ଧା ରାଜ୍ୟର ୧୪ ଲକ୍ଷ ହେକ୍ଟର ଜମି ବୀମାଭୁକ୍ତ ହୋଇଛି। ଆସନ୍ତା ପାଞ୍ଚବର୍ଷରେ ୨୫ ଲକ୍ଷ ହେକ୍ଟର ଜମି ବୀମା ପରିସରଭୁକ୍ତ କରିବାକୁ ଲକ୍ଷ୍ୟ ସ୍ଥାପନ କରାଯାଇଛି। ଏଥିପାଇଁ ୨୦୧୮-୧୯ରେ ୧.୬୦ କୋଟି ଏବଂ ପାଞ୍ଚବର୍ଷରେ ୮.୫୦ କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ୱ ସମ୍ବଳରୁ ଏହି ବୀମା ବାବଦ ଖର୍ଚ କରିବେ। ଚାଷୀମାନଙ୍କୁ ଏଥିରେ ସାମିଲ୍‌ କରିବାକୁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି।

ସମ୍ବନ୍ଧିତ ଖବର