ଫେବ୍ରୁଆରି ୧୨ରେ ଓଡ଼ିଶା ସରକାରୀ କଲେଜ ଶିକ୍ଷକ ସଂଘର ନିର୍ବାଚନ

ଭୁବନେଶ୍ବର: ଓଡ଼ିଶା ସରକାରୀ କଲେଜ ଶିକ୍ଷକ ସଂଘର ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ଜାନୁଆରି ୧୨ ତାରିଖ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ କରାଯିବ। ସେହିଦିନ ଅପରାହ୍ନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏହାର ଠିକ୍‌ ୩୦ ଦିନ ପରେ ଅର୍ଥାତ୍‌ ଫେବ୍ରୁଆରି ୧୨ରେ ସଂଘର ନିର୍ବାଚନ ଅନୁଷ୍ଠିତ ହେବ। ସମସ୍ତ କଲେଜର ଅଧ୍ୟାପକ, ଅଧ୍ୟାପିକାମାନେ ନିର୍ବାଚନ ଦିନ ନିଜ ନିଜ କଲେଜରେ ଉପସ୍ଥିତ ରହି ମତଦାନ କରିପାରିବେ। ଏ ସମ୍ପର୍କିତ ଅନ୍ୟାନ୍ୟ ସୂଚନା ପରବର୍ତୀ ସମୟରେ ସମସ୍ତ କଲେଜ ଇ-ମେଲ୍‌ରେ ଜଣାଇ ଦିଆଯିବ ବୋଲି ସଂଘର ନିର୍ବାଚନ କମିସନ ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ବେହେରା ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି। ସୂଚନା ଅନୁଯାୟୀ ଗତ ନଭେମ୍ବର ୧୨ରେ ଅନୁଷ୍ଠିତ ସଂଘର ସାଧାରଣ ଅଧିବେଶନରେ ଏନେଇ ବିଧିବଦ୍ଧ ନିଷ୍ପତ୍ତି ନିଆଯିବା ସହ ନିୟମାବଳୀ ଆଧାରରେ ନିର୍ବାଚନ କିମସନ ଗଠନ ‌କରାଯାଇଥିଲା। ଏ ସମ୍ପର୍କରେ ଗୃହ ଓ ଉଚ୍ଚଶିକ୍ଷା ବିଭାଗକୁ ଆବଶ୍ୟକ ସୂଚନା ଦିଆଯାଇଥିଲା। ଏଥିରେ ଦେବେନ୍ଦ୍ର ନାଥ ବେହେରାଙ୍କୁ କମିସନର ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିବା ବେଳେ କୈଳାସ ଦାସ, ଅନନ୍ତ କିଶୋର ଜେନା, ଅରୁଣ କୁମାର ସାମଲ ସଦସ୍ୟ ଭାବେ ମନୋନୀତ ହେବା ସହ ନିର୍ବାଚନ ପରିଚାଳନା ଦାୟିତ୍ବ ଦିଆଯାଇଥିଲା। ଗତକାଲି ଶ୍ରୀ ବେହେରାଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯିବା ସହ ତାହାକୁ ସମସ୍ତ ସରକାରୀ ମହାବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମଡେଲ ଡିଗ୍ରି କଲେଜ, ଟ୍ରେନିଂ କଲେଜଗୁଡ଼ିକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର