୧୫କୋଟି ଜରିମାନା ଆଦାୟ, ଖର୍ଚ୍ଚ ଯୋଜନା ୬କୋଟି

ଦୁର୍ଘଟଣା ଉପରେ ରୋକ୍‌ ଲାଗୁନି

ଦୁର୍ଘଟଣା ଜନିତ ମୃତକଙ୍କ ସଂଖ୍ୟା ବି ବଢ଼ୁଛି

ଭୁବନେଶ୍ୱର : ସଡ଼କ ଦୁର୍ଘଟଣା ଯେପରି କମିବ, ଟ୍ରାଫିକ ପରିଚାଳନା ବ୍ୟବସ୍ଥିତ ହେବ ସେଥିପାଇଁ କମିସନରେଟ୍‌ ପୁଲିସ ସମେତ ବିଭିନ୍ନ ଜିଲ୍ଲା ପୁଲିସ ପକ୍ଷରୁ ସାରା ରାଜ୍ୟରେ ବ୍ୟାପକ ଚେକିଂ ହେଉଛି। ଏପରିକି ମୋଟା ଅଙ୍କର ଜରିମାନା ବି ଆଦାୟ ହେଉଛି। ହେଲେ ସଡ଼କ ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ଉପରେ ରୋକ୍‌ ଲାଗୁନି। ପ୍ରତିବର୍ଷ ଦୁର୍ଘଟଣା ଏବଂ ଦୁର୍ଘଟଣା ସଂଖ୍ୟା ବଢ଼ିଚାଲିଛି।

ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୪ରେ ୯୬୪୮ଟି ଦୁର୍ଘଟଣା ହୋଇଥିବାବେଳେ ଏଥିରେ ୩୯୩୧ଜଣଙ୍କର ମୃତ୍ୟୁ ହୋଇଛି। ୨୦୧୫ରେ ୧୦୫୪୨ଟି ଦୁର୍ଘଟଣାରେ ୪୩୦୩ଜଣଙ୍କର, ୨୦୧୬ରେ ୧୦୫୩୨ଟି ଦୁର୍ଘଟଣାରେ ୪୪୬୩ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୨୦୧୭ ମାର୍ଚ୍ଚ ସୁଦ୍ଧା ୨୭୨୯ଟି ଦୁର୍ଘଟଣାରେ ୧୧୮୮ଜଣଙ୍କର ମୃତ୍ୟୁ ଘଟିଛି।

ଗୃହ ବିଭାଗ ଏବଂ ପରିବହନ ବିଭାଗ ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ଜରିମାନା ଆଦାୟ କରି ଚାଲିଥିଲେ ହେଁ ଏନେଇ ସେହିଭଳି ଭିତ୍ତିଭୂମି ସଜାଡ଼ି ନଥିବା ଅଭିଯୋଗ ହେଉଛି। କେବଳ ଦୁର୍ଘଟଣା ବଢ଼ୁନି ସାରା ରାଜ୍ୟରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଗଲାଣି। ଭୁବନେଶ୍ୱର, କଟକ, ପୁରୀ ଭଳି ସହରର ଟ୍ରାଫିକ ବ୍ୟବସ୍ଥା ଏହାର ଜ୍ୱଳନ୍ତ ଉଦାହରଣ।

ବିଧାୟକ ଭାଗିରଥୀ ବଡ଼ଜେନାଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କମିସନେରଟ୍‌ ପୁଲିସ୍‌ ସମେତ ବିଭିନ୍ନ ଜିଲ୍ଲା ପୁଲିସ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୧୫କୋଟି ୮ଲକ୍ଷ ୨୦ହଜାର ୩୮୩ଟଙ୍କା ଜରିମାନା ଆଦାୟ କରିଛି। ଏହି ଜରିମାନା ୨୦୧୪ରୁ ସେପ୍ଟେମ୍ବର ୩୦, ୨୦୧୭ ମଧ୍ୟରେ ଆଦାୟ ହୋଇଛି।

କିନ୍ତୁ ଏ ପର୍ଯ୍ୟନ୍ତ ଡିଜିଟାଲ ଉପାୟରେ ଜରିମନା ଆଦାୟ (ଇ-ଚାଲଣ) ଆରମ୍ଭ ହୋଇପାରିଲାନି। ଅଧିକାଂଶ ଟ୍ରାଫିକ ଛକରେ ଟ୍ରାଫିକ ପୋଷ୍ଟ ନାହିଁ କି ଟ୍ରାଫିକ ପୁଲିସଙ୍କୁ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଯାଇପାରିନି। ଏହି ୪ବର୍ଷରେ ଟ୍ରାଫିକ ନିୟନ୍ତ୍ରଣ ଓ ପରିଚାଳନା, ଡିଜିଟାଇଜେସନ୍‌ ପାଇଁ ପରିବହନ କମିସନର ୧କୋଟି ୭ଲକ୍ଷ ଟଙ୍କା ଖର୍ଚ୍ଚ ବ୍ୟବସ୍ଥା କରିଛନ୍ତି। ଏହା କେତେ ଦୂର କାର୍ଯ୍ୟକାରୀ ହୋଇଛି ତା’ର ରିପୋର୍ଟ ଜଣାନାହିଁ। ୫ବର୍ଷରେ ସଡ଼କ ସୁରକ୍ଷା ଏବଂ ଟ୍ରାଫିକ ସରଞ୍ଜାମ ପାଇଁ ୪.୭୮କୋଟି ବଜେଟ୍‌ ବ୍ୟବସ୍ଥା ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର