ଭୁବନେଶ୍ବର : କରୋନାର ପ୍ରଭାବକୁ ସରକାର ସୀମିତ ରଖିବାରେ ସମର୍ଥ ହୋଇଛନ୍ତି। ହେଲେ ଏହି ଯୁଦ୍ଧ ସରିନାହିଁ। ବ୍ୟୟମଞ୍ଜୁରି ଆଲୋଚନା ଶେଷରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ଏଭଳି ବକ୍ତବ୍ୟ ରଖିଛନ୍ତି। ମନ୍ତ୍ରୀଙ୍କ ଏଭଳି ଉତ୍ତର ପରିପ୍ରେକ୍ଷୀରେ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ୧ଲକ୍ଷ ୫୫ହଜାର ୯୬୩ କୋଟି ୨୬ଲକ୍ଷ ୮୧ ହଜାର ଟଙ୍କାର ଅର୍ଥ ବିଲକୁ ଗୃହ ଅନୁମୋଦନ କରିଥିଲା।
ଆଲୋଚନା ଶେଷରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍ ଫେବ୍ରୁଆରି ୧୮ ତାରିଖରେ ଗୃହରେ ଉପସ୍ଥାପନ ହୋଇଥିଲା। ମହାମାରୀ କରୋନାର ଏକ ଅଂଶବିଶେଷ ଭାବେ ବିଧାନସଭାକୁ ମାର୍ଚ୍ଚ ୧୬ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଏହି କାରଣରୁ ଗୃହରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇପାରିଲା ନାହିଁ। ଏହା ସତ୍ତ୍ବେ ଆଜି ବ୍ୟୟମଞ୍ଜୁରି ବିଲ୍ ଆଗତ କରାଯାଉଛି, ଯାହା ଅନୁମୋଦନ ଲାଭ କଲେ, ଜନକଲ୍ୟାଣ କାର୍ଯ୍ୟକ୍ରମ ପାଇଁ ଅର୍ଥ ବିିନିଯୋଗ ହୋଇପାରିବ। କୋଭିଡ୍-୧୯ ଏକ ଭୟଙ୍କର ରୂପ ଧରି ଆମ ସାମ୍ନାରେ ଛିଡା ହୋଇଛି, ଏହାର ସଫଳ ମୁକାବିଲା ଏବେ ଏକ ବଡ଼ ଚ୍ୟାଲେଞ୍ଜ। ପ୍ରାରମ୍ଭିକସ୍ତରରେ ସାମାନ୍ୟ ଅସାବଧାନତା କିଭଳି ଭୟାନକ ହୋଇପାରେ, ଇଟାଲୀ, ୟୁରୋପୀୟ ଦେଶ ଓ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଉନ୍ନତ ରାଷ୍ଟ୍ର ତାର ଗୋଟିଏ ଗୋଟିଏ ଉଦାହରଣ। ଓଡ଼ିଶା ସରକାର କିନ୍ତୁ ଉଲ୍ଲେଖନୀୟ ପଦକ୍ଷେପ ନେଇ ଏହାର ପ୍ରଭାବକୁ ଏଯାଏ ସୀମିତ ରଖିପାରିଛନ୍ତି। ତେବେ କରୋନା ସାଙ୍ଗରେ ଚାଲିଥିବା ଲଢେଇ ସମାପ୍ତ ହୋଇନାହିଁ। ଆହୁରି କିଛି ଦିନ ଲଢେଇ ଚାଲିବ ଓ ଏଥିପାଇଁ ଜନସାଧାରଣଙ୍କ ସହଯୋଗ ଗୁରୁତ୍ବପୂର୍ଣ୍ଣ ବୋଲି ମନ୍ତ୍ରୀ କହିଥିଲେ।
ବଜେଟ୍ ପାଇଁ ପ୍ରସ୍ତାବିତ ଅର୍ଥ ମଞ୍ଜୁର ପାଇଁ ଗୃହ ସାମ୍ନାରେ ନିବେଦନ ରଖି ଶ୍ରୀ ପୂଜାରୀ କହିଥିଲେ ଯେ ୨୦୧୯-୨୦ ଏବେ ଶେଷ ହେବାକୁ ଯାଉଛି। ୨୦୨୦-୨୧ ଅର୍ଥାତ୍ ନୂଆ ଆର୍ଥିକ ବର୍ଷରେ ରାଜ୍ୟ ପଦାର୍ପଣ କରିବ। ବଜେଟ୍ ଅର୍ଥକୁ ଅନୁମୋଦନ ମିଳିଲେ, ଏହା କରୋନାର ସଠିକ୍ ମୁକାବିଲା ଓ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟରେ ଖର୍ଚ ହୋଇପାରିବ।