ଏଣିକି ଚତୁର୍ଥ ଶନିବାର ବି ସରକାରୀ ଛୁଟି, କାର୍ଯ୍ୟାଳୟ ସମୟ ୧୦ରୁ ସାଢ଼େ ୫

ଭୁବନେଶ୍ବର : ଏଣିକି ସରକାରୀ କର୍ମଚାରୀମାନେ ମାସକୁ ଆଉ ଗୋଟିଏ ଅଧିକ ଛୁଟି ପାଇବେ। ପୂର୍ବରୁ ରବିବାର ବାଦ୍ କେବଳ ଦ୍ବିତୀୟ ଶନିବାର ଛୁଟି ରହୁଥିଲା। କିନ୍ତୁ ଏବେ ଚତୁର୍ଥ ଶନିବାର ବି ସରକାରୀ କର୍ମଚାରୀଙ୍କୁ ଛୁଟି ମିଳିବ। ଆଜି ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି। ଏହା ଦ୍ବାରା ପ୍ରଶାସନିକ କାର୍ଯ୍ୟଦକ୍ଷତାରେ ଉନ୍ନତି ଆସିବ ବୋଲି ସରକାର ଆଶା ପ୍ରକଟ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତିରେ କୁହାଯାଇଛି, ପ୍ରଶାସନରେ ଦକ୍ଷତା ବୃଦ୍ଧି ଓ ଏହାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ସରକାର ଅନେକ ଅଭିନବ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ବିଭିନ୍ନ ପ୍ରସଙ୍ଗକୁ ବିଚାରକୁ ନେଇ ଚତୁର୍ଥ ଶନିବାରକୁ ଛୁଟି ଘୋଷଣା କରାଯାଇଛି। ଏହା ବାଦ୍ ସରକାରୀ କାର୍ଯ୍ୟାଳୟରେ କାମ କରିବାର ସମୟରେ ମଧ୍ୟ କିଛିଟା ସଂଶୋଧନ କରାଯାଇଛି। ପ୍ରତିଦିନ କାର୍ଯ୍ୟାଳୟର ସମୟ ସକାଳ ୧୦ଟାରୁ ଅପରାହ୍ନ ୫ଟା ୩୦ ରହିବ। ଅପରାହ୍ନ ୧ଟା ୩୦ରୁ ୨ଟା ଯାଏ ମଧ୍ୟାହ୍ନ ଭୋଜନ ବିରତି ରହିବ। ତେବେ ଏହି ସଂଶୋଧିତ ସମୟ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଲାଗୁ ହେବ ନାହିଁ।

ଯଦିଓ ଚତୁର୍ଥ ଶନିବାର ଛୁଟି ଘୋଷଣା କରାଯାଇଛି, ତେବେ ସମସ୍ତ ସରକାରୀ କାର୍ଯ୍ୟାଳୟର ମୁଖ୍ୟମାନଙ୍କୁ ସେହିଦିନ ପ୍ରଥମାର୍ଦ୍ଧରେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେମାନେ ସେହି ସମୟରେ ୫ଟି(ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ, ଟ୍ରାନ୍ସଫର୍ମେସନ୍, ଟାଇମିଂ) କିପରି କାର୍ଯ୍ୟକାରୀ ହେବ, ସେ ନେଇ କାମ କରିବେ। ସେହିପରି ରାଜ୍ୟର ବିକାଶ ପାଇଁ ଅଭିନବ ଚିନ୍ତାଧାରା ଉପରେ ତାଲିମ୍ ନେବା ସହ ମାନସ ମନ୍ଥନ କରିବେ।

ସମ୍ବନ୍ଧିତ ଖବର