ଭୁବନେଶ୍ୱର : ଖାଦ୍ୟ ଯୋଗାଣ ସଂପର୍କିତ କେନ୍ଦ୍ର ସରକାରଙ୍କ ସୃଷ୍ଟ ସମସ୍ୟା ନେଇ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଲାସ ପାଶ୍ୱାନ୍ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ଭିନ୍ନ ଭିନ୍ନ ଚିଠି ଲେଖିଛନ୍ତି। ଓଡ଼ିଶାକୁ ନିର୍ଦିଷ୍ଟ ସମୟ ମଧ୍ୟରେ ନିଅଣ୍ଟ ପରିମାଣର ପାଖାପାଖି ୧ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଯୋଗାଇଦେବା ଏବଂ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ସବ୍ସିଡି ପ୍ରଦାନରେ ବିଳମ୍ବ ଯୋଗୁଁ ସଂଘଟିତ ପ୍ରାୟ ୮୦୨ କୋଟି ଟଙ୍କାର କ୍ଷତି ଭରଣା କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲେଖିଥିବା ଏକ ଚିଠିରେ ଦର୍ଶାଇଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ରାଜ୍ୟ ସରକାର ୨୦୧୫ରୁ ହିତାଧିକାରୀଙ୍କ ପିଛା ୫ କିଲୋ ଚାଉଳ/ଗହମ ଯୋଗାଇ ଆସୁଛନ୍ତି। ୨୦୧୫ ନଭେମ୍ବର ମାସରୁ ୨୦୧୭ ଫେବ୍ରୁଆରି ମାସ ମଧ୍ୟରେ ହିତାଧିକାରୀମାନଙ୍କ ଚାହିଦା ଏବଂ କେନ୍ଦ୍ର ସରକାରଙ୍କ ଆବଣ୍ଟନ ପରିମାଣ ମଧ୍ୟରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥିଲା। ଫଳରେ ମୋଟ ଆବଣ୍ଟିତ ଚାଉଳ ମଧ୍ୟରେ ୯୯ ଲକ୍ଷ ୯୬୦.୧୫୪ ମେଟ୍ରିକ ଟନ୍ ନିଅଣ୍ଟ ଥିବା ବେଳେ ୭୩୨୨.୦୫ ମେଟ୍ରିକ ଟନ୍ ଗହମ ଅଧିକ ରହିଥିଲା। ଏଭଳି ପରିସ୍ଥିତି ସତ୍ତ୍ୱେ ହିତାଧିକାରୀଙ୍କ ପସନ୍ଦ ମୁତାବକ ରାଜ୍ୟ ସରକାର ଚାଉଳ ବଣ୍ଟନ କରିଥିଲେ। ଏଣୁ, ନିଅଣ୍ଟ ପରିମାଣର ଚାଉଳ ରାଜ୍ୟକୁ ଆବଣ୍ଟନ କରିବା ସହିତ ଅଧିକ ପରିମାଣର ଗହମ ଫେରାଇ ନେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
ଅନ୍ୟ ଏକ ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ନିମନ୍ତେ ଏହି ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ପ୍ରାୟ ୮ ହଜାର କୋଟି ଟଙ୍କାର ଅର୍ଥ ନିବେଶ କରାଯାଉଛି। ୟରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ କେନ୍ଦ୍ର ସରକାର ଧାନ ସଂଗ୍ରହ ନିମନ୍ତେ ଆଗୁଆ ସବ୍ସିଡି ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ସବ୍ସିଡି ପ୍ରଦାନରେ କେନ୍ଦ୍ର ପକ୍ଷରୁ ଅହେତୁକ ବିଳମ୍ବ ଘଟୁଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଅଧୀନ ଏହି ନିଗମକୁ ବିଳମ୍ବ ଜନିତ କ୍ଷତିଭାର ବାବଦ ଅତିରିକ୍ତ ସୁଧ ଅର୍ଥ ପ୍ରଦାନ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/rice.jpg)